ଗରମ ଲାଗୁଥିବାରୁ ଭୁଲବଶତଃ ଭେଣ୍ଟିଲିଟର ପ୍ଲଗ କାଢି କୁଲର ପ୍ଲଗ ଲଗାଇଦେଲେ ପରିବାର ଲୋକେ, କିଛି ସମୟ ପରେ ଚାଲିଗଲା ଯୁବକଙ୍କ ଜୀବନ

କୋଟା: ପରିବାରର ଭୁଲ ପାଇଁ କୋଟାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଜଣେ ୪୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି | ଗରମ ଲାଗୁଥିବାରୁ ପରିବାର ଲୋକେ ଭୁଲରେ ଭେଣ୍ଟିଲିଟର ଲାଗିଥିବା ପ୍ଲଗକୁ କାଢି କୁଲର ଲଗାଇବା ପରେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି | ତେବେ ଯୁବକଙ୍କ ମୃତ୍ୟୁ ପାଇଁ ପ୍ରକୃତରେ କିଏ ଦାୟୀ ସେ ନେଇ ତଦନ୍ତ କରିବା ପାଇଁ ତିନିଜଣିଆ କମିଟି ଗଠନ କରାଯାଇଛି |

ମିଳିଥିବା ସୂଚନା ମୁତାବକ, ଯୁବକଜଣକ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତାଙ୍କୁ ମହାରାଓ ଭୀମ ସିଂହ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା | ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଭେଣ୍ଟିଲିଟରରେ ରଖାଯାଇ ପରୀକ୍ଷା ପାଇଁ ସ୍ୱାବ ନମୁନା ନିଆ ଯାଇଥିଲା | ଆଇସିୟୁରେ ଥିବା ଅନ୍ୟ ଜଣେ ରୋଗୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ୍ ଆସିବା ପରେ ସୁରକ୍ଷା ଦୃଷ୍ଟିରୁ ଜୁନ୍ ୧୫ରେ ଉକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।

Kota: Patient dies after family members unplug ventilator to plug ...
Livemint

ଆଇସୋଲେସନ ୱାର୍ଡରେ ଅତ୍ୟଧିକ ଗରମ ହେଉଥିବାରୁ ତାଙ୍କ ପରିବାର ସଦସ୍ୟ ସେହି ଦିନ ଏକ ଏୟାର କୁଲର କିଣିଥିଲେ। କୁଲର୍ ଲଗାଇବା ପାଇଁ କୌଣସି ସକେଟ୍ ନ ପାଇ ସେମାନେ ଭୁଲବଶତଃ ଭେଣ୍ଟିଲେଟରର ପ୍ଲଗ କାଢ଼ି କୁଲର ଲଗାଇଦେଇଥିଲେ | ଏ ବିଷୟରେ ଜଣା ପଡ଼ିବା ପରେ ଡାକ୍ତର ଆସି ଦେଖିବା ବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା | ପରେ ତାଙ୍କର ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିଲା ବୋଲି ଜଣା ପଡିଛି |

ତେବେ ଏହି ଘଟଣା ପରେ ଡେପୁଟି ସୁପରିଟେଣ୍ଡେଣ୍ଟ, ନର୍ସିଂ ସୁପରିଟେଣ୍ଡେଣ୍ଟ ଏବଂ ଡ୍ୟୁଟିରେ ଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ଗଠିତ କମିଟି ଘଟଣାର ଅନୁସନ୍ଧାନ କରିବେ ଏବଂ ତୁରନ୍ତ ରିପୋର୍ଟ ଦାଖଲ କରିବେ । ଯାଞ୍ଚ ରିପୋର୍ଟରେ ଯିଏ ଦାୟୀ ବୋଲି ଜଣାପଡିବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର