କୋଲକାତା: ଦକ୍ଷିଣ କୋଲକାତା ଲ’ କଲେଜ ପରିସରରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ କୋଲକାତା ପୁଲିସ ଶନିବାର ଜଣେ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତୃଣମୂଳ କଂଗ୍ରେସ ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯିବା ପରେ ଏହା ହେଉଛି ଚତୁର୍ଥ ଗିରଫଦାରୀ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗଣଦୁଷ୍କର୍ମ ସମୟରେ ସିକ୍ୟୁରିଟି ଗାର୍ଡ ପିନାକୀ ବାନାର୍ଜୀ ଉପସ୍ଥିତ ଥିଲେ ବୋଲି  ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତଙ୍କ ନିର୍ଦ୍ଦେଶକ୍ରମେ ସେ ମହିଳାଙ୍କୁ ଏକୁଟିଆ ଛାଡି ନିଜ ଗାର୍ଡ ରୁମ୍‌ରୁ ବାହାରି ଯାଇଥିଲେ। ପୀଡ଼ିତା ବାରମ୍ବାର ସାହାଯ୍ୟ ପାଇଁ ଅନୁରୋଧ କରିବା ସତ୍ତ୍ୱେ ଗାର୍ଡ ତାଙ୍କୁ ସାହାଯ୍ୟ କରି ନ ଥିଲେ। ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କିମ୍ବା ପୁଲିସକୁ ଜଣାଇବା ତାଙ୍କ ଦାୟିତ୍ୱ, କିନ୍ତୁ ସେ ତାହା କରି ନ ଥିଲେ। ପଚରାଉଚରା ବେଳେ ତାଙ୍କର ଅବହେଳା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ଗଣଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ କୋଲକାତା ପୁଲିସ ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍ଆଇଟି) ଗଠନ କରିଛି। ଏହି ମାମଲା ସମଗ୍ର ପଶ୍ଚିମବଙ୍ଗରେ  ଆଲୋଡ଼ନ ସୃଷ୍ଟି କରିଛି ଏବଂ ଶାସକ ଟିଏମ୍‌ସି ଓ ବିଜେପି ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଗତ ୨୫ ତାରିଖରେ ମୁଖ୍ୟ ଅଭିଯୁକ୍ତ କଲେଜର ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ ୟୁନିଟ୍‌ର ପୂର୍ବତନ ସଭାପତି ତଥା ଟିଏମ୍‌ସିର ଛାତ୍ର ସଂଗଠନର ଦକ୍ଷିଣ କୋଲକାତା ଶାଖାର ସାଂଗଠନିକ ସମ୍ପାଦକ ମନୋଜିତ ମିଶ୍ର ୨୪ ବର୍ଷୀୟା ଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡଙ୍କ କୋଠରି ଭିତରେ ଘଣ୍ଟା ଘଣ୍ଟା ଧରି ଦୁଷ୍କର୍ମ କରିଥିଲା। ଅନ୍ୟ ଦୁଇ ଜଣ (ବର୍ତ୍ତମାନର ଛାତ୍ର) ଠିଆ ହୋଇ ଏହି ଅପରାଧ ଦେଖୁଥିଲେ। ଶୁକ୍ରବାର ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରକୁ ବୁଧବାର ଗିରଫ କରାଯାଇଥିବା ବେଳେ ସହଅଭିଯୁକ୍ତ ପ୍ରଥମ ବର୍ଷର ଛାତ୍ର ଜାଇବ ଅହମଦ (୧୯) ଓ ଦ୍ୱିତୀୟ ବର୍ଷର ଛାତ୍ର ପ୍ରମିତ ମୁଖାର୍ଜୀକୁ ଗୁରୁବାର ଗିରଫ କରାଯାଇଛି।
ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ପରୀକ୍ଷା ପାଇଁ ଫର୍ମ ଦାଖଲ କରିବାକୁ କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ତାଙ୍କୁ ବଳପୂର୍ବକ ଗାର୍ଡ ରୁମ୍‌କୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ପୋଷାକ ଉତାରି ଦୁଷ୍କର୍ମ କରାଯାଇଥିଲା। ମିଶ୍ରଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ ପରେ ଭିଡିଓ ବ୍ୟବହାର କରି ତାଙ୍କୁ ବ୍ଲାକମେଲ୍ କରିବାକୁ ଧମକ ଦିଆଯାଇଥିଲା। ଡାକ୍ତରୀ ମାଇନାରୁ ଦୁଷ୍କର୍ମ ଅଭିଯୋଗ ପ୍ରମାଣିତ ହୋଇଥିବା ବେଳେ ତାଙ୍କ ଦେହରେ କାମୁଡ଼ା ଚିହ୍ନ ଓ ନଖ ଆମ୍ପୁଡ଼ା ଚିହ୍ନ ଥିବା ପୁଲିସ କହିଛି।  ପୀଡ଼ିତାଙ୍କୁ ମାରପିଟ କରାଯାଇଥିବା ଜଣାପଡ଼ିଛି। କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ସିଏନ୍‌ଏମ୍‌ସି)ରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା। 
    ଏହି ଘଟଣା ପରେ ପଶ୍ଚିମବଙ୍ଗରେ ରାଜନୈତିକ ହଟଚମଟ ସୃଷ୍ଟି ହେବା ସହ ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ଏହାର ଛାତ୍ର ଶାଖାର ଜଣେ ନେତାଙ୍କ ସମ୍ପୃକ୍ତି ଥିବାରୁ ବିଜେପି ତୃଣମୂଳ କଂଗ୍ରେସକୁ କଡ଼ା ସମାଲୋଚନା କରିଛି। କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ସ୍ନାତକୋତ୍ତର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନ ଲିଭୁଣୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ଏହି ଗଣଦୁଷ୍କର୍ମକୁ ନିନ୍ଦା କରିବା ସହ ଏହି ଘଟଣାର ରାଜନୀତିକରଣ ନ କରିବାକୁ କହିଛି।