କୋଲକାତା: କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ କମିସନରଙ୍କୁ ସିବିଆଇ ଜେରା କରିବା ଆବଶ୍ୟକ ବୋଲି ବରିଷ୍ଠ ଟିଏମ୍‌ସି ନେତା ସୁଖେନ୍ଦୁ ଶେଖର ରାୟ ଦାବି କରିବା ପରେ ଏହାକୁ ନେଇ ଟିଏମ୍‌ସିରେ ବି‌ବାଦ ଆରମ୍ଭ ହୋଇଛି। ଦଳରେ ଅନ୍ୟ ଏକ ଗୋଷ୍ଠୀ ରାୟଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧ କରିଛି। ବରିଷ୍ଠ ନେତା କୁନାଲ ଘୋଷ ଏହି ମାମଲାରେ ରାୟଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କର ଆଭିମୁଖ୍ୟ ମାମଲାକୁ ଅଧିକ ଜଟିଳ କରିବ ଏବଂ ଏଭଳି ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି ଘୋଷ କହିଛନ୍ତି। ତେବେ ରାୟ ପୁଲିସ କମିସନରଙ୍କୁ ଜେରା ହେଲେ ହିଁ ତଦନ୍ତ ପ୍ରକ୍ରିୟାରେ ସ୍ବଚ୍ଛତା ଜାରି ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଥିବାରୁ ରାୟ ଏହାକୁ ସ୍ବାଗତ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି। ଆର୍‌ଜି କର ହସ୍ପିଟାଲ କାଣ୍ଡ ନେଇ ଟିଏମ୍‌ସିରେ ବିବାଦ ତେଜୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ ବଢ଼ିଛି। କୋଲକାତା ପୁଲିସ କମିସନର ବିନୀତ ଗୋୟଲ ଏହି ମାମଲାର ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଲିସର ପରିଚାଳନାକୁ ନେଇ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ଡାକ୍ତର ସଂଘ ମଧ୍ୟ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପୁଲିସ ତଦନ୍ତରେ ବିଶେଷ ଅଗ୍ରଗତି ନହେବାରୁ ମାମଲା ଅଧିକ ଜଟିଳ ରୂପ ନେଲା ବୋଲି କିଛି ଟିଏମ୍‌ସି ନେତାଙ୍କ ବୟାନ ଏବଂ ଏହାକୁ ନେଇ ଦଳରେ ଉଠିଥିବା ବିରୋଧର ସ୍ବର ମମତାଙ୍କ ପାଇଁ ନୂଆ ଚ୍ୟାଲେଂଜ ସୃଷ୍ଟି କରିଛି।

Advertisment

ଡାକ୍ତରଖାନାର କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଓ ସେମିନାର ହଲ୍ ନିକଟରେ ହଠାତ ମରାମତି କାର୍ଯ୍ୟ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖରେ ସେମିନାର ହଲ୍‌ରୁ ମହିଳା ଡାକ୍ତରଙ୍କ ମୃତଦେହ ମିଳିବା ପରେ ପୁଲିସ ଅପରାଧ ଘଟିଥିବା ସ୍ଥଳରେ ପ୍ରମାଣ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇନଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି। ଏହି ମାମଲାରେ କୋଲକାତା ହାଇକୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କ ପଦକ୍ଷେକୁ କଡ଼ା ସମାଲୋଚନା କରିଛନ୍ତି।

କୋଲକାତା: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହି ମାମଲାର ଶୁଣାଣି କରିବେ। ଅଗଷ୍ଟ ୯ ତାରିଖରେ ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଏକ ସେମିନାର ହଲ୍ ଭିତରେ ଜଣେ ୩୧ ବର୍ଷୀୟା ସ୍ନାତକୋତ୍ତର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ଦୃଷ୍ଟିରେ ରଖି ଶନିବାର ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା।
ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଗତକାଲି ଦେଶବ୍ୟାପୀ ଡାକ୍ତରମାନେ ଧର୍ମଘଟ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଡାକ୍ତରମାନେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ମାମଲାର ମୁଖ୍ୟ ସନ୍ଦିଗ୍ଧ ଗିରଫ ହୋଇଥିଲେ ମଧ୍ୟ ଏହି ବର୍ବରତା ପଛରେ ବହୁତ ବଡ଼ ଷଡ଼୍‌ଯନ୍ତ୍ର ଏବଂ ଅନେକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସୁରାକ୍‌ ମିଳିଛି। ପୁଲିସ ତଦନ୍ତରେ ତ୍ରୁଟି ଦର୍ଶାଇ କୋଲକାତା ହାଇକୋର୍ଟ ଏହି ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିଥିବା ବେଳେ ସିବିଆଇ ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିଛି।