କୋଟିଆ ମାମଲା: ଆନ୍ଧ୍ର ସମର୍ଥିତ ପିଟିସନ ଖାରଜ

୫ ସରପଞ୍ଚଙ୍କ ଆବେଦନ ଉପରେ ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୋଟିଆ ମାମଲାରେ କେଁ ପୂରାଇବା ଲାଗି ଆନ୍ଧ୍ର ସରକାରଙ୍କ ଆଉ ଏକ ‌ଚାଲ ବିଫଳ ହୋଇଛି। କୋଟିଆରେ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ଲାଗି କେତେକ ଆନ୍ଧ୍ର ସମର୍ଥିତ ସରପଞ୍ଚ ଦାୟର କରିଥିବା ରିଟ୍ ପିଟିସନକୁ ସୁପ୍ରିମ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ମାମଲାର ମୂଳ ପିଟିସନ ଉପରେ ଶୁଣାଣି ବେଳେ ଏଭଳି ପିଟିସନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଓଡ଼ିଶାର ଯୁକ୍ତି ପରେ ସୁପ୍ରିମ କୋର୍ଟ ଆନ୍ଧ୍ର ସମର୍ଥିତ ସରପଞ୍ଚଙ୍କ ପିଟିସନ ଗ୍ରହଣ କରିବାକୁ ମନା କର‌ିଦେଇଛନ୍ତି।

କାରୁକୁଟି, ପାଗୁଲୁଚିନେରୁ, ପାଟ୍ଟୁଚିନେରୁ, ଗଂଜାୟିଭଦ୍ର ଓ ସାରିକାର ପଞ୍ଚାୟତର ସରପଞ୍ଚ ଏହି ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ। ଏହି ଅଞ୍ଚଳରେ ଆନ୍ଧ୍ର ଦ୍ବାରା ବେଆଇନ ଭାବେ କରାଯାଇଥିବା ନିର୍ବାଚନରେ ଏମାନେ ବିଜୟୀ ହୋଇଥିଲେ। ସେମାନେ ଦାଖଲ କରିଥିବା ପିଟିସନରେ କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା ସହିତ କୋଟିଆ ଗ୍ରାମପୁଞ୍ଜର ୨୧ଟି ଗ୍ରାମକୁ ଆନ୍ଧ୍ର ବିଜୟନଗରମ ଜିଲ୍ଲାର ସାଲୁର ମଣ୍ଡଳର ବୋଲି ଘୋଷଣା କରିବାକୁ ଅପିଲ କରିଥିଲେ। ଏହି ୨୧ଟି ଗ୍ରାମର ବାସିନ୍ଦା ଆନ୍ଧ୍ର ସରକାରଙ୍କ ସମସ୍ତ ସରକାରୀ ଯୋଜନାର ସୁବିଧା ପାଉଛନ୍ତି। ତେଣୁ ସେମାନଙ୍କୁ ଆନ୍ଧ୍ର ସହ ରହିବାକୁ ଅନୁମତି ମିଳୁ ବୋଲି ପିଟିସନରେ ଦର୍ଶାଯାଇଥିଲା।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ଓ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ସୋମବାର ଭିଡିଓ କନଫରେନ୍‌ସିଂ ଜରିଆରେ ମାମଲାର ଶୁଣାଣି ବେଳେ ୫ ଆବେଦନକାରୀ ସରପଞ୍ଚଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିନା ମାଧବନ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍‌ ରେକର୍ଡ ଶିବ ଶଙ୍କର ମିଶ୍ର ଖଣ୍ଡପୀଠଙ୍କୁ ଏଭଳି ଏକ ପିଟିସନ ଆ‌‌ଦୌ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ଏହା ସହିତ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ଏ ସଂପର୍କିତ ଦୁଇଟି ମାମଲା ବିଚାରାଧୀନ ଥିବା ଶ୍ରୀ ମିଶ୍ର ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ଦ୍ବାରା ଅରିଜିନାଲ ସୁଟ୍‌ ଦାଖଲ କରାଯାଇଛି। କୋଟିଆରେ ଆନ୍ଧ୍ର ଦ୍ବାରା ୨୦୨୧ରେ ପଞ୍ଚାୟତ ନିର୍ବାଚନ କରାଯାଇଥିବାରୁ ଆନ୍ଧ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଦାଲତ ଅବମାନନା ପିଟିସନ ମଧ୍ୟ ଓଡ଼ିଶା ଦାଖଲ କରିଛି। ମୂଳ ଆବେଦନର ବିଚାର ପରେ ଏହାର ଶୁଣାଣି କରାଯିବ ବୋଲି ‌ସର୍ବୋଚ୍ଚ ନ୍ୟାୟାଳୟ ଗତ ସପ୍ତାହ ଆଦେଶ ଦେଇଛନ୍ତି। ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ୫ ସରପଞ୍ଚଙ୍କ ଦ୍ବାରା ଦାଖଲ ରିଟ୍‌ ପିଟିସନକୁ ଶୁଣାଣି ପାଇଁ ଖଣ୍ଡପୀଠ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର