କୋଲକାତା: ଭାରତରେ ପ୍ରଥମ ଥର ପାଇଁ ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍। ବିଭିନ୍ନ ସହରରେ ଭୂମି ଉପରେ ଓ ଭୂମି ତଳେ ମେଟ୍ରୋ ଟ୍ରେନ୍ ଚାଲିବାର ବ୍ୟବସ୍ଥା କରାଯାଇଥିବା ବେଳେ କୋଲକାତାରେ ପ୍ରଥମ କରି ପାଣି ଭିତରେ ମେଟ୍ରୋ ଟ୍ରେନ୍ ଚାଲିଛି। ଭାରତର କୋଲକାତା ମେଟ୍ରୋ ବୁଧବାର ଏହି ଇତିହାସ ସୃଷ୍ଟି କରିଛି। ଦୀର୍ଘ ସମୟର ପ୍ରତୀକ୍ଷା ପରେ ଆଜି ଦେଶର ପ୍ରଥମ ମେଟ୍ରୋ ହୁଗଳି ନଦୀ ତଳେ ଚାଲିଛି। ଭାରତରେ ପ୍ରଥମ ଥର ପାଇଁ କୌଣସି ମେଟ୍ରୋ ଟ୍ରେନ୍ ନଦୀ ତଳେ ଯାତ୍ରା ସଫଳତାର ସହ ସମାପ୍ତ କରିଛି।
ଏହି ଐତିହାସିକ ଯାତ୍ରା ସମୟରେ ମେଟ୍ରୋ ରେଳବାଇର ଜେନେରାଲ୍ ମ୍ୟାନେଜର ପି ଉଦୟ କୁମାର ରେଡ୍ଡୀ ଟ୍ରେନ୍ ନଂ ୬୧୨ରେ ଯାତ୍ରା କରିଥିଲେ। ତାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ମେଟ୍ରୋ ଟ୍ରେନରେ ଉପସ୍ଥିତ ଥିଲେ। ଟ୍ରେନଟି ଏସପ୍ଲାନେଡ ଷ୍ଟେସନରୁ ହାୱଡା ମଇଦାନ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ହାୱଡା ମଇଦାନ ଷ୍ଟେସନରେ ପହଞ୍ଚିବା ପରେ ରେଡ୍ଡୀ ମେଟ୍ରୋ ଟ୍ରେନର ପୂଜା କରିଥିଲେ। କୁହାଯାଉଛି ଯେ, ଏଭଳି ଭାବେ ଆଜି ଦୁଇଟି ମେଟ୍ରୋ ଟ୍ରେନ୍ ନଂ ୬୧୨ ଓ ୬୧୩ ହୁଗଳି ନଦୀ ନେଇ ହାୱଡା ମଇଦାନ ଷ୍ଟେସନକୁ ସ୍ଥାନାନ୍ତରିତ ହୋଇଛି।
ମେଟ୍ରୋ ପ୍ରକଳ୍ପ ଜେନେରାଲ୍ ମ୍ୟାନେଜର ପି ଉଦୟ କୁମାର ରେଡ୍ଡୀ କହିଛନ୍ତି ଆଗାମୀ ୭ମାସ ମଧ୍ୟରେ ହାୱଡା ମଇଦାନ ଷ୍ଟେସନରୁ ଏସପ୍ଲାନେଡ ଷ୍ଟେସନକୁ ଟ୍ରାଏଲ ରନ୍ କରାଯିବ। ଏହା ସଫଳ ହେବା ପରେ ସ୍ବାଭାବିକ ଭାବେ ଏହି ରୁଟ୍ ଦେଇ ଯାତ୍ରା ଆରମ୍ଭ ହେବ। ମେଟ୍ରୋ ରେଳବାଇର ମୁଖ୍ୟ ପିଆରଓ କୌଶିକ ମିତ୍ର କହିଛନ୍ତି ଯେ, ବହୁତ ବାଧାବିଘ୍ନ ପରେ ଆମକୁ ଏ ସଫଳତା ମିଳିଛି। ଆଜି ଆମେ ସଫଳତାର ସହ ହୁଗଳି ନଦୀ ତଳେ ମେଟ୍ରୋ ରେକ୍ ଆଣିପାରିଛୁ।