କୋହିନୁର ହୀରା ଫେରାଇବା ପ୍ରସଙ୍ଗ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ଶ୍ରୀଜଗନ୍ନାଥ ସେନା

ନୂଆଦିଲ୍ଲୀ : କୋହିନୁର ହୀରାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଫେରାଇ ଆଣିବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା। ଏହି ମର୍ମରେ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ସ୍ମାରକପତ୍ରରେ ଏହି ଦାବି କରାଯାଇଛି। ପ୍ରଦତ୍ତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରାଜା ରଣଜିତ ସିଂହ ଦାନ କରିଥିବା କୋହିନୁର ହୀରା ଭାରତକୁ ଫେରାଇ ଅଣାଯାଉ। ମହାରାଜା ରଣଜିତ ସିଂହ ପୁରୀର କୌଳିକ ପଣ୍ଡାଙ୍କ ମାଧ୍ୟମରେ ମହାପ୍ରଭୁଙ୍କୁ କୋହିନୁର ହୀରା ଦାନ କରିବା ପାଇଁ ସଂକଳ୍ପ କରିଥିଲେ। ଏହି ହୀରା ଶ୍ରୀଜଗନ୍ନାଥଙ୍କୁ ଦାନ କରାଯାଇଥିବାରୁ ଏହା ମହାପ୍ରଭୁଙ୍କ ସମ୍ପତ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପ୍ରାର୍ଥନା ସହ ଆଗାମୀ ଦିନରେ ଏଥି ପାଇଁ ହଲାଣ୍ଡସ୍ଥିତ ଅନ୍ତର୍ଜାତୀୟ କୋର୍ଟରେ ଆଶ୍ରୟ ନିଆଯିବ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ବ୍ରିଟିସ ରାଣୀ ଏଲିଜା‌ବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ତାଙ୍କ ମୁକୁଟରେ ଶୋଭା ପାଉଥିବା କୋହିନୁର ହୀରାକୁ ନେଇ ବିବାଦ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର