ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଟାର୍ଗେଟରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ସୂୂଚନା ମିଳିଛି । ନଭେମ୍ବର ୩ତାରିଖରେ ବାଲାଂଦେଶ ବିରୋଧରେ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଏପରି ସୂଚନା ଦେଇଛି ଗୁଇନ୍ଦା ସଂସ୍ଥା । କୋହଲିଙ୍କ ସମେତ ଟିମ୍ ଇଣ୍ଡିଆର ଖେଳାଳିଙ୍କ ସୁରକ୍ଷା ବଢାଇବାକୁ ପରାମର୍ଶ ଦେଇଛି ଗୁଇନ୍ଦା ସଂସ୍ଥା । ଏ ନେଇ ବିସିସିଆଇକୁ ଚିଠି ଲେଖି ଜଣାଇଛି ଦିଲ୍ଲୀ ପୁଲିସ।
ମିଳିଥିବା ସୂଚନା ଅନୁସାରେ, ଏନଆଇଏକୁ ଏପରି ଏକ ଚିଠି ମିଳିଛି ଯେଉଁଥିରେ ଭାରତୀୟ କ୍ରିକେଟ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣର ଭୟ ରହିଥିବା ସୂଚନା ମିଳିଛି । ତେବେ ମୁଖ୍ୟତଃ କ୍ୟାପଟେନ ବିରାଟ କୋହଲି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ସୂଚନା ରହିଛି । ଏ ନେଇ ଦିଲ୍ଲୀ ପୁଲିସ ପକ୍ଷରୁ ବିସିସିଆଇକୁ ଏକ ଚିଠି ମଧ୍ୟ ଜାରି କରାଯାଇଛି । ତେବେ ଏହି ଚିଠି ଗୁଜବ ମଧ୍ୟ ହୋଇପାରେ ।
ଅନ୍ୟପଟେ ଖେଳାଳିଙ୍କ ପାଇଁ ସୁରକ୍ଷାକୁ କଡାକଡି କରାଯିବା ସହ ମ୍ୟାଚ ହେବାକୁ ଥିବା ଅରୁଣ ଜେଟଲୀ ଷ୍ଟାଡିୟମରେ ବି ସୁରକ୍ଷାକୁ ବଢାଇ ଦେବାକୁ ପ୍ରସ୍ତୁତି ରହିଛି । ଦିଲ୍ଲୀ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୋହଲିଙ୍କ ସମେତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ, ଲାଲକୃଷ୍ଣ ଆଡଭାନି, ଜେପି ନଡ୍ଡା ଓ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି ।