କୋଲକାତା: କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ସ୍ନାତକୋତ୍ତର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଗୁରୁବାରଠାରୁ ସୁପ୍ରିମ୍‌କୋର୍ଟରେ ପୁଣି ଆରମ୍ଭ ହୋଇଛି। ଶୁଣାଣି ସମୟରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କୋଲକାତା ପୁଲିସକୁ ଭର୍ତ୍ସନା କରିଛନ୍ତି। ସମଗ୍ର ମାମଲାରେ କୋଲକାତା ପୁଲିସ ଯେଉଁଭଳି ପ୍ରକ୍ରିୟା ଅନୁସରଣ କରିଛି ଏବଂ ଯେଭଳି ଆଚରଣ ଦେଖାଇଛି ତାହା ନିତାନ୍ତ ବେପରୁଆ ଓ ସମ୍ବେଦନହୀନ ବୋଲି ଖଣ୍ଡପୀଠ କହିଥିବା ବେଳେ ଏଭଳି ଘଟଣା ଆମେ ଗତ ୩୦ ବର୍ଷ ମଧ୍ୟରେ ଦେଖିନାହୁଁ ବୋଲି ମନ୍ତବ୍ୟ ଦେଇଛନ୍ତି। ପୀଡ଼ିତାଙ୍କ ଶରୀର ଭିତରୁ ମିଳିଥିବା ‘୧୫୧ ଗ୍ରାମ୍ ସିମେନ୍’ ସିଦ୍ଧାନ୍ତକୁ ଖଣ୍ଡନ କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ କଡ଼ା ସମାଲୋଚନା କରି ଖଣ୍ଡପୀଠ କହିଛନ୍ତି ଯେ କୋର୍ଟରେ ଯୁକ୍ତି ପାଇଁ ସୋସିଆଲ ମିଡିଆ ତଥ୍ୟ ଉପରେ ନିର୍ଭର କରିବା ଉଚିତ ନୁହେଁ।

Advertisment

ମୁଖ୍ୟ ବିଚାରପତି ଆନ୍ଦୋଳନରତ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ଅନୁରୋଧ କରିବା ସହ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଅଛନ୍ତି। ସୁପ୍ରିମ୍‌କୋର୍ଟରେ ଦାଖଲ ଷ୍ଟାଟସ୍ ରିପୋର୍ଟରେ ସିବିଆଇ କହିଛି ଯେ କ୍ରାଇମ୍ ସିନ୍‌ରେ ପରିବର୍ତ୍ତନ କରାଯାଇଥିଲା ଏବଂ ପୀଡ଼ିତାଙ୍କ ପରିବାରକୁ ଝିଅର ମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ଦର୍ଶାଇ ବିଭ୍ରାନ୍ତ କରାଯାଇଥିଲା। ଗିରଫ ଅଭିଯୁକ୍ତ ସଂଜୟ ରାୟର ଏହି ମାମଲାରେ ସମ୍ପୃକ୍ତି ଥିବା ଏଯାବତ୍ ତଦନ୍ତରୁ ଜଣାପଡ଼ିଛି। ଅଗଷ୍ଟ ୯ ତାରିଖରେ ଆର୍‌ଜି କର ହସ୍ପିଟାଲର ସେମିନାର ହଲ୍‌ରୁ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କ ଅର୍ଦ୍ଧନଗ୍ନ ମୃତଦେହ ମିଳିବାର ଗୋଟିଏ ଦିନ ପରେ କୋଲକାତା ପୁଲିସର ନାଗରିକ ସ୍ୱେଚ୍ଛାସେବୀ ରାୟକୁ ଗିରଫ କରାଯାଇଥିଲା।

ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ କ’ଣ କହିଲେ?:
୧. ଆମ ନିକଟରେ ପ୍ରକୃତ ଶବ ବ୍ୟବଚ୍ଛେଦ ରିପୋର୍ଟ ଅଛି ଏବଂ ଆମେ ଜାଣିଛୁ ଯେ ୧୫୦ ଗ୍ରାମ୍ ସିମେନ କ’ଣ ସୂଚାଉଛି। ଦୟାକରି ନିଜର ଯୁକ୍ତି ରଖିବା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରନ୍ତୁ ନାହିଁ।
୨. ସେମାନେ ସମସ୍ତେ କାମକୁ ଫେରିଯାଆନ୍ତୁ। ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବା ପରେ ଆମେ କର୍ତ୍ତୃପକ୍ଷଙ୍କୁ ପ୍ରତିକୂଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ବାଧ୍ୟ କରିବୁ। ଯଦି ସେମାନେ କାର୍ଯ୍ୟ ଆରମ୍ଭ ନ କରନ୍ତି ତେବେ ସାଧାରଣ ପ୍ରଶାସନିକ ଢାଞ୍ଚା କେମିତି ଚାଲିବ?
୩. କମିଟି (ନ୍ୟାସନାଲ ଟାସ୍କ ଫୋର୍ସ) ସମସ୍ତ ପ୍ରତିନିଧିଙ୍କ କଥା ଶୁଣିବ ବୋଲି ସୁନିଶ୍ଚିତ କରିବ। ରେସିଡେଣ୍ଟ (ଆବାସିକ) ଡାକ୍ତରଙ୍କ କଥା ଶୁଣାଯିବ, ଆପଣଙ୍କ ବିବୃତି ଓ ସୂଚନା ବହୁତ ଗୁରୁତ୍ବପୂର୍ଣ୍ଣ।
୪. ଯଦି ଆମେ ସମସ୍ତ ଅଂଶୀଦାରଙ୍କ ପ୍ରତିନିଧିଙ୍କୁ କମିଟିରେ ସାମିଲ ହେବାକୁ କହିବୁ ତେବେ କମିଟିର କାର୍ଯ୍ୟ ବାଧାପ୍ରାପ୍ତ ହେବ। ଆମେ ଜାଣିଛୁ ଯେ କମିଟିରେ ବରିଷ୍ଠ ମହିଳା ଡାକ୍ତର ଅଛନ୍ତି ଏବଂ ସେମାନେ ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି। କମିଟି ସୁନିଶ୍ଚିତ କରିବ ଯେ ସମସ୍ତ ପ୍ରତିନିଧିଙ୍କ କଥା ଶୁଣାଯିବ।
୫. ଆମେ ଜାଣିଛୁ ଯେ ଡାକ୍ତରମାନେ ୩୬ ଘଣ୍ଟା କାମ କରୁଛନ୍ତି ।
୬. ବେଳେବେଳେ ଡାକ୍ତରଙ୍କ ଡ୍ୟୁଟି ପାଖାପାଖି ୪୮ ଘଣ୍ଟା ହୋଇଯାଏ, ସେତେବେଳେ ଯଦି କେହି ଆପଣଙ୍କୁ ଚିଡ଼ାନ୍ତି ତେବେ ଆପଣ ଶାରୀରିକ କିମ୍ବା ମାନସିକ ଭାବେ ପ୍ରତିରୋଧ କରିବା ଅବସ୍ଥାରେ ନ ଥାନ୍ତି।
୭. ପଶ୍ଚିମବଙ୍ଗ ସରକାରଙ୍କ ଓକିଲ କପିଲ ସିବଲଙ୍କୁ ପ୍ରଶ୍ନ: ଗୋଟିଏ ଦିଗ ଅତ୍ୟନ୍ତ ଚିନ୍ତାଜନକ, ସକାଳ ୧୦ଟା ୧୦ମିନିଟରେ ମୃତ୍ୟୁର ଜିଡି (ଜେନେରାଲ ଡାଏରୀ) ଏଣ୍ଟ୍ରି ରେକର୍ଡ କରାଯାଇଛି। ରାତି ସାଢ଼େ ୧୧ଟାରେ ଅପରାଧ ସ୍ଥଳକୁ ଯାଇ ଜବତ ଇତ୍ୟାଦି କରାଯାଇଥିଲା। ସେତେବେଳ ଯାଏ କ’ଣ ହେଉଥିଲା?
୮. ରାଜ୍ୟ ଦ୍ୱାରା ଅନୁସରଣ କରାଯାଇଥିବା ସମସ୍ତ ପ୍ରକ୍ରିୟା ଓ ପୁଲିସର ଆଚରଣ ମୁଁ (ଜଷ୍ଟିସ ପାର୍ଦିୱାଲା) ମୋ ଜୀବନର ୩୦ ବର୍ଷ ମଧ୍ୟରେ ଦେଖିନାହିଁ। ପ୍ରଥମ କଥା, ଏହା କ’ଣ ସତ ଯେ ୟୁଡି (ଅପ୍ରାକୃତିକ ମୃତ୍ୟୁ) ପୂର୍ବାହ୍ଣ ୧୦ଟା ୩୦ରେ ରେକର୍ଡ କରାଯାଇଥିଲା? ଦ୍ବିତୀୟତଃ ଏହି ସହକାରୀ ଅଧୀକ୍ଷକ ଅଣମେଡିକାଲ ମହିଳା ଜଣକ କିଏ, ତାଙ୍କର ଆଚରଣ ମଧ୍ୟ ଅତ୍ୟନ୍ତ ସନ୍ଦେହଜନକ। ସେ କାହିଁକି ଏଭଳି ଆଚରଣ କଲେ?
୯. ଦୟାକରି ଏଠାରେ ଜଣେ ଦାୟିତ୍ୱବାନ ପୁଲିସ ଅଧିକାରୀଙ୍କୁ ଉପସ୍ଥିତ ରଖନ୍ତୁ। ୟୁଡି ମାମଲା କେତେବେଳେ ପଞ୍ଜୀକୃତ ହେଲା ତାହାର ଉତ୍ତର ଆମେ ଏପର୍ଯ୍ୟନ୍ତ ପାଇନାହୁଁ।
୧୦. ଯଦି ରିପୋର୍ଟରେ ଦର୍ଶାଯାଇଛି ଯେ ଥାନାକୁ ଫେରିବା ପରେ ଓ ମା’ଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ପରେ ରିପୋର୍ଟ ରେକର୍ଡ କରାଯାଇଥିଲା, ଯଦି ପୁଲିସ କହୁଛି ରାତିରେ ଜିଡି ୮୬୧ ରେକର୍ଡ କରାଯାଇଛି, ତା’ହେଲେ ତଦନ୍ତ ରିପୋର୍ଟରେ ଏହା ପୂର୍ବରୁ ୟୁଡିକୁ କିପରି ଉଲ୍ଲେଖ କରାଯିବ?

ଏଭଳି ଆଚରଣ ୩୦ ବର୍ଷ ମଧ୍ୟରେ ଦେଖିନାହୁଁ
ଯୁକ୍ତି ପାଇଁ ସୋସିଆଲ ମିଡିଆ ତଥ୍ୟକୁ ବ୍ୟବହାର କରନ୍ତୁ ନାହିଁ

କୋଲକାତା: ସିବିଆଇ ଆର୍‌ଜି କର ମେଡିକାଲ କଲେଜ ଦୁଷ୍କର୍ମ-ହତ୍ୟା ମାମଲାରେ ଗିରଫ ହୋଇଥିବା ଏକମାତ୍ର ସନ୍ଦିଗ୍ଧ ଟ୍ରାଫିକ୍ ପୁଲିସ ସ୍ୱେଚ୍ଛାସେବୀ ସଞ୍ଜୟ ରାୟର ମନୋବିଶ୍ଲେଷଣମୂଳକ ପ୍ରୋଫାଇଲ୍ ତିଆରି କରିଛି, ଯେଉଁଥିରୁ ସେ ଜଣେ ‘ପଶୁ ପ୍ରବୃତ୍ତି’ ଥିବା ‘ଯୌନ ବିକୃତ’ ମଣିଷ ବୋଲି ଜଣାପଡ଼ିଛି। ମନୋବିଶ୍ଲେଷକ ଦଳ ୩୧ ବର୍ଷୀୟ ରାୟକୁ ପଚରାଉଚରା କରିବା ବେଳେ ସେ ବିନା ଭାବପ୍ରବଣତାରେ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରିଥିଲା।

ସିବିଆଇ ତଦନ୍ତରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ଏଯାବତ୍ ଅଭିଯୁକ୍ତ ଦେଇଥିବା ସମସ୍ତ ବୟାନକୁ ସ୍କାନ୍ କରି ଶବ ବ୍ୟବଚ୍ଛେଦ ଓ ଫରେନସିକ୍ ରିପୋର୍ଟ ସହ ତାହା ମେଳ ଖାଉଛି କି ନାହିଁ ଜାଣିବାକୁ ଚେଷ୍ଟା କରିଛନ୍ତି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳରେ ରାୟର ଉପସ୍ଥିତି ବୈଷୟିକ ଓ ବୈଜ୍ଞାନିକ ପ୍ରମାଣ ଦ୍ୱାରା ସିଦ୍ଧ ହୋଇଛି, କିନ୍ତୁ ସେମାନେ ଡିଏନ୍‌ଏ ପରୀକ୍ଷାର ଫଳାଫଳ ଉପରେ କୌଣସି ସୂଚନା ଦେଇନାହାନ୍ତି। ସିବିଆଇ ଏହି ମାମଲା ହାତକୁ ନେବା ପୂର୍ବରୁ ପୁଲିସ ଘୋଷଣା କରିଥିଲା ଯେ ପୀଡ଼ିତାଙ୍କ ନଖ ତଳୁ ମିଳିଥିବା ରକ୍ତ ଓ ଚର୍ମର ଚିହ୍ନ ରାୟର ହାତରେ ଲାଗିଥିବା ଆଘାତ ସହ ମେଳ ଖାଉଛି। କେନ୍ଦ୍ରୀୟ ଏଜେନ୍ସି ତଦନ୍ତର ଷ୍ଟାଟସ୍ ରିପୋର୍ଟ ଗୁରୁବାର ସୁପ୍ରିମ୍‌କୋର୍ଟରେ ଦାଖଲ କରିବାର ଅଛି।

ସିବିଆଇ ସୂତ୍ରରୁ ପ୍ରକାଶ ଯେ ଆର୍‌ଜି କର ହସ୍ପିଟାଲରୁ ସଂଗୃହୀତ ସିସିଟିଭି ଫୁଟେଜରେ ରାୟକୁ ଅଗଷ୍ଟ ୮ ତାରିଖ ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ବକ୍ଷ ବିଭାଗ ୱାର୍ଡ ନିକଟରେ ଦେଖିବାକୁ ମିଳିଥିଲା। ୩୧ ବର୍ଷୀୟା ପୀଡ଼ିତା ସେତେବେଳେ ଅନ୍ୟ ୪ ଜଣ କନିଷ୍ଠ ଡାକ୍ତରଙ୍କ ସହ ସେହି ୱାର୍ଡରେ ଥିଲେ। ଯିବା ପୂର୍ବରୁ ରାୟ କିଛି ସମୟ ସେମାନଙ୍କୁ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା। ପଚରାଉଚରା ବେଳେ ରାୟ କହିଛି ଯେ ସେ ସେଦିନ ସନ୍ଧ୍ୟାରେ ୱାର୍ଡ ଭିତରକୁ ପ୍ରବେଶ କରିଥିଲା। ସିବିଆଇ ଅନୁଯାୟୀ, ପୀଡ଼ିତା ଅନ୍ୟ କନିଷ୍ଠ ଡାକ୍ତରଙ୍କ ସହ ରାତ୍ରି ଭୋଜନ ପାଇଁ ୱାର୍ଡରୁ ବାହାରିଥିଲେ ଏବଂ ଅଗଷ୍ଟ ୯ ତାରିଖ ରାତି ୧ଟା ପରେ ସେମିନାର ହଲକୁ ଫେରିଥିଲେ। ରାତି ପ୍ରାୟ ସାଢ଼େ ୨ଟା ବେଳେ ଜଣେ କନିଷ୍ଠ ଡାକ୍ତର ହଲ୍ ଭିତରକୁ ପ୍ରବେଶ କରିଥିଲେ ଏବଂ ପୀଡ଼ିତା ଶୋଇବାକୁ ଯିବା ପୂର୍ବରୁ ତାଙ୍କ ସହ କଥା ହୋଇଥିଲେ। ସିସିଟିଭି ଫୁଟେଜରେ ରାୟ ଭୋର ୪ଟାରେ ପୁଣି ଥରେ ଡାକ୍ତରଖାନା ପରିସରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହାପରେ ସେ ତୃତୀୟ ମହଲାର ସେମିନାର ହଲରେ ପହଞ୍ଚିଥିଲା, ଯେଉଁଠାରେ ପୀଡ଼ିତା ଶୋଇଥିଲେ। ରାୟକୁ ଶୁକ୍ରବାର ପୁଣି ଥରେ କୋର୍ଟରେ ହାଜର କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରତିପକ୍ଷ ଓକିଲମାନେ ତାକୁ ପ୍ରଥମ ଥର ପାଇଁ ଭେଟିବେ। ପୂର୍ବରୁ କୋର୍ଟରେ ହାଜର ହେବା ସମୟରେ କୌଣସି ଓକିଲ ତାଙ୍କ ପକ୍ଷ ରଖିବାକୁ ପ୍ରସ୍ତୁତ ନ ଥିଲେ। ସୁରକ୍ଷା ଦୃଷ୍ଟିରୁ ସିବିଆଇ ଭର୍ଚୁଆଲ୍ ଶୁଣାଣି କରିବାକୁ ବିଚାର କରୁଥିବା ଜଣାପଡ଼ିଛି।