କୋଲକାତାର ପୂର୍ବ ରେଳପଥ କାର୍ଯ୍ୟାଳୟରେ ନିଆଁ ଲାଗିବା ଘଟଣା‌, ପୂର୍ବ ଭାଗରେ କମ୍ପ୍ୟୁଟରୀକରଣ ଟିକେଟ୍ ବୁକିଂରେ ବ୍ୟାଘାତ ସୃଷ୍ଟି

କୋଲକାତା: କୋଲକାତାରେ ଥିବା ପୂର୍ବ ରେଳପଥ କାର୍ଯ୍ୟାଳୟରେ ଗତକାଲି ରାତିରେ ନିଆଁ ଲାଗିଯିବା ଫଳରେ ସମଗ୍ର ପୂର୍ବ ଭାଗରେ କମ୍ପ୍ୟୁଟରୀକରଣ ଟିକେଟ୍ ବୁକିଂରେ ବ୍ୟାଘାତ ସୃଷ୍ଟି ହୋଇଛି। ସହରର ଷ୍ଟ୍ରାଣ୍ଡ ରୋଡ୍ ଅଞ୍ଚଳରେ ନିୟୁ କୋଇଲାଘାଟ ବିଲ୍ଡିଂରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ଏହି ବ୍ୟାଘାତ ଘଟିଛି ବୋଲି ସୂଚନା ରହିଛି। ଅଗ୍ନିକାଣ୍ଡର ବିସ୍ତାର ରୋକିବାକୁ ବିଦ୍ୟୁତ ବନ୍ଦ କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ସମଗ୍ର ପୂର୍ବ ଅଞ୍ଚଳର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାର ସର୍ଭର ରୁମ୍ ବିଲଡିଂ ଭିତରେ ଅବସ୍ଥିତ। ଏହି କାରଣରୁ ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିବାର କିଛି ସମୟ ପରେ ବିଲ୍ଡିଂରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା।

ଅଗ୍ନିକାଣ୍ଡର ପ୍ରାୟ ଏକ ଘଣ୍ଟା ପରେ ସର୍ଭରର ପାୱାର ବନ୍ଦ ହୋଇଯିବା ପରେ ଏହି ଟିକେଟ୍‌ ବୁକିଂ ସ୍ଥଗିତ ରଖାଯାଇଛି। କୋଲକାତାଠାରୁ ନେଇ ଗୌହ୍ବାଟୀ, ନାଗାଲାଣ୍ଡ, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ଥିରୁବନନ୍ତପୁରମ୍ ଯାତ୍ରା ପାଇଁ ରେଳ ଟିକେଟ ବୁକିଂ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ନହେବା ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଉଲ୍ଲେଖଯୋଗ୍ୟ,  କୋଲକାତାରେ ଥିବା ପୂର୍ବ ରେଳପଥ କାର୍ଯ୍ୟାଳୟରେ ଗତକାଲି ରାତିରେ ନିଆଁ ଲାଗି ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଗତକାଲି ରାତିରେ ପଶ୍ଚିମବଙ୍ଗ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ ସୂଚନା ଦେଇ କହିଥିଲେ ଯେ ଏହି ଅଗ୍ନିକାଣ୍ଡରେ ୪ ଜଣ ଅଗ୍ନିଶମ କର୍ମଚାରୀ, ଦୁଇ ଜଣ ଆରପିଏଫ୍ ଯବାନ ଏବଂ ଜଣେ କୋଲକାତା ପୁଲିସ୍‌ ଏଏସଆଇଙ୍କର ମୃତ୍ୟୁ ଘଟିଛି। ପରେ ଆଉ ୨ ଜଣଙ୍କର  ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର