କୋଲକାତା: କେନ୍ଦ୍ରୀୟ କୋଲକାତାର ଫଲପଟ୍ଟି ମଛୁଆ ନିକଟରେ ଆଜି ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡରେ ଅନ୍ୟ ୧୩ ଜଣ ଆହତ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୁଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ପ୍ରତ୍ୟେକ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ‘କୋଲକାତାରେ ଅଗ୍ନିକାଣ୍ଡ ଘଟଣାରେ ହୋଇଥିବା ପ୍ରାଣହାନି ଯୋଗୁଁ ମୁଁ ଗଭୀର ଭାବେ ମର୍ମାହତ। ଯେଉଁମାନେ ନିଜ ପ୍ରୀୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ପିଏମଏନଆରଏଫ୍ରୁ ରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଆହତମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।’ ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମୃତାହତଙ୍କ ପାଇଁ ସମାନ ପରିମାଣର ସହାୟତା ରାଶି ଘୋଷଣା କରିଛନ୍ତି। କୋଲକାତା ପୁଲିସ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଚିହ୍ନଟ କରାଯାଇଛି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ସେ କହିଛନ୍ତି। ଘଟଣା ସମୟରେ ୪୨ଟି ରୁମ୍ରେ ୮୮ ଜଣ ଅତିଥି ଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ଋତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ପ୍ରଥମେ ମିଳିଥିଲା। ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଅଧିକାରୀ କହିଛନ୍ତି ଯେ, ବୁଧବାର ସକାଳେ ପ୍ରାୟ ୧୦ ଘଣ୍ଟା ପରେ ୧୦ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା ଏବଂ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଗତରାତିର ଅଗ୍ନିକାଣ୍ଡରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଆଠ ଜଣଙ୍କୁ ଚିହ୍ନଟ କରାଯାଇଛି, ବୋଲି ରାଜ୍ୟମନ୍ତ୍ରୀ ସୁଜିତ ବୋଷ କହିଛନ୍ତି। ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଜି ସମାଲୋଚନା କରିଛନ୍ତି। ଅସହାୟ ନାଗରିକମାନେ ନିଆଁରେ ଫସି ଯନ୍ତ୍ରଣାରେ ମରୁଥିବା ବେଳେ, ମୁଖ୍ୟମନ୍ତ୍ରୀ ରାଜନୈତିକ ଲାଭ ପାଇଁ ଧର୍ମର ଶୋଷଣ କରିବାରେ ବ୍ୟସ୍ତ ବୋଲି ମଜୁମଦାର କହିଛନ୍ତି।