କୋଲକାତା: ବର୍ଷାରେ ବେହାଲ କୋଲକାତା । ପ୍ରବଳ ବର୍ଷା ପାଇଁ ଧନ ଜୀବନ ପ୍ରଭାବିତ ହୋଇଥିବା ବେଳେ ବର୍ଷାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମମତା ସରକାର । ବର୍ଷା ଏବଂ ବିଦ୍ୟୁତ ଆଘାତ କାରଣରୁ ମୃତ୍ୟୁ ସଂଖ୍ଯା ବଢୁଥିବା ବେଳେ ରାସ୍ତାରେ ଝୁଲିଥିବା ପୁଳା ପୁଳା ତାର ଏହାର ବଡ କାରଣ ବୋଲି ଅଭିଯୋଗ ହେଉଥିବା ବେଲେ ଇତିମଧ୍ଯରେ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର । ପ୍ରତି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।

Advertisment

ସୋମବାର ରାତିରୁ ରାଜ୍ୟବ୍ୟାପୀ ବର୍ଷାଜନିତ ଘଟଣାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ କେବଳ ବିଦ୍ୟୁତ୍ ଆଘାତରେ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ଜଳବନ୍ଦୀ ମଧ୍ୟରେ ଅନାବୃତ ଥିବା କିମ୍ବା ଖୋଲାମେଲାରେ ଓହଳିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ସହରରେ ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିଛି । ଆଉ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ପରିବାରକୁ ପଶ୍ଚିମବଙ୍ଗ ସରକାର ୨ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିବା ବେଳେ କଲିକତା ବିଦ୍ୟୁତ୍ ଯୋଗାଣ ନିଗମକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମମତା ବାନାର୍ଜୀ ଅନୁରୋଧ କରିଛନ୍ତି। 

New Project

କୋଲକାତା ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ବର୍ଷା ପରେ ବନ୍ୟା ଭଳି ପରିସ୍ଥିତି ସମୀକ୍ଷା କରିବା ପରେ ମୁଖ୍ଯମନ୍ତ୍ରୀ ମମତା ଏହି ଘୋଷଣା କରିଛନ୍ତି । କହିଛନ୍ତି- ଯଦିଓ ଟଙ୍କା ଜୀବନକୁ ଫେରାଇ ଆଣିପାରିବନି କି ମୂଲ୍ୟବାନ ଜୀବନର କ୍ଷତିକୁ ଭରଣା କରିପାରିବନି, କିନ୍ତୁ ଆମେ ଉକ୍ତ ପରିବାରର ସହ ଅଛୁ ।  ଯଦି କଲିକତା ବିଦ୍ୟୁତ୍ ଯୋଗାଣ ନିଗମ ଚାକିରି ପ୍ରଦାନ ନକରେ ତେବେ ଆମେ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ନିଶ୍ଚିତ ଦେବୁ ବୋଲି ମମତା କହିଛନ୍ତି ।

ସେପଟେ କୋଲକାତାରେ ପାଣିର ପ୍ରଳୟ ପରେ ଅସ୍ତବ୍ୟସ୍ତ ହୋଇଛି ଜନ ଜୀବନ । କୋଲକାତାର ବର୍ଷା ପରବର୍ତ୍ତୀ ବିଦ୍ୟୁତ ଜନିତ ମୃତ୍ୟୁ ସଂଖ୍ଯା ବଢୁଥିବା ବେଳେ ଉକ୍ତ ପ୍ରସଙ୍ଗରେ ମମତା ସରକାରକୁ ଘେରିଛନ୍ତି ବିଜେପି ନେତା ଅମିତ ମାଲବ୍ୟ । ସେ କହିଛନ୍ତି- ୨୪ ଘଣ୍ଟାରେ, ଦୁର୍ଗା ପୂଜା ପୂର୍ବରୁ କୋଲକାତା ଏକ କବର ସ୍ଥାନରେ ଫସିଯାଇଛି । ମମତା ସରକାରଙ୍କ ଅବହେଳା ପାଇଁ ବିଦ୍ୟୁତ୍ ଆଘାତରେ ନୀରିହ ଲୋକଙ୍କ ଜୀବନ ଯାଇଛି । କୋଲକାତା- ଭାରତର ଲଣ୍ଡନ ଭାବେ ନିଜକୁ ଗଢ଼ିବାକୁ ସ୍ବପ୍ନ ଦେଖୁଥିବା ବଏଲେ ମାତ୍ର ୫ ଘଣ୍ଟାର ବର୍ଷାରେ ଏହା କବରସ୍ଥଳୀରେ ପରିଣତ ହୋଇଛି । ଯାହା ମମତା ସରକାରଙ୍କ ଶାସନର ମଜା ଉଡାଇଛି । କାହିଁକି ଖୋଲା ତାର ଏବେ ବି ରାସ୍ତାରେ ଝୁଲୁଛି ? ବିଦ୍ୟୁତ୍ ଆଘାତରେ ମୃତ୍ୟୁ କାହିଁକି ବାରମ୍ବାର ଘଟୁଛି ? କୋଲକାତାରେ ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ବରଂ ଏହା ମମତା ସରକାରଙ୍କ ଶାସନର ବିପର୍ଯ୍ୟୟ ବୋଲି ବର୍ଷିଛନ୍ତି ଅମିତ ।