ନୂଆଦିଲ୍ଲୀ: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମ୍କୋର୍ଟ ପଶ୍ଚିମବଙ୍ଗ ସରକାରକୁ ଭର୍ତ୍ସନା କରିଛନ୍ତି। ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ମାମଲାର ଶୁଣାଣି କରି ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସୁରକ୍ଷା ପ୍ରୋଟକଲ ନିର୍ଦ୍ଧାରଣ ନିମନ୍ତେ ସୁପ୍ରିମ୍କୋର୍ଟ ଆଜି ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଏହି ୧୦ ଜଣିଆ ଟାସ୍କ ଫୋର୍ସରେ ବିଭିନ୍ନ ପୃଷ୍ଠଭୂମିର ଡାକ୍ତର ରହିଛନ୍ତି ଯେଉଁମାନେ ସମଗ୍ର ଭାରତରେ ସୁରକ୍ଷା ନୀତି ଅନୁସରଣ କରିବାକୁ ପରାମର୍ଶ ଦେବେ। ଏହାଦ୍ବାରା କାର୍ଯ୍ୟକ୍ଷେତ୍ରରେ ଡାକ୍ତରମାନେ ସେମାନଙ୍କ କାର୍ଯ୍ୟ ପରିବେଶରେ ସୁରକ୍ଷିତ ରହିବେ ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ଟାସ୍କ ଫୋର୍ସ ୩ ସପ୍ତାହ ମଧ୍ୟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।
ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏତଲା ଦାଖଲରେ ବିଳମ୍ବକୁ ନେଇ ଆର୍ଜି କର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ହସ୍ପିଟାଲକୁ ସୁରକ୍ଷା ଯୋଗାଇ ଦେବାକୁ ସିଆଇଏସ୍ଏଫ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପଶ୍ଚିମବଙ୍ଗ ସରକାରକୁ ସୁପ୍ରିମକୋର୍ଟ ତାଗିଦ କରିବା ସହ ଏହି ମାମଲା ପରିଚାଳନାରେ ପୁଲିସ ଭୀଷଣ ବିଭ୍ରାଟ କରିଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ଶୁଣାଣି ପ୍ରାରମ୍ଭରେ ଆଜି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ପୀଡ଼ିତାଙ୍କ ନାମ, ମୃତଦେହର ଫଟୋ ଓ ଭିଡିଓ କ୍ଲିପ୍ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି। ଆର୍ଜି କର ମେଡିକାଲ କଲେଜ ପ୍ରିନ୍ସିପାଲଙ୍କ ଆଚରଣ, ଏତଲା ରୁଜୁରେ ବିଳମ୍ବ ଏବଂ ଅଗଷ୍ଟ ୧୪ରେ ଜନପ୍ରତିବାଦ ସମୟରେ ଡାକ୍ତରଖାନାରେ ହୋଇଥିବା ଭଙ୍ଗାରୁଜାକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରକୁ ପ୍ରଶ୍ନ କରିଛନ୍ତି ଏବଂ ଏ ବାବଦରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୀଡ଼ିତାଙ୍କ ନାମ, ମୃତଦେହର ଫଟୋ ଓ ଭିଡିଓ କ୍ଲିପ୍ ଗଣମାଧ୍ୟମକୁ ଆସିଲା କେମିତି?
ଶବ ସତ୍କାରର ୩ ଘଣ୍ଟା ପରେ ଏତଲା ଦାଖଲ କାହିଁକି ହେବ?
ହସ୍ପିଟାଲ ପକ୍ଷରୁ କେହି ଏତଲା ରୁଜୁ କରି ନଥିଲେ କାହିଁକି?
ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ସତ୍ତ୍ବେ ହସ୍ପିଟାଲର ପ୍ରିନ୍ସିପାଲ ଏହାକୁ ଆତ୍ମହତ୍ୟା ବୋଲି କହିବାକୁ ଚେଷ୍ଟା କରିଥିଲେ ଏବଂ ପୀଡ଼ିତାଙ୍କ ପିତାମାତାଙ୍କୁ କିଛି ଘଣ୍ଟା ପାଇଁ ମୃତଦେହ ଦେଖିବାକୁ ଦିଆଯାଇ ନଥିଲା। ଏଭଳି ସ୍ଥିତିକୁ ନେଇ ଖଣ୍ଡପୀଠ ବିସ୍ମୟ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ ଏହାର କାରଣ ପଚାରିଥିଲେ। ଆରଜି କର ହସ୍ପିଟାଲରୁ ଇସ୍ତଫା ଦେବା ପରେ ଅଧ୍ୟକ୍ଷଙ୍କୁ କାହିଁକି ଅନ୍ୟ ଏକ ହସ୍ପିଟାଲରେ ଅତି ତରବରିଆ ଭାବେ ଦାୟିତ୍ୱ ଦିଆଗଲା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। ଏହାପରେ ଖଣ୍ଡପୀଠ ଏତଲାର ସମୟ ସମ୍ପର୍କରେ ପ୍ରଶ୍ନ କରିଥିଲେ। ସିବଲ କହିଥିଲେ ଯେ ଏତଲା ପଞ୍ଜୀକରଣରେ ବିଳମ୍ବ ହୋଇନାହିଁ ଏବଂ ପୁଲିସ ଯଥାରୀତି କାମ କରିଥିଲା।
ଏହାପରେ ସିଜେଆଇ ଦର୍ଶାଇଥିଲେ ଯେ ଶବ ବ୍ୟବଚ୍ଛେଦ ଅପରାହ୍ନ ୧ଟାରୁ ୪.୪୫ ମଧ୍ୟରେ କରାଯାଇଥିଲା। କିନ୍ତୁ ରାତି ପ୍ରାୟ ସାଢ଼େ ୮ଟାରେ ଶବ ସତ୍କାର ପାଇଁ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଅଥଚ ରାତି ୧୧ଟା ୪୫ମିନିଟରେ ଏତଲା ରୁଜୁ ହୋଇଥିଲା। ଶବ ସତ୍କାରର ୩ ଘଣ୍ଟା ପରେ ଏତଲା ଦାଖଲ କାହିଁକି ହେବା ପ୍ରଶ୍ନରେ ସିବଲ କହିଥିଲେ ଯେ ପୀଡିତାଙ୍କ ପରିବାରର ଅଭିଯୋଗ ଆଧାରରେ ହିଁ ଏତଲା ରୁଜୁ କରାଯାଇଛି। ସୁପ୍ରିମ୍କୋର୍ଟ ଏଥିରେ ପ୍ରଶ୍ନ କରିଥିଲେ ହସ୍ପିଟାଲ ପକ୍ଷରୁ କେହି ଏତଲା ରୁଜୁ କରି ନଥିଲେ କାହିଁକି? ହସ୍ପିଟାଲ କର୍ତ୍ତୃପକ୍ଷ କ’ଣ କରୁଥିଲେ? ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦରୁ ଜଣାପଡ଼ୁନାହିଁ କି ବୋଲି ସିଜେଆଇ ପଚାରିଥିଲେ।
ଅଗଷ୍ଟ ୧୪ ତାରିଖରେ ‘ରିଲିଭ୍ ଦି ନାଇଟ୍’ ବିକ୍ଷୋଭ ଅଭିଯାନ ସମୟରେ ହସ୍ପିଟାଲରେ ଘଟିଥିବା ଭଙ୍ଗାରୁଜାକୁ ନେଇ ମଧ୍ୟ ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପୁଲିସକୁ ପ୍ରଥମେ ଅପରାଧ ସ୍ଥଳକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବା ବଦଳରେ ଏଭଳି ବେପରୁଆ ଭାବେ କାମ କରୁଥିଲା କାହିଁକି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ପୁଲିସର ଜାଣତରେ ଏବଂ ସହଯୋଗରେ ହିଁ ହସ୍ପିଟାଲରେ ଭଙ୍ଗାରୁଜା ହୋଇଛି। ଏଭଳି ହୋଇନଥିଲେ ୭ ହଜାର ଲୋକଙ୍କ ସମାଗମ ଏକାଠି ହୋଇପାରିବ ନାହିଁ ବୋଲି ସେ କହିଥିଲେ। ଖଣ୍ଡପୀଠ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ଯେ କର୍ତ୍ତୃପକ୍ଷ କିପରି ଭଙ୍ଗାରୁଜାର ମୁକାବିଲା କରିବାରେ ସକ୍ଷମ ହୋଇନଥିଲେ ତାହା ଆମେ ବୁଝିପାରୁନାହୁଁ। ସଲିସିଟର ଜେନେରାଲ କହିଥିଲେ ଯେ ଏହି ପ୍ରସଙ୍ଗର ମୂଳ କାରଣ ହେଉଛି ପଶ୍ଚିମବଙ୍ଗ ପୁଲିସ ଏଭଳି ଜଣେ ଡିଆଇଜିଙ୍କ ଦାୟିତ୍ୱରେ କାର୍ଯ୍ୟ କରୁଛି, ଯିଏ ନିଜେ ବିଭିନ୍ନ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ତେବେ ସିବଲ ଏହି ଯୁକ୍ତିକୁ ଖଣ୍ଡନ କରିଛନ୍ତି।ସେ କହିଛନ୍ତି ଯେ ଭଙ୍ଗାରୁଜା ଘଟଣାରେ ୫୦ରୁ ଅଧିକ ଏଫଆଇଆର ରୁଜୁ ହୋଇଛି ଏବଂ ୩୭ ଜଣଙ୍କୁ ଗିରଫ କରାଯାଇଛି।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସହିତ ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗଷ୍ଟ ୨୨ ତାରିଖ ସୁଦ୍ଧା ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ କହିଛନ୍ତି। ହସ୍ପିଟାଲ ଭଙ୍ଗାରୁଜା ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ, କୋଲକାତାର ଆର୍ଜି କର ହସ୍ପିଟାଲରେ ଅଗଷ୍ଟ ୯ ତାରିଖରେ ଜଣେ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଏହି ଘଟଣାରେ ପରଦିନ କୋଲକାତା ପୁଲିସ ଜଣେ ନାଗରିକ ସ୍ୱେଚ୍ଛାସେବୀଙ୍କୁ ଗିରଫ କରିଥିଲା। କୋଲକାତା ପୁଲିସର ତଦନ୍ତ ନେଇ ସନ୍ତୁଷ୍ଟ ନ ହେବାରୁ ଅଗଷ୍ଟ ୧୩ତାରିଖରେ କୋଲକାତା ହାଇକୋର୍ଟ ସିବିଆଇ ତଦନ୍ତ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/supreme-court.jpg)