ନୂଆଦିଲ୍ଲୀ: ଅଗଷ୍ଟ ୯ତାରିଖରେ କୋଲକାତାର ଆରଜି କର କଲେଜ ଓ ହସ୍ପିଟାଲର ଏକ ସେମିନାର ହଲରେ ଟ୍ରେନି ଡାକ୍ତର ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣା ଦେଶ ତଥା ଦେଶ ବାହାରେ ଆଲୋଡ଼ ସୃଷ୍ଟି କରିଥିଲା।
ଏହି ଦୁଃଖଦ ଘଟଣାକୁ ନେଇ ଆରଜି କର କଲେଜ ଓ ହସ୍ପିଟାଲରେ ପୀଡ଼ିତାଙ୍କ ଏକ ପ୍ରତିମା ସ୍ଥାପନ କରାଯାଇଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି। ଏହି ପ୍ରତିମାର ନାମ ‘କ୍ରାଇ ଅଫ ଦ ଆୱର’ ରଖାଯାଇଛି।
ପ୍ରତିମାକୁ ତିଆରି କରିଥିବା କଳାକାର ଆସିତ ସାାଇନଙ୍କ ଅନୁସାରେ, ଏହି ପ୍ରତିମା ପୀଡ଼ିତାଙ୍କ ଅନ୍ତିମ କ୍ଷଣର ଦୁଃଖ ଓ ଆତଙ୍କଙ୍କୁ ଦର୍ଶାଉଛି। ଏହି ପ୍ରତିମାରେ ଜଣେ ମହିଳା ଯନ୍ତ୍ରଣାରେ କାନ୍ଦୁଛନ୍ତି। ଏହାକୁ ଆରଜି କର କଲେଜ ଓ ହସ୍ପିଟାଲର ପ୍ରିନ୍ସପାଲଙ୍କ କାର୍ଯ୍ୟାଳୟ ନିକଟରେ ରଖାଯାଇଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି।
ଏହି ପ୍ରତିମାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଟୁଇଟ କରି ଲେଖିଛନ୍ତି, ‘ଯଦି ପ୍ରତିମା ତିଆରି କରିବାର ଅଛି ତେବେ ପୀଡ଼ିତାର ଦୁଃଖ, ଯନ୍ତ୍ରଣା ଭରା ଚେହେରାକୁ ଛାଡ଼ି ଅନ୍ୟ କିଛି ବି କରାଯାଇ ପାରି ଥାଆନ୍ତା। ଉକ୍ତ ପ୍ରତିମା ବିଚଳିତ କରିଲା ଭଳି ରହିଛି। କାହାର କଷ୍ଟକୁ ପ୍ରତିମା କରି ରଖିବା ଆଦୌ ଗ୍ରହଣୀୟ ନୁହେଁ। ମୁଁ ଆଶା କରୁଛି ଏହାକୁ ନଷ୍ଟ କରି ଦିଆଯାଉ।’