ନୂଆଦିଲ୍ଲୀ: ରାଜସ୍ଥାନର କୋଟା ସରକାରୀ ହସ୍ପିଟାଲ୍ରେ ଶିଶୁମୃତ୍ୟୁ ସଂଖ୍ୟା ୧୦୩ ଛୁଇଁଛି। କୋଟାରେ ଶିଶୁ ମୃତ୍ୟୁ ମାମଲା ଦେଶବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଏ ନେଇ ଚୁପ୍ ରହିବା ଘଟଣାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ କଡ଼ା ସମାଲୋଚନା କରିଛନ୍ତି। କୋଟାରେ ଶିଶୁ ମୃତ୍ୟୁକୁ ରୋକିବାରେ ରାଜସ୍ଥାନର ଅଶୋକ ଗେହଲଟ ସରକାର ବିଫଳ ହୋଇଛନ୍ତି। କୋଟାରେ ହେଉଥିବା ଶିଶୁ ମୃତ୍ୟୁ ଘଟଣା ନେଇ ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧି ଏତେ ସମ୍ବେଦନହୀନ କାହିଁକି ବୋଲି ଯୋଗୀ ଆଦିତ୍ୟନାଥ ପ୍ରଶ୍ନ କରିଛନ୍ତି। ନିୟମିତ ଭାବେ କୋଟାରେ ଶିଶୁଙ୍କର ମୃତ୍ୟୁ ହେଉଛି। ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କରିଯାଇଥିଲେ ମଧ୍ୟ ସୋନିଆ- ପ୍ରିୟଙ୍କା ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ ବୋଲି ଯୋଗୀ କହିଛନ୍ତି। ଏ ନେଇ ଯୋଗୀ ଆଜି ବାରମ୍ବାର ଟ୍ବିଟ୍ କରି ସୋନିଆ ଓ ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରିଛନ୍ତି।
କୋଟାର ଜେ.କେ. ଲୋନ୍ ସରକାରୀ ହସ୍ପିଟାଲ୍ରେ ଆଜି ସୁଦ୍ଧା ୧୦୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇ ସାରିଲାଣି। ସେଠାକାର କଂଗ୍ରେସ ସରକାର ଏହାକୁ ରୋକିବାରେ ବିଫଳ ହୋଇଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। କୋଟାରେ ଶିଶୁ ମୃତ୍ୟୁକୁ ନେଇ ସୋନିଆ ଗାନ୍ଧି କାହିଁକି ଚୁପ୍ ବୋଲି ବିଏସ୍ପି ମୁଖ୍ୟ ମୟାବତୀ ମଧ୍ୟ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏ ବାବଦରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ତୁରନ୍ତ ସ୍ଥିତି ସମ୍ପର୍କରେ ଜଣାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ସେହିଭଳି କୋଟାର ଶିଶୁ ମୃତ୍ୟୁ ନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ନିକଟକୁ ଚିଠି ଲେଖି ତ୍ବରିତ ପଦକ୍ଷେପ ପାଇଁ କହିଛନ୍ତି। କୋଟାକୁ ଏକ ବିଶେଷଜ୍ଞ ଦଳ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ସୋନିଆ-ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କଲେ ଯୋଗୀ, ମାୟାବତୀ
ହସ୍ପିଟାଲ୍ରେ ଏତେ ଶିଶୁଙ୍କ ମୃତ୍ୟୁ କାହିଁକି?
କୋଟା: ରାଜସ୍ଥାନର କୋଟାଠାରେ ସରକାରଙ୍କ ଦ୍ବାରା ପରିଚାଳିତ ଜେ.କେ. ଲୋନ୍ ହସ୍ପିଟାଲ୍ରେ ଶତାଧିକ ଶିଶୁଙ୍କର ମୃତ୍ୟୁ ହେଲାଣି। ତେବେ କାହିଁକି ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲ୍ରେ ଏତେ ସଂଖ୍ୟାରେ ଶିଶୁଙ୍କର ମୃତ୍ୟୁ ହେଉଛି ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୀତି ଜୋର୍ ଧରିଛି। ହସ୍ପିଟାଲ୍ରେ ନବଜାତ ଶିଶୁ ୟୁନିଟ୍ ଏବଂ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଇନ୍କୁବେଟର ଠିକ୍ ଭାବେ କାର୍ଯ୍ୟ କରୁନାହିଁ ବୋଲି ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ସେହିଭଳି ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଡାକ୍ତରଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଗତ ଡିସେମ୍ବର ୨୭ରେ ହସ୍ପିଟାଲ୍ ପରିଦର୍ଶନରେ ଯାଇଥିଲେ। ପ୍ରବଳ ଶୀତ ଯୋଗୁଁ ମଧ୍ୟ ଶିଶୁ ମୃତ୍ୟୁ ହେଉଛି ବୋଲି ଏହି କମିଟି ରିପୋର୍ଟ କରିଥିଲା। ସେହିଭଳି ରାଜ୍ୟ ସ୍ବାସ୍ଥ୍ୟ ସଚିବ ବୈଭବ ଗାଲେରିଆଙ୍କ କହିବା ଅନୁଯାୟୀ, ଅତି ସଂକଟାପନ୍ନ ଅବସ୍ଥାରେ ଶିଶୁମାନଙ୍କୁ ହସ୍ପିଟାଲ୍କୁ ଅଣାଯାଉଛି। ଏହା ଫଳରେ ଶିଶୁଙ୍କର ମୃତ୍ୟୁ ହେଉଛି। ତେବେ ହସ୍ପିଟାଲ୍ର ପରିମଳ ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ ବୋଲି ମଧ୍ୟ ଜଣାପଡ଼ିଛି। ହସ୍ପିଟାଲ୍ର ଶିଶୁ ଚିକିତ୍ସା ୟୁନିଟ୍ ପାଖାପାଖି ଅଞ୍ଚଳରେ ବହୁ ସଂଖ୍ୟାରେ ଘୁଷୁରି ରହୁଥିବା ଜଣାପଡ଼ିଛି। ତେବେ କାରଣ ଯାହା ବି ହେଉ ନା କାହିଁକି ଏକ ନିର୍ଦ୍ଦିଷ୍ଟ ହସ୍ପିଟାଲ୍ରେ ଅଳ୍ପ କିଛି ମାସ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ବ ଶିଶୁଙ୍କର ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।