ସୁପ୍ରିମକୋର୍ଟରେ କୋଟିଆ ମାମଲା : ଓଡ଼ିଶା ରୁଜୁ କରିବ ଅରିଜିନାଲ ସୁଟ୍‌

ନୂଆଦିଲ୍ଲୀ : କୋଟିଆ ପ୍ରସଙ୍ଗରେ ନିକଟରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସତ୍ୟପାଠର ଜବାବୀ ସତ୍ୟପାଠ ଦାଖଲ କରିଛନ୍ତି। କୋଟିଆ ପଞ୍ଜାୟତର ତିନି ଗାଁ ଓଡିଶାର ଅବିଚ୍ଛେଦ୍ୟ ଅଂଶ ବୋଲି ଏକାଧିକ ପ୍ରମାଣ ସହ ଦୃଢ଼ ତଥ୍ୟ ଦାଖଲ କରିଛନ୍ତି। ଆନ୍ଧ୍ର ପ୍ରଦେଶ ଯେଉଁଭଳି ଭାବେ ତିନି ଗାଁରେ ସମିତି ସଭ୍ୟ ନିର୍ବାଚନ ନେଇ ଭୋଟ ବିଜ୍ଞପ୍ତି ଜାରି କରିଛି, ସେ ନେଇ ରାଜ୍ୟ ସରକାର ପ୍ରତିକ୍ରିୟାଶୀଳ ହେବା ସହ ଅରିଜିନାଲ୍‌ ସୁଟ୍‌ ଦାଖଲ କରାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବ୍‌ଶୀଘ୍ର କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅରିଜିନାଲ୍ ସୁଟ୍ ଦାଖଲ କରାଯିବ। ସମ୍ବିଧାନର ଧାରା ୧୩୧କୁ ଆଧାର କରି ଓଡିଶାର ମାମଲାରେ ସୁପ୍ରିମକୋର୍ଟ ୨୦୦୬ରେ ପୂର୍ଣ୍ଣଚ୍ଛେଦ ପକାଇବା ସହିତ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋଟିଆ ପ୍ରସଙ୍ଗରେ ଓଡ଼ିଶା ଦ୍ୱାରା ୧୯୨୦ରୁ ୧୯୨୭ ମସିହା ହୋଇଥିବା ଚୁକ୍ତି ଓ ନଥିପତ୍ର ଦାଖଲ କରାଯାଇଥିଲା, ହେଲେ ସୁପ୍ରିମକୋର୍ଟ ଚୁକ୍ତି ଓ ନଥିପାତ୍ର ସମ୍ବିଧାନ ପ୍ରଣୟନ ହେବାର ପୂର୍ବର ବୋଲି କହିବା ସହିତ ଏହା ଉପରେ କୌଣସି ନିଷ୍ପତ୍ତି ନେବାର ସୁପ୍ରିମକୋର୍ଟଙ୍କ କ୍ଷମତା ନାହିଁ ବୋଲି କହି ମାମଲାର ଅନ୍ତ ଘଟାଇଥିଲେ। ଓଡ଼ିଶା ଦ୍ୱାରା ଅରିଜିନାଲ୍ ସୁଟ୍ ଦାଖଲ କରାଯାଇ ସମ୍ବିଧାନର ଧାରା ୧୩୧ ଯୋଗୁଁ ମାମଲାର ତତ୍କାଳ ସମାଧାନ ହୋଇ ପାରୁନାହିଁ ଏବଂ କୋଟିଆକୁ ନେଇ ଓଡ଼ିଶା ପାଖରେ ଏକାଧିକ ପ୍ରମାଣ ରହିଛି ବୋଲି ଆବେଦନ କରାଯିବ। ଓଡ଼ିଶା ଦ୍ୱାରା କୋଟିଆ ପ୍ରସଙ୍ଗରେ ୧୯୬୮ରେ ସୁପ୍ରିମକୋର୍ଟରେ ମାମଲା ଦାଖଲ କରାଯାଇଥିବା ସମୟରେ ୧୯୬୮ର ପୂର୍ବର ଦସ୍ତାବିଜ ବହୁ ସଂଖ୍ୟାରେ ଦାଖଲ କରାଯାଇଥିଲା। ଧାରା ୧୩୧ ଯୋଗୁଁ ସୀମା ବିବାବ ଫସି ରହିଥିବାରୁ ଏହାକୁ ରଦ୍ଦ କରିବା ପାଇଁ ଓଡ଼ିଶା ପକ୍ଷରୁ ଅରିଜିନାଲ୍ ସୁଟ୍‌ରେ ପ୍ରର୍ଥନା କରାଯିବ ବୋଲି ଜଣାପଡ଼ିଛି। ସୂତ୍ର ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅରିଜିନାଲ୍ ସୁଟ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଆସିବା ପରେ ସୁପ୍ରିମକୋର୍ଟରେ ଏହି ମାମଲା ପରିଚାଳନା କରୁଥିବା ଲିଗାଲ ଟିମ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖୁବ୍‌ଶୀଘ୍ର ଅରିଜିନାଲ୍ ସୁଟ୍ ଦାଖଲ କରାଯିବାକୁ ନେଇ ସ୍ଥିର ହୋଇଛି, ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ନଥିପତ୍ର ଏକତ୍ରିତ କରାଯାଇଛି, ଯାହାକୁ ଅରିଜିନାଲ୍ ସୁଟ୍‌ରେ ସାମିଲ କରାଯିବ।

ଉଲ୍ଲେଖଯୋଗ୍, ଓଡ଼ିଶା ଦ୍ୱାରା ଫେବ୍ରୁଆରୀ ୧୧ରେ ଆନ୍ଧ୍ରପ୍ରଦେଶରେ ଅଦାଲତ ଅବମାନା ମାମଲା ଦାୟର କରାଯିବା ପରେ ଆନ୍ଧ୍ର ଦ୍ୱାରା ସତ୍ୟପାଠ ଦାଖଲ କରାଯାଇ କୌଣସି ରାୟକୁ ଅବମାନନା କରାଯାଇନଥିବାର କୁହାଯାଇଥିଲା। ଏହାପରେ ଗତମାସରେ ଓଡ଼ିଶା ଦ୍ୱାରା ୫୦୦ ପୃଷ୍ଠାର ଜବାବୀ ସତ୍ୟପାଠ ଦାଖଲ କରାଯାଇ କୋଟିଆ ଓଡ଼ିଶାର ବୋଲି ଏକାଧିକ ପ୍ରମାଣ ଓ ତଥ୍ୟ ଦାଖଲ କରାଯାଇଥିଲା। ମାମଲାର ଶୁଣାଣି ଚଳିତ ମାସ ୯ ତାରିଖରେ ସୁପ୍ରିମକୋର୍ଟରେ ହେବ। ଶୁଣାଣି ପୂର୍ବରୁ ଓଡ଼ିଶା ଅରିଜିନାଲ୍ ସୁଟ୍ ଦାଖଲ କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର