ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆଜି ତଦନ୍ତକାରୀ ସଂସ୍ଥା ସିବିଆଇ, ପଶ୍ଚିମବଙ୍ଗ ସରକାର, ଆଇନଜୀବୀ ଓ ଆନ୍ଦୋଳନରତ ଡାକ୍ତରଙ୍କ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳୁନଥିବାରୁ ଏବଂ ଅନ୍ୟ କିଛି ଅସଙ୍ଗତି ଥିବାରୁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଘଟଣା ଘଟିବାର ୧୪ ଘଣ୍ଟା ବିଳମ୍ବରେ ଏତଲା ରୁଜୁ ହେବା ନେଇ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, ପୀଡ଼ିତା ଡାକ୍ତରଙ୍କ ମରଶରୀର ଯେତେବେଳେ ବ୍ୟବଚ୍ଛେଦ ପାଇଁ ଦିଆଗଲା ସେ ସମୟରେ ମରଶରୀରର ଚାଲାଣ କୁଆଡ଼େ ଗଲା। ତେବେ ଏହି ସମୟରେ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ ଚାଲାଣ ତାଙ୍କ ରେକର୍ଡର ଅଂଶବିଶେଷ ନଥିଲା। କିନ୍ତୁ ଏହା ଗୁରୁତ୍ବପୂର୍ଣ୍ଣ କାରଣ, ମରଶରୀର ସହ ଆଉ କ’ଣ ପଠାଯାଇଛି ତାକୁ ରେକର୍ଡକୁ ନିଆଯାଏ। ସେ ମଧ୍ୟ କହିଛନ୍ତି, ଚାଲାଣ ନଥିଲେ ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର ମରଶରୀର ଗ୍ରହଣ କରିବେନି। ସିବିଆଇ ପାଖରେ ଏହି ଚାଲାଣ ନଥିବା ସେ କହିଥିଲେ। ଏହାପରେ ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ ଯେ ବିନା ଚାଲାଣରେ ତଥା ଔପଚାରିକ ଭାବେ ଅନୁରୋଧ କରାନଯିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଗଲା କିପରି?
ଶବ ବ୍ୟବଚ୍ଛେଦ କେଉଁ ସମୟରେ କରାଯାଇଛି ତା’ର ସମୟ ଦିଆଯାଇନଥିବା ସିବିଆଇ ପକ୍ଷରୁ ଖଣ୍ଡପୀଠକୁ ଅବଗତ କରିବାପରେ କୋର୍ଟ ଏହି ମାମଲାରେ ଅସ୍ବାଭାବିକ ମୃତ୍ୟୁ ରିପୋର୍ଟର ସମୟକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୋର୍ଟରେ ପକ୍ଷ ରଖି ବରିଷ୍ଠ ଆଇନଜୀବୀ କପିଲ ସିବଲ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ ଅପରାହ୍ନ ୧ଟା ୪୭ରେ ମୃତ୍ୟୁ ପ୍ରମାଣପତ୍ର ଦିଆଯାଇଥିଲା କିନ୍ତୁ ପୁଲିସ ଅସ୍ବାଭାବିକ ମୃତ୍ୟୁର ସମୟ ଅପରାହ୍ନ ୨ଟା ୫୫ ପକାଇଛି। ଏହି ସମୟରେ ସଲିସିଟର ଜେନେରାଲ ଶ୍ରୀ ମେହଟା କହିଥିଲେ ରେକର୍ଡ ଅନୁଯାୟୀ ରିପୋର୍ଟ ରାତି ୧୧ଟା ୩୦ରେ କରାଯାଇଛି। ସିବିଆଇ ମଧ୍ୟ କହିଛି ଯେ ଫରେନ୍ସିକ୍ ରିପୋର୍ଟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ନମୁନା ସଂଗ୍ରହ ଠିକ୍ ଭାବେ କରାଯାଇ ନ ଥିବା ଏବଂ ନମୁନା ସଂଗ୍ରହରେ ଅସଙ୍ଗତି ଥିବା ସିବିଆଇ ଦର୍ଶାଇଥିଲା। ଫରେନ୍ସିକ୍ ରିପୋର୍ଟ ପଢ଼ି ସିବିଆଇ ପକ୍ଷରୁ ଯୁକ୍ତି ରଖି ସଲିସିଟର ଜେନେରାଲ ଶ୍ରୀ ମେହଟା କହିଛନ୍ତି, ସକାଳ ୯ଟା ୩୦ରେ ମରଶରୀର ମିଳିବା ସମୟରେ ଶରୀରରୁ ଜିନ୍ସ କଢ଼ାଯାଇଥିଲା ଏବଂ ଶରୀର ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲା ଏବଂ ଗୁପ୍ତାଙ୍ଗରେ ଆଘାତ ଚିହ୍ନ ଥିଲା। ସେ କହିଥିଲେ ରକ୍ତ ନମୁନା ଏବଂ ଅନ୍ୟାନ୍ୟ ନମୁନାକୁ ୪ ଡିଗ୍ରି ସେଲସିୟସ୍ରେ ରଖାଯାଇନି। କାରଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ପ୍ରଥମ କିଛି ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ଏହାପରେ ପ୍ରଧାନ ବିଚାରପତି କହିଥିଲେ, ସେଥିପାଇଁ ଆମେ ପଚାରୁଛୁ ଆପଣଙ୍କ ପାଖରେ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ୍ ଅଛି କି ନାହିଁ। ସିବଲ ଏହାପରେ କହିଥିଲେ ଜଣେ ବିଚାରପତିଙ୍କ ଉପସ୍ଥିତିରେ ସବୁକିଛି ଭିଡିଓ ରେକର୍ଡ କରାଯାଇଛି।
ଡାକ୍ତରଙ୍କୁ ତୁରନ୍ତ କାମରେ ଯୋଗଦେବା ଲାଗି କହିଲେ
ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳୁନଥିବାରୁ ଅସନ୍ତୋଷ
୧୭ ସୁଦ୍ଧା ସଦ୍ୟ ରିପୋର୍ଟ ଦାଖଲ କରିବ ସିବିଆଇ
ଧୀର ସ୍ବରରେ କହିବାକୁ ଓକିଲଙ୍କୁ ତାଗିଦ୍
ସିବିଆଇ ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା। କିନ୍ତୁ କୋର୍ଟ ସିବିଆଇ ରିପୋର୍ଟକୁ ସମୀକ୍ଷା କରିବାପରେ ଏହି ମାମଲାରେ ସେପ୍ଟେମ୍ବର ୧୭ ସୁଦ୍ଧା ସଦ୍ୟ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ସରକାର ମଧ୍ୟ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। କପିଲ ସିବଲ ଏହି ରିପୋର୍ଟ ଦାଖଲ କରି କହିଥିଲେ ଯେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ୨୩ ରୋଗୀଙ୍କର ମୃତ୍ୟୁ ହେଲାଣି। ଡାକ୍ତରମାନେ ନିଜ ନିଜ ଡ୍ୟୁଟିକୁ ଫେରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାପାଇଁ ସେ ଅନୁରୋଧ କରିଥିଲେ। ଏହାପରେ ପ୍ରଧାନ ବିଚାରପତି କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଡାକ୍ତରମାନେ ସେମାନଙ୍କ କାମରେ ଯୋଗ ନଦିଅନ୍ତି ତେବେ ଆମେ ମଧ୍ୟ ରାଜ୍ୟ ସରକାରଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଅଟକାଇବୁନି। ସେପ୍ଟେମ୍ବର ୧୦ ସନ୍ଧ୍ୟା ୫ଟା ସୁଦ୍ଧା ଆନ୍ଦୋଳନରତ ଡାକ୍ତରମାନେ କାମରେ ଯୋଗ ଦେବାପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ଯେ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବାପରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନାହିଁ। ସେହିପରି ପୀଡ଼ିତାଙ୍କ ଫଟୋ ସୋସିଆଲ ମିଡିଆରୁ ତତ୍କାଳ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟରେ ଆଜି ଜଣେ ଓକିଲ କିଛି ଟିପ୍ପଣୀ ରଖିବା ସମୟରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉପରେ ରାଗି ଯାଇଥିଲେ। ଆଇନଜୀବୀ କୌସ୍ତଭ ବାଗ୍ଚୀଙ୍କ ବ୍ୟବହାରରେ ପ୍ରଧାନ ବିଚାରପତି ଅସନ୍ତୁଷ୍ଟ ହୋଇ ତାଙ୍କୁ ତାଙ୍କ ସ୍ବର କମାଇବା ପାଇଁ କହିଥିଲେ। ଆଜି ଶୁଣାଣି ସମୟରେ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କହିଥିଲେ ଯେ ଆନ୍ଦୋଳନରତ ଡାକ୍ତର କାର୍ଯ୍ୟରେ ଯୋଗ ଦେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନାହିଁ। ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବନି। ଏତିକି ବେଳେ ଆଇନଜୀବୀ ବାଗ୍ଚୀ କିଛି ଟିପ୍ପଣୀ ଦେଇଥିଲେ। ଏଥିରେ ସିବଲ ରାଗିଯାଇ ବାଗ୍ଚୀଙ୍କୁ ଇଙ୍ଗିତ କରି କହିଥିଲେ, ଏହି ଭଦ୍ରବ୍ୟକ୍ତି ଆନ୍ଦୋଳନ ସମୟରେ ପଥର ଫିଙ୍ଗୁଥିବା ଫଟୋ ଏବଂ ଭିଡିଓ ମୋ ପାଖରେ ଅଛି। ଏତିକି ବେଳେ ବାଗ୍ଚୀ ସିବଲଙ୍କ ବିରୋଧରେ ତାଙ୍କ ସ୍ବର ଉତ୍ତୋଳନ କରିବାରୁ ପ୍ରଧାନ ବିଚାରପତି ରାଗି ଯାଇଥିଲେ।। ପ୍ରଧାନ ବିଚାରପତି କହିଥିଲେ, ‘ପ୍ରଥମେ ନିଜ ସ୍ବର କମାଅ। ବାଗ୍ଚୀ ଏହାପରେ କ୍ଷମା ମାଗିଥିଲେ। ଏଥିସହ ସୁପ୍ରିମକୋର୍ଟ ଆଜି ପଶ୍ଚିମବଙ୍ଗ ସରକାରଙ୍କର ଜଣେ ବରିଷ୍ଠ ଅଫିସରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଆର୍ଜି କର ହସ୍ପିଟାଲର ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଥିବା ସିଆଇଏସ୍ଏଫ୍ର ସମସ୍ତ ୩ଟି କମ୍ପାନିକୁ ବାସସ୍ଥାନ ଯୋଗାଇବାର ନିଶ୍ଚିତ କର।