କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଜି ସନ୍ଧ୍ୟାରେ କନିଷ୍ଠ ଡାକ୍ତରଙ୍କ ବୈଠକ ଉଦ୍ୟମ ଶେଷ ମୁହୂର୍ତ୍ତରେ ଭଣ୍ଡୁର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିବା କନିଷ୍ଠ ଡାକ୍ତରଙ୍କ ପ୍ରତିନିଧିଦଳ ଆଲୋଚନା ନକରି ଫେରିଆସିଛନ୍ତି। ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି ଯେ ସରକାର ଅପରାହ୍ନରେ ସବୁ ସର୍ତ୍ତ ପୂରଣ କରାଯିବ କହି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆମକୁ ଡକାଇଥିଲେ ଏବଂ ସନ୍ଧ୍ୟାରେ ବିଭିନ୍ନ ଆଳ ଦେଖାଇ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲେ। ଏହି କାରଣ ପାଇଁ ଆମେ ଫେରିବାକୁ ବାଧ୍ୟ ହେଲୁ ବୋଲି କନିଷ୍ଠ ଡାକ୍ତରମାନେ କହିଛନ୍ତି। ଅନ୍ୟପକ୍ଷରେ ମମତା କହିଛନ୍ତି, ଆମେ ସବୁ ପ୍ରସଙ୍ଗରେ ଖୋଲା ଆଭିମୁଖ୍ୟ ରଖି ଆଲୋଚନା ପାଇଁ ଡାକିଥିଲୁ ଏବଂ ସେମାନେ ଆଲୋଚନା ଚାହୁନାହାନ୍ତି। ମୋତେ ଏଭଳି ବାରମ୍ବାର ଅପମାନ କରନାହିଁ ବୋଲି ମମତା କହିଛନ୍ତି। ସୂଚନାଯୋଗ୍ୟ, ଡାକ୍ତରମାନେ ପୁଣି ବୈଠକର ସିଧା ପ୍ରସାରଣ ପାଇଁ ଅଡ଼ି ବସିବା ଏବଂ ଆର୍‌ଜି କର ହସ୍ପିଟାଲ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଚାହିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପ୍ରବଳ ବର୍ଷା ମଧ୍ୟରେ ଆନ୍ଦୋଳନରତ ଡାକ୍ତରମାନେ କୋଲକାତା କାଳିଘାଟ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଏକ ବସ୍‌ରେ ଆସି ସନ୍ଧ୍ୟା ୬.୪୫ରେ ପହଞ୍ଚିଥିଲେ। ପ୍ରଥମେ କନିଷ୍ଠ ଡାକ୍ତରମାନେ ମମତାଙ୍କ ବାସଭବନ ବାହାରେ ମୁଖ୍ୟ ସଚିବଙ୍କ ସହ ପ୍ରଥମ ରାଉଣ୍ଡ୍‌ ବୈଠକ କରିଥିଲେ ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବା ପୂର୍ବରୁ କେତେକ ପ୍ରସଙ୍ଗରେ ସହମତି ହୋଇନଥିଲା। 

Advertisment

ସରକାର କନିଷ୍ଠ ଡାକ୍ତର ସଂଘର ୧୫ ଜଣ ପ୍ରତିନିଧିଙ୍କୁ ବୈଠକ ପାଇଁ ଡାକିଥିବା ବେଳେ ୩୦ରୁ ଅଧିକ ଡାକ୍ତର ବୈଠକ ପାଇଁ ଧାର୍ଯ୍ୟ ସମୟର ୧୫ ମିନିଟ୍‌ ପୂର୍ବରୁ ପହଞ୍ଚିଥିଲେ। ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭିଡିଓଗ୍ରାଫରଙ୍କ ସହ ପହଞ୍ଚିଥିବାରୁ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାରୁ ଏହାର ଜୋରଦାର ବିରୋଧ କରାଯାଇଥିଲା। ମମତା ବାନାର୍ଜୀ ରାତି ୮.୨୫ରେ ଘର ବାହାରକୁ ବାହାରି ଆନ୍ଦୋଳନରତ ଡାକ୍ତରଙ୍କୁ ତାଙ୍କ ଘରକୁ ଆସିବାପାଇଁ ଅନୁରୋଧ କରିଥିଲେ। ମମତା କହିଥିଲେ, ମୁଁ ଆପଣମାନଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି, ଦୟାକରି ଘର ଭିତରକୁ ଆସନ୍ତୁ। ଯଦି ଆପଣମାନେ ବୈଠକ ଚାହୁନାହାନ୍ତି ତେବେ ଅନ୍ତତଃ ମୋ ସହ ଆସି ଚା’ ପିଅନ୍ତୁ। ଆପଣମାନେ କାହିଁକି ବାରମ୍ବାର ମୋତେ ଅପମାନିତ କରୁଛନ୍ତି। ମୁଁ ଆପଣଙ୍କୁ ଅପେକ୍ଷା କରିଥିଲେ ବି ଏମିତି ଲାଗୁଛି ଯେ ଆପଣମାନେ ମୋତେ ସାକ୍ଷାତ କରିବାକୁ ଚାହାନ୍ତିନି। ଏବେ ରାଜନୀତି କଥା ଭୁଲିଯା‌ଆନ୍ତୁ। ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଲାଇଭ୍‌ଷ୍ଟ୍ରିମିଂ ହୋଇପାରିବନି, କିନ୍ତୁ ବୈଠକର ରେକର୍ଡିଂ କରି ପରେ ସୁପ୍ରିମକୋର୍ଟଙ୍କ ଅନୁମତିକ୍ରମେ ଏହା ଆପଣମାନଙ୍କୁ ଦିଆଯିବ ବୋଲି ମମତା କହିଥିଲେ। ତେବେ ବୈଠକ ପାଇଁ ସରକାରଙ୍କ ଆନ୍ତରିକତା ନଥିବାରୁ କେବଳ ଲୋକ ଦେଖାଣିଆ ଭାବେ ଏଭଳି ବୈଠକ କଥା କୁହାଯାଉଛି ଏବଂ ସରକାର ଆମ ସହ ଖେଳୁଛନ୍ତି ବୋଲି କନିଷ୍ଠ ଡାକ୍ତରମାନେ କହିଛନ୍ତି। ଅପରାହ୍ନରେ ଆମ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ସନ୍ଧ୍ୟାରେ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାରୁ ବୈଠକ ହୋଇପାରିଲାନି ବୋଲି ଆନ୍ଦୋଳନକାରୀ ଡାକ୍ତରମାନେ ଅଭିଯୋଗ କରିଛନ୍ତି।

ମୋତେ ଅପମାନିତ କରନାହିଁ: ମୁଖ୍ୟମନ୍ତ୍ରୀ
ସରକାର ଆମ ସହ ଖେଳୁଛି: ଡାକ୍ତର

ସକାଳେ ଅଚାନକ ଡାକ୍ତରଙ୍କୁ ଭେଟିଥିଲେ

କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିବା କନିଷ୍ଠ ଡାକ୍ତରଙ୍କୁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିଛନ୍ତି। କୋଲକାତାର ସଲ୍ଟ ଲେକ୍‌ ସ୍ଥିତ ସ୍ବାସ୍ଥ୍ୟ ଭବନ ନିକଟରେ କନିଷ୍ଠ ଡାକ୍ତରମାନେ ଆନ୍ଦୋଳନରେ ବସିଥିବା ବେଳେ ମୁଖ୍ୟମନ୍ତ୍ରୀ ଅପରାହ୍ନ ଗୋଟା‌ଏରେ ସେଠାରେ ଅଚାନକ ପହଞ୍ଚିଥିଲେ। ଆନ୍ଦୋଳନରତ ଡାକ୍ତରମାନଙ୍କ ସ୍ଲୋଗାନ୍‌ ମଧ୍ୟରେ ମମତା ବଙ୍ଗଳାରେ କହିଥିଲେ, ଦୟାକରି ୫ ମିନିଟ୍‌ ପାଇଁ ମୋ କଥା ଶୁଣନ୍ତୁ ଏବଂ ତା’ ପରେ ସ୍ଲୋଗାନ୍‌ ଦେବେ। ଏହା ଆପଣମାନଙ୍କର ଗଣତା‌ନ୍ତ୍ରିକ ଅଧିକାର। ମୁଁ ଦୀର୍ଘ ସମୟ ଧରି ଅପେକ୍ଷା କଲିଣି। ମୋ ସୁରକ୍ଷାକର୍ମୀଙ୍କ ଉପଦେଶକୁ ଅଣଦେଖା କରି ଏଠାରେ ଆପଣଙ୍କ ଆନ୍ଦୋଳନକୁ ସାଲ୍ୟୁଟ୍‌ କରିବାପାଇଁ ଆସିଛି। ମୁଁ ମଧ୍ୟ ଛାତ୍ର ଆନ୍ଦୋଳନର ଏକ ଅଂଶ ଥିଲି। ମୁଁ ଭଲଭାବେ ଜାଣେ ଯେ ମୋ ପଦବି ଆଦୌ ବଡ଼ ନୁହେଁ, ବରଂ ଆପଣମାନଙ୍କ ସ୍ବର ଏହାଠାରୁ ବଡ଼। ସାରା ରାତି ବର୍ଷାରେ ଆପଣମାନେ ଭିଜୁଛନ୍ତି। ମତେ ଖୁବ୍‌ ଖରାପ ଲାଗୁଛି ବୋଲି ମୁଁ ଏଥିପାଇଁ ଶୋଇପାରୁନି। ମମତା ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟକୁ ଫେରିବାପାଇଁ ଅନୁରୋଧ କରିଛନ୍ତି ଏବଂ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମମତା କହିଥିଲେ, ଆପଣମାନଙ୍କ ଦାବିକୁ ଭଲଭାବେ ଅନୁଧ୍ୟାନ କରିବି। ସରକାର ମୁଁ ଏକା ଚଳାଉନି। ମୁଖ୍ୟ ସଚିବ, ଗୃହ ସଚିବ ଏବଂ ଡିଜିପିଙ୍କ ସହ ଏହି ବିଷୟରେ ମୁଁ କଥା ହେବି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ମୁଁ ନ୍ୟାୟ ଚାହେ। ଆପଣଙ୍କ ମଞ୍ଚ ପକ୍ଷରୁ ମୁଁ ମାମଲାର ତ୍ବରିତ ତଦନ୍ତ ପାଇଁ ସିବିଆଇକୁ ଅନୁରୋଧ କରିବି ବୋଲି ସେ କହିଥିଲେ।
ଆନ୍ଦୋଳନକାରୀ ଡାକ୍ତରଙ୍କୁ ଭାବପ୍ରବଣ ଆବେଦନ କରି ମମତା କହିଥିଲେ, ଏହି ସଙ୍କଟର ସମାଧାନ ପାଇଁ ଏହା ମୋର ଶେଷ ଉଦ୍ୟମ। ଯଦି ଆପଣମାନେ ମୋ ଉପରେ ବିଶ୍ବାସ ରଖୁଛନ୍ତି ତେବେ ମୁଁ ଆପଣମାନଙ୍କ ଅଭିଯୋଗ ଶୁଣିବି। ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର ଅଛି। ତେବେ ମୁଁ ଚା‌ହେନା ଆପଣମାନେ ଏଭଳି କଷ୍ଟ ପାଆନ୍ତୁ। ମୁଖ୍ୟମନ୍ତ୍ରୀ ଭାବେ ନୁହେଁ ବରଂ ଆପଣମାନଙ୍କ ବଡ଼ ଭଉଣୀ ଭାବେ ମୁଁ ଏଠାକୁ ଆସିଛି ବୋଲି ମମତା କହିଥିଲେ।