ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସିଭିକ୍ ସ୍ବେଚ୍ଛାସେବୀ ସଞ୍ଜୟ ରୟ ଏହି ଅପରାଧ ସ୍ୱୀକାର କରିଛନ୍ତି। ସେ ଗିରଫ ପରେ ପୁଲିସକୁ ତାଙ୍କୁ ଫାଶୀ ଦେବାକୁ କହିଛନ୍ତି। ଶନିବାର ତାଙ୍କୁ ଗିରଫ କରାଯିବା ପରେ ପଚରାଉଚରା ବେଳେ ରୟ ପୁଲିସକୁ କହିଛନ୍ତି ଯେ, "ମୋତେ ଫାଶୀ ଦେଇ ଦିଅନ୍ତୁ’’।

Advertisment

ରୟ ଏହାବି ସ୍ବୀକାର କରିଛନ୍ତି ଯେ ପୂର୍ବରୁ ସେ ତାଙ୍କ ମା, ଭଉଣୀ ଏବଂ ପତ୍ନୀଙ୍କ ପ୍ରତି ହିଂସାତ୍ମକ ଆଚରଣ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତଙ୍କ ତାଙ୍କ ପତ୍ନୀଙ୍କୁ ଶାରୀରିକ ନିର୍ଯାତନା ଦେଇଛନ୍ତି ବୋଲି ପୂର୍ବରୁ ତାଙ୍କ ଶାଶୂ କାଲିଗାଟ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଶୁକ୍ରବାର ପୂର୍ବାହ୍ନରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲର ସେମିନାର ରୁମରେ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ରୟଙ୍କୁ ଶନିବାର ଦିନ ତାଙ୍କ ଘରୁ ଗିରଫ କରାଯାଇଥିଲା।

ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ଯେଉଁଥିରେ ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ବିଲ୍ଡିଂରେ ସେ ପ୍ରବେଶ କରିଥିବାର ଦୃଶ୍ୟମାନ ହୋଇଥିଲା।

ପୁଲିସ ତାଙ୍କ ମୋବାଇଲ୍ ଫୋନ୍ ଜବତ କରିଛି ଏବଂ ଏଥିରୁ ତଥ୍ୟ ଉଦ୍ଧାର କରିବାକୁ ଯାଉଛି। ଜଣେ ଅଧିକାରୀ ଇଣ୍ଡିଆ ଟୁଡେକୁ କହିଛନ୍ତି, "ଆମେ ଶୀଘ୍ର ତାଙ୍କ ଫୋନରୁ ତଥ୍ୟ ଉଦ୍ଧାର କରିବୁ। କେବଳ ଡାକ୍ତର ନୁହଁନ୍ତି; ଡାକ୍ତରଖାନାରେ ନିଯୁକ୍ତ ହୋଇଥିବା ପାଞ୍ଚ ଜଣ ପୁଲିସ କର୍ମଚାରୀଙ୍କ ବିବୃତି ଉପରେ ମଧ୍ୟ ପ୍ରଶ୍ନ ଉଠାଇବୁ।"

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ପୁଲିସକୁ କଡା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଅଗଷ୍ଟ ୧୮ ତାରିଖ, ରବିବାର ସୁଦ୍ଧା ପୁଲିସ ମାମଲା ରୁଜୁ କରିବାରେ ଅସମର୍ଥ ହୁଏ ତେବେ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବ।