ନୂଆଦିଲ୍ଲୀ : କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ଦାଖଲ କରିଥିବା ଜବାବର ପ୍ରତିଜବାବ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଛନ୍ତି। ଜଷ୍ଟିସ ଏ.ଏମ୍. ଖାନ୍‌ୱିଲକର ଓ ଜଷ୍ଟିସ ଦିନେଶ ମହେଶ୍ବରୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ଆଜି ମାମଲାର ଦ୍ବିତୀୟ ଶୁଣାଣି ବେଳେ ଏହି ସମୟ ଦିଆଯାଇଛି। ସଂକ୍ଷିପ୍ତ ଶୁଣାଣିରେ ଆନ୍ଧ୍ର ସରକାରଙ୍କ ଓକିଲ ମହଫୁଜ ଏ ନାଜ୍‌କି କହିଥିଲେ, ଅଦାଲତଙ୍କ ନିର୍ଦେଶ ଆଧାରରେ ତାଙ୍କ ସରକାର ଓଡିଶାର ଅଦାଲତ ଅବମାନନା ଅଭିଯୋଗ ଉପରେ ଜବାବ ଦାଖଲ କରିସାରିଛନ୍ତି। ଆନ୍ଧ୍ର ସରକାର ସର୍ବୋଚ୍ଚ ନ୍ୟାୟ୍ୟାଳୟଙ୍କର କୌଣସି ପ୍ରକାର ଆଦେଶ ଅବମାନନା ଉଲ୍ଲଂଘନ କରିବା ତ ଦୂରର କଥା, ସେ ନେଇ କଳ୍ପନା ସୁଦ୍ଧା କରିପାରିବେ ନାହିଁ। ଅଣ୍ଡରଟେକିଂର ମଧ୍ୟ ଉଲଂଘନ କରାଯାଇ ନାହିଁ। ଏଣୁ ଓଡିଶା ଦାଖଲ କରିଥିବା ଅଦାଲତ ଅବମାନନା ଆବେଦନକୁ ଖାରଜ କରିଦେବା ପାଇଁ ସେ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଆହୁରି କହିଥିଲେ ଯେ ଓଡ଼ିଶାର ଅଭିଯୋଗ ଆଦୌ ସତ୍ୟ ଉପରେ ଆଧାରିତ ନୁହେଁ।

Advertisment

ଓଡିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ବିକାଶ ସିଂହ ଏବଂ ସୁପ୍ରିମ କୋର୍ଟର ଆଡଭୋକେଟ ଅନ୍‌ରେକର୍ଡ ଶିବ ଶଙ୍କର ମିଶ୍ର ଯୁକ୍ତି ଉପସ୍ଥାପନ କରିଥିଲେ। ସେମାନେ କହିଥିଲେ, ଆନ୍ଧ୍ର ପ୍ରଦେଶ ଦ୍ୱାରା ଯେଉଁ ସବୁ ଜବାବ ଦିଆଯାଇଛି ସେଥିରେ ଅନେକ ବିରୋଧାଭାସ ରହିଛି। ଆଦୌ ସ୍ପଷ୍ଟତା ନାହିଁ। କୋଟିଆ ଓଡ଼ିଶାର ବୋଲି ଶୁଣାଣି ବେଳେ ସେମାନେ ଯୁକ୍ତି ବାଢିବା ସହିତ ୨୦୧୧ ଜନଗଣନା ତଥା ୨୦୧୪ ଓ ୨୦୧୯ର ନିର୍ବାଚନର ତଥ୍ୟକୁ ଖଣ୍ଡପୀଠଙ୍କ ନିକଟରେ ଉପସ୍ଥାପନ କରିଥିଲେ। କେବଳ ଏତିକି ନୁହେଁ, ଶୁଣାଣି ବେଳେ ଓଡ଼ିଶା ପକ୍ଷରୁ କୋଟିଆରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ସଂପର୍କରେ ମଧ୍ୟ ସଦ୍ୟତମ ତଥ୍ୟ ଗୁଡିକୁ ଖଣ୍ଡପୀଠଙ୍କ ନିକଟରେ ଦୃଢତାର ସହ ଉପସ୍ଥାପନ କରାଯାଇଥିଲା।

ଓଡ଼ିଶା ଯୁକ୍ତି ରଖିଥିଲା ଯେ ଆନ୍ଧ୍ର ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୩୬ରେ ଓଡିଶା ପ୍ରଦେଶ ଗଠନ ହୋଇଥିଲା। ସେହିଦିନଠାରୁ କୋଟିଆ ଓଡିଶାର। ଏ ସଂକ୍ରାନ୍ତ ତଥ୍ୟ ମଧ୍ୟ ଗୃହରେ ରଖାଯାଇଥିଲା। ରାଜ୍ୟ ସରକାର ଜନ ଗଣନାର ତଥ୍ୟ ବ୍ୟବହାର କରୁଥିବା ବେଳେ କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ସରକାର ନିଜସ୍ବ ସର୍ଭେ ତଥ୍ୟ ରଖୁଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିକାଶ ସିଂହ କହିଥିଲେ। ଓଡିଶା ପାଖରେ ଏ ସଂପର୍କିତ ଏକାଧିକ ନଥିପତ୍ର ରହିଛି ଯ଼ାହାକୁ ତର୍ଜମା କରି ପ୍ରତିଜବାବ ଦାଖଲ କରାଯ଼ାଇପାରିବ। ଏଥିପାଇଁ ସମଯର ଆବଶ୍ୟକତା ରହିଛି। ପ୍ରତିଜବାବ ଦାଖଲ କରିବା ପାଇଁ ସେ ୪ ସପ୍ତାହର ସମୟ ଲୋଡ଼ିଥିଲେ। ଖଣ୍ଡପୀଠ ତୁରନ୍ତ ଏହାକୁ ଗ୍ରହଣ କରି ଓଡିଶାକୁ ୪ ସପ୍ତାହ ସମୟ ପ୍ରଦାନ କରିଥିଲେ।

ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନେଇ କୋର୍ଟ ତାରିଖ ଧାର୍ଯ୍ୟ କରି ନାହାନ୍ତି। ଚାରି ସପ୍ତାହ ପରେ ଶୁଣାଣି ହେବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ ଯେ କୋରାପୁଟ ଜିଲ୍ଲାର ବିବାଦୀୟ ‘କୋଟିଆ’ ସଂପର୍କରେ ସୁପ୍ରିମ କୋର୍ଟଙ୍କ ସ୍ଥିତାବସ୍ଥା ବଜାୟ ରଖିବାକୁ ୧୯୬୮ ଓ ୨୦୦୬ର ଆଦେଶକୁ ଆନ୍ଧ୍ରଦ୍ବାରା ଉଲଂଘନ କରାଯାଇଛି ଓ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରାଇବାକୁ ନେଇ ଓଡିଶା ଦ୍ବାରା ସୁପ୍ରିମ କୋର୍ଟରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ପିଟିସନ ଦାଖଲ କରାଯାଇଥିଲା।