କୋଲକାତା: କୋଲକାତା ପୁଲିସର ଗୁପ୍ତଚର ବିଭାଗ (ଡିଟେକ୍ଟିଭ୍ ଡିପାର୍ଟମେଣ୍ଟ୍) ୩୧ ବର୍ଷୀୟା ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ରାଜ୍ୟ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟ କରୁଥିବା ତିନିଜଣ ଡାକ୍ତର ଏବଂ ଜଣେ ଗୃହରକ୍ଷୀ କର୍ମଚାରୀଙ୍କୁ ପଚରାଉଚରା କରିବ ବୋଲି ଆଶା କରାଯାଉଛି। ସକାଳ ୧୧ଟା ପରେ ସେମାନଙ୍କୁ ମୁଖ୍ୟାଳୟରେ ପୁଲିସ ନିକଟରେ ହାଜର ହେବାକୁ କୁହାଯାଇଛି। ତେବେ ମେଡିକାଲ୍ କଲେଜର ପ୍ରିନ୍ସିପାଲ୍ ତାଙ୍କର ଇସ୍ତଫା ଦେଇଥିବା ସୂଚନା ରହିଛି।
ପୁଲିସ୍ ସୂତ୍ର ଅନୁଯାୟୀ, ଯେଉଁମାନଙ୍କୁ ପଚାରାଉଚରା କରାଯିବ ସେମାନେ ହେଉଛନ୍ତି ଜଣେ ଇଣ୍ଟର୍ଣ୍ଣ ଡାକ୍ତର, ଦୁଇଜଣ ଟ୍ରେନି ଡାକ୍ତର। ସେମାନେ ଛାତି ଚିକିତ୍ସା ବିଭାଗର ପ୍ରଥମ ବର୍ଷର ସ୍ନାତକୋତ୍ତର ଛାତ୍ର ଏବଂ ଗୃହରକ୍ଷୀ କର୍ମଚାରୀ ବୋଲି ଜଣାପଡ଼ିଛି।
ଡକରା ପାଇଥିବା ଚାରି ଜଣ ବ୍ୟକ୍ତି ଅଗଷ୍ଟ ୯ ତାରିଖରେ ରାତି ଡ୍ୟୁଟିରେ ଥିଲେ, ଯେଉଁ ଦିନ ଟ୍ରେନି ଡାକ୍ତରଙ୍କ ଅର୍ଦ୍ଧ ନଗ୍ନ ଶରୀର ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକ ଘଟଣା ପୂର୍ବରୁ ପୀଡିତାଙ୍କ ସହ ରାତ୍ରୀ ଭୋଜନ କରିଥିଲେ।
ଟ୍ରେନିଂ ଡାକ୍ତରଙ୍କ ଦେହରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଏକ ସେମିନାର ହଲରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ହତ୍ୟା ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇ ୧୪ ଦିନିଆ ପୁଲିସ ହେପାଜତକୁ ପଠାଯାଇଛି।
ଏହି ଘଟଣାକ ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ରାଜ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି। ଡାକ୍ତରୀ ଛାତ୍ର ଏବଂ ଡାକ୍ତରମାନେ ଏହାକୁ ନେଇ ମିଳିତ ସ୍ବର ଉଠାଇଛନ୍ତି।
ସୋମବାର ଦିନ ଆର.ଜି କର କଲେଜର ବାହ୍ୟ କେନ୍ଦ୍ର ବନ୍ଦ ଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ, ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତରମାନେ ଧର୍ମଘଟ କରି କୋଲକାତାର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ବିକ୍ଷୋଭକାରୀ ଡାକ୍ତରମାନେ ଏହି ଘଟଣାର ସିବିଆଇ ତଦନ୍ତ ତଥା ଦେଶର ଡାକ୍ତରଖାନାଗୁଡ଼ିକରେ ଚିକିତ୍ସକଙ୍କ ସୁରକ୍ଷା ଦାବି କରିଛନ୍ତି।