ଜଲପାଇଗୁଡ଼ିରେ ହେବ କଲିକତା ହାଇକୋର୍ଟର ସର୍କିଟ ବେଞ୍ଚ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ‌କଲିକତା ହାଇକୋର୍ଟର ଏକ ସର୍କିଟ ବେଞ୍ଚ ସ୍ଥାପନ ହେବ। କେନ୍ଦ୍ର କ୍ୟାବିନେଟ୍ ବୁଧବାର ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ରାଜ୍ୟର ୪ଟି ଜିଲ୍ଲା ଯଥା ଦାର୍ଜିଲିଂ, କାଲିମପଙ୍ଗ, କୁଚବିହାର ଏବଂ ଜଲପାଇଗୁଡ଼ିର ମାମଲା ଏହି ସର୍କିଟ ବେଞ୍ଚରେ ବିଚାର ହେବ। ଉତ୍ତର ବଙ୍ଗରେ ଏକ ସର୍କିଟ ବେଞ୍ଚ ସ୍ଥାପନ ପାଇଁ ହାଇକୋର୍ଟ ୧୯୮୮ ମସିହାରେ ନିଷ୍ପତ୍ତି ନେଇଥିଲା। କେନ୍ଦ୍ର ସରକାର ଏହାକୁ ମଧ୍ୟ ୨୦୦୬ ମସିହାରେ ମଞ୍ଜୁରି ଦେଇଥିଲେ। ତେବେ ଗତବର୍ଷ ଅଗଷ୍ଟରେ ହାଇକୋର୍ଟର କେତେଜଣ ବିଚାରପତି ଜଲପାଇଗୁଡ଼ିର ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଥିଲେ। ସେଠାରେ ‌ଚାଲିଥିବା ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି କଣ ହୋଇଛି ତାହାକୁ ବିଚାରପତିମାନେ ଅନୁଧ୍ୟାନ କରିଥିଲେ ବୋଲି ଆଇନ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ହାଇକୋର୍ଟଠାରୁ ଦୂରରେ ସର୍କିଟ ବେଞ୍ଚ ସ୍ଥାପନ କରିବାର ବ୍ୟବସ୍ଥା ରହିଛି। ବିଶେଷକରି ଯେଉଁ ଅଞ୍ଚଳରେ ସ୍ଥାୟୀ ଓ ପୂର୍ଣ୍ଣାଙ୍ଗ ବେଞ୍ଚ ସ୍ଥାପନ ପାଇଁ ବଳିଷ୍ଠ ଯୁକ୍ତି ନଥିବା ଅଞ୍ଚଳରେ ହିଁ ସର୍କିଟ ବେଞ୍ଚ ସ୍ଥାପନ କରାଯାଇଥାଏ।

ସମ୍ବନ୍ଧିତ ଖବର