କୋଲକାତା: ରାମନବମୀ ସମୟରେ ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ କାଲକାଟା ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଆଇନଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ ଆଗକୁ ହନୁମାନ ଜୟନ୍ତୀ ଆସୁଥିବାବେଳେ ଏହି ସମୟରେ ଯେଭଳି ହିଂସା ନ ହେବ ସେନେଇ ବ୍ୟବସ୍ଥା କରନ୍ତୁ | ଯେଉଁ ଅଂଚଳରେ ସରକାର ୧୪୪ ଧାରା ଲଗାଇଛନ୍ତି, ସେଠାରେ ଯେଭଳି ଶୋଭାଯାତ୍ରା ନ ବାହାରିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ |
ଯଦି ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥା କରିବାକୁ ସକ୍ଷମ ହେଉନାହାନ୍ତି, ତେବେ ସେହି ଅଞ୍ଚଳରେ ପାରାମିଲିଟାରି ଫୋର୍ସ ନିୟୋଜିତ ହେବା ଉଚିତ୍। ଅନ୍ୟପଟେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହନୁମାନ ଜୟନ୍ତୀର ପ୍ରସ୍ତୁତି ସମ୍ପର୍କରେ ସମସ୍ତ ରାଜ୍ୟକୁ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି | ଏଥିରେ ରାଜ୍ୟ ସରକାର ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ କହିଛନ୍ତି | ଏପ୍ରିଲ ୬ରେ ହନୁମାନ ଜୟନ୍ତୀ ପାଳନ କରାଯିବ। ବାସ୍ତବରେ, ରାମନବମୀରେ ବିହାର ଏବଂ ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ହିଂସା ହୋଇଥିବାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଦେଇଛନ୍ତି । ସେଥିପାଇଁ ହନୁମାନ ଜୟନ୍ତୀରେ ସମସ୍ତ ରାଜ୍ୟକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।