ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ୫ ସେକେଣ୍ଡ୍‌ରେ ମାଟିରେ ମିଶିଲା କୋଚିର ୨ଟି ଆପାର୍ଟମେଣ୍ଟ୍‌, ଆଜି ଆଉ ୨ଟି ଭଙ୍ଗାଯିବ

ନୂଆଦିଲ୍ଲୀ,: ଶନିବାର ସକାଳେ କେରଳର କୋଚିରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସ ମାଟିରେ ମିଶିଯାଇଛି। ମାତ୍ର ୫ ସେକେଣ୍ଡ୍‌ରେ ଧ୍ବସ୍ତ ହୋଇଗଲା ୧୭ ମହଲା ଏବଂ ୯ ମହଲା ବିଶିଷ୍ଟ ଦୁଇଟି ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସ। ଏଥିରେ ୧୮୦ଟି ଫ୍ଲାଟ୍‌ ଥିଲା। ଆଜି ସକାଳେ ଏହି ଦୁଇଟି ଆପାର୍ଟମେଣ୍ଟ୍‌ କମ୍ପ୍ଲେକ୍ସକୁ ବିସ୍ଫୋରକ ବ୍ୟବହାର କରି ଧ୍ବଂସ୍ତ କରାଯାଇଛି। ୧୭ ମହଲା ବିଶିଷ୍ଟ ଅନ୍ୟ ଦୁଇଟି କୋଠା ‌ଜୈନ କୋରାଲ କେଭ୍‌ ଏବଂ ଗୋଲ୍ଡେନ୍‌ କୟାଲୋରାମ୍‌ ରବିବାର ଧ୍ବସ୍ତ କରାଯିବ। ଉପକୂଳ ସହର ମାରାଡ଼ୁରେ ଥିବା ଏହି ୪ଟି ଆପାର୍ଟମେଣ୍ଟ୍‌ କ‌ମ୍ପ୍ଲେକ୍ସରେ ୩୫୦ରୁ ଅଧିକ ଫ୍ଲାଟ୍‌ ଥିଲା। ପ୍ରାୟ ୨୪୦ ପରିବାର ଏଠାରେ ରହୁଥିଲେ। ଆଜି ଧ୍ବଂସ ହୋଇଥିବା ଦୁଇଟି କୋଠା ୮୦୦,୦୦୦ ସ୍କୋୟାର ଫୁଟ୍‌ ଅଞ୍ଚଳ ପରିବ୍ୟାପ୍ତ ଥିଲା। ସୁପ୍ରିମକୋର୍ଟ ଗତ ବର୍ଷ ସେପ୍ଟେମ୍ବରରେ ଦେଇଥିବା ନିର୍ଦ୍ଦେଶ ଆଧାରରେ ଏହି ଆପାର୍ଟମେଣ୍ଟ୍‌ ଗୁଡ଼ିକୁ ଭଙ୍ଗା ଯାଉଛି। ଏହି ଆପାର୍ଟମେଣ୍ଟ ସିଜେଡ୍‌ଆର (କୋଷ୍ଟାଲ୍‌ ଜୋନ୍‌ ରେଗୁଲେସନ୍‌) ନୀତିର ଉଲ୍ଲଂଘନ କରୁଥିବାରୁ ଏହାକୁ ଭାଙ୍ଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଏଥିପାଇଁ ୧୩୮ ଦିନ ସମୟ ଦେଇଥିଲେ। ଯେଉଁମାନେ ଘର ହରାଇଛନ୍ତି ସେମାନଙ୍କ ପାଇଁ କୋର୍ଟ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିଲେ।

ଆଜି ଏହି କୋଠା‌ ଧ୍ବଂସ କାର୍ଯ୍ୟ ଦେଖିବାପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା। ଉକ୍ତ ଅଞ୍ଚଳରେ ସମସ୍ତ ବାସିନ୍ଦାଙ୍କୁ ବିଦ୍ୟୁତ୍‌ ବନ୍ଦ କରିବା ସହ ଘରର କବାଟ, ଝରକା ବନ୍ଦ ରଖିବାକୁ କୁହାଯାଇଥିଲା। ଅନେକଙ୍କ ପାଇଁ ମଧ୍ୟ ଅସ୍ଥାୟୀ ରିଲିଫ୍‌ ଶିବିର ଖୋଲାଯାଇଛି। ଆଖି ପିଛୁଳାକେ ଦୁଇଟି ବିଶାଳ ଆପାର୍ଟମେଣ୍ଟ୍‌ ଧ୍ବଂସ ହୋଇଥିବା ବେଳେ ଧୁଆଁ ଏବଂ ଧୂଳି ନିୟନ୍ତ୍ରଣ ପାଇଁ ଅଗ୍ନି ନିର୍ବାପକ ଦଳ ଜଳ ପ୍ରୟୋଗ କରିଥିଲେ। ମିଳିଥିବା ସୂଚନାନୁଯାୟୀ ‌ଏଚ୍‌ ୨୦ ହୋଲି ଫେଥ୍‌ କମ୍ପ୍ଲେକ୍ସକୁ ୨୧୨.୪ କେଜି ବିସ୍ଫୋରକ ଲଗାଇ ଧ୍ବଂସ କରାଯାଇଛି। ୭୦ ମିଟର ଉଚ୍ଚ କୋଠାର ୧୪୭୧ଟି ସ୍ଥାନରେ ବିସ୍ଫୋରକ ଖଞ୍ଜାଯାଇଥିଲା। ଆପାର୍ଟମେଣ୍ଟ୍‌ ଧ୍ବଂସ କରିବାପାଇଁ ଦକ୍ଷିଣ ଆଫ୍ରିକାର ଜେଟ୍‌ ଡିମୋଲିସନ୍‌ କମ୍ପାନି ନିୟୋଜିତ ହୋଇଥିଲା। ସମ୍ପୃକ୍ତ ଅଞ୍ଚଳରେ ଧାରା ୧୪୪ ଜାରି ହୋଇଛି ଏବଂ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର