କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏବେ ଏସବୁ ଭିତରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାଛନ୍ତି । ସୁପ୍ରିମକୋର୍ଟର ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଅଗଷ୍ଟ ୨୦ ତାରିଖ ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ।
ସୂଚନାଯୋଗ୍ୟ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ କୋଲକାତା ସମେତ ସମଗ୍ର ଦେଶରେ ବିକ୍ଷୋଭ ଓ ଧର୍ମଘଟ ଚାଲିଛି। ଏହାକୁ ନେଇ ଆଇଏମଏ ମଧ୍ୟ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିଲା। ଏହାବ୍ୟତୀତ ଆଇଏମଏ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଏହି ମାମଲାରେ ହସ୍ତକ୍ଷେପ ଲୋଡିଛି । ଏହା ସହ ଡାକ୍ତରଙ୍କ ସୁରକ୍ଷା ପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ମଧ୍ୟ ଆଇଏମଏ ମୋଦୀଙ୍କ ନିକଟରେ ଦାବି କରିଛି । ବର୍ତ୍ତମାନ ଏହି ମାମଲାର ସିବିଆଇ ତଦନ୍ତ କରୁଛି। ଏଥିସହିତ ମୁଖ୍ୟ ସନ୍ଦିଗ୍ଧଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏହାଛଡ଼ା ସିବିଆଇ ଆଉ କେତେକ ସଂଦିଗ୍ଧଙ୍କ ତାଲିକା ପ୍ରସ୍ତୁତ କରିଛି ।