କୋଲକାତା: ସୋମବାର ରାତି ତମାମ ପ୍ରବଳ ବର୍ଷାରେ କୋଲକାତା ସହରର ଅନେକ ଅଂଶ ଜଳମଗ୍ନ ହୋଇ ସାଂଘାତିକ ଟ୍ରାଫିକ୍‌ ଜାମ୍‌ ସମସ୍ୟା ଉପୁଜିଛି। ଦୁର୍ଗାପୂଜା ପୂର୍ବରୁ ଏଭଳି ରେକର୍ଡ ବର୍ଷା ଲୋକଙ୍କ ଖୁସିକୁ ପାଣିଚିଆ କରିଦେଇଛି। ବର୍ଷାଜନିତ କାରଣ ପାଇଁ ୯ ଜଣଙ୍କର ମୃତ୍ୟୁ ହୋଇଛି। ବିଦ୍ୟୁତ୍‌ ଆଘାତରେ ୭ ଜଣ ଏବଂ ପାଣିରେ ବୁଡ଼ିଯାଇ ୨ ଜଣଙ୍କର ମୃତ୍ୟୁ ହୋଇଛି। କୋଲକାତା ବିମାନବନ୍ଦରର ରନ୍‌ୱେ ଜଳମଗ୍ନ ହୋଇଯିବାରୁ ପ୍ରାୟ ୯୧ ବିମାନ ବାତିଲ କରାଯାଇଛି। ଏକାଧିକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ରାସ୍ତାଘାଟ, ଘର ଏବଂ ଦୋକାନବଜାର ବୁଡ଼ି ଯାଇଛି। ରେଳ ଓ ମେ‌ଟ୍ରୋ ସେବା ବି ବାଧାପ୍ରାପ୍ତ ହୋଇଛି।

Advertisment

ଆଇଏମ୍‌ଡିର ଆଲିପୁର କେନ୍ଦ୍ର‌ ପ୍ରାୟ ୨୫୧.୪ ମିମି ବର୍ଷା ହୋଇଥିବା ରେକର୍ଡ କରିଛି। ୧୯୮୮ ଅଗଷ୍ଟ ୨୪ ପରଠାରୁ ଏହା ସର୍ବାଧିକ ବର୍ଷା।  କୋଲକାତା ପୌର ନିଗମର ତଥ୍ୟ ଅନୁଯାୟୀ ଗାରିଆ କମଦାହାରୀରେ ଗତ କିଛି ଘଣ୍ଟା ମଧ୍ୟରେ ୩୩୨ ମିମି ବର୍ଷା‌ ହୋଇଥିବାବେଳେ ଯୋଧପୁର ପାର୍କରେ ୨୮୧ ମିମି, କାଳୀଘାଟରେ ୨୮୦ ମିମି, ତୋପସିଆରେ ୨୭୫ ମିମି ଏବଂ ବାଲିଗୁଙ୍ଗେରେ ୨୬୪ ମିମି ବର୍ଷା ହୋଇଛି।  କୋଲକାତାରେ ବିଭିନ୍ନ ପୂଜା ପେଣ୍ଡାଲ ନିକଟରେ ଜଳମଗ୍ନ ସ୍ଥିତି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦୁର୍ଗାପୂଜା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି।