କୋଲକାତା: ଏବେ ପଶ୍ଚିମବଙ୍ଗ ଦେଶ ତଥା ବିଶ୍ବରେ ଶୀର୍ଷରେ ରହିଛି। ଏହାର କାରଣ ହେଉଛି କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା। ଏହି ଘଟଣା ବିଷୟରେ ଜାଣିବା ପରେ ସମସ୍ତେ ଅପରାଧୀର ମାନସିକତା ଉପରେ ପ୍ରଶ୍ନ ଉଠାଉଛନ୍ତି। ପୁଲିସ ଆଗରେ ଅଭିଯୁକ୍ତ ସଞ୍ଜୟ ରଏ ନିଜର ଅପରାଧକୁ ସ୍ବୀକାର କରିଥିବା ବେଳେ ତାଙ୍କ ମା’ ଦେଇଥିବା ବୟାନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏକ ସାକ୍ଷାତକାରରେ ସଞ୍ଜୟର ମା’ କହିଛନ୍ତି ଯେ, ସଞ୍ଜୟ ଭଳି ପୁଅ ସମସ୍ତଙ୍କୁ ମିଳୁ। ତାଙ୍କ କହିବା ମୁତାବକ, ସଞ୍ଜୟ ଏହି ଘଟଣାର ଏକାକୀ ଅପରାଧୀ ନୁହଁନ୍ତି। ଆହୁରି ଅନେକ ଲୋକ ଏଥିରେ ସାମିଲ ଅଛନ୍ତି। ପୁଅ ସଞ୍ଜୟ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ମଦ୍ୟପାନ କରିବା ଆରମ୍ଭ କରିଥିଲେ। ସ୍ତ୍ରୀ କର୍କଟ ରୋଗରେ ପୀଡିତ ଥିବାରୁ ଚିକିତ୍ସା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ସ୍ତ୍ରୀ ଚାଲିଯିବା ପରେ ସେ କିଛି ବର୍ଷ ତଳେ ଘରଠୁ ଦୂରରେ ରହିବା ଆରମ୍ଭ କରିଥିଲେ। କାମ ପାଇଁ ସେ ଏକାଧିକ ସମୟ ବାହାରେ ରହୁଥିବାରୁ ଘରକୁ ଆସିବା ବନ୍ଦ କରିଦେଇଥିଲେ। ହେଲେ ସଞ୍ଜୟ ଭଳି ପୁଅ ପ୍ରତି ଘରେ ରହିବା ଉଚିତ୍। କାରଣ ପୁଅ ସଞ୍ଜୟ ଘରର ସମସ୍ତ ଦାୟିତ୍ୱ ତୁଲାଉଥିଲେ। କର୍କଟ ରୋଗରେ ପୀଡିତ ଥିବା ତାଙ୍କ ପତ୍ନୀଙ୍କର ସେ ଚିକିତ୍ସା କରିଥିଲେ। ଏତେ କାମ କରୁଥିବା ପୁଅ ସମସ୍ତଙ୍କୁ ମିଳିଲେ ସମସ୍ୟା କ’ଣ? ତାଙ୍କର ଏଭଳି ବୟାନକୁ ଅନେକ ଲୋକ ପସନ୍ଦ କରୁନଥିବା ଦେଖାଯାଇଛି।
ସଞ୍ଜୟ ୪ଟି ବିବାହ କରିଥିବା ନେଇ ତାଙ୍କ ଶାଶୁ ଦାବି କରୁଥିବା ବେଳେ ଏହାକୁ ମିଛ ବୋଲି କହିଛନ୍ତି ସଞ୍ଜୟର ମା’।