ସୁପ୍ରିମ କୋର୍ଟରେ କୋଟିଆ ମାମଲାର ଶୁଣାଣି ଆଜି

ଆନ୍ଧ୍ରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ, କୋର୍ଟ ଆଭିମୁଖ୍ୟ ଉପରେ ନଜର

ନୂଆଦିଲ୍ଲୀ : କୋଟିଆ ମାମଲାରେ ଆଜି ସୁପ୍ରିମ କୋର୍ଟର ବିଚାରପତି ଏ.ଏମ୍. ଖାନ୍‌ୱିଲକର ଓ ବିଚାର ପତି ଦିନେଶ ମାହେଶ୍ବରୀଙ୍କର ଖଣ୍ଡପୀଠରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ଗତକାଲି ଆନ୍ଧ୍ର ପ୍ରଦେଶ ପକ୍ଷରୁ ଓଡିଶାର ଅଦାଲତ ଅବମାନନା ଅଭିଯୋଗ ସଂପର୍କିତ ପିଟିସନ ଉପରେ ଜବାବ ଦାଖଲ କରାଯାଇଥିଲା। ଜବାବରେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆରେ ନିର୍ବାଚନ କରି ଅଦାଲତର ଅବମାନନା କରାଯାଇନାହିଁ ବୋଲି ସଫେଇ ଦେଇଛନ୍ତି। ଏଥିସହିତ ଓଡିଶାର ପିଟିସନ୍‌କୁ ଖାରଜ କରିବା ପାଇଁ ଆବେଦନ କରାଯାଇଛି।

ଅପରପକ୍ଷେ ୫୦ ପୃଷ୍ଠାର ସତ୍ୟପାଠରେ ଆନ୍ଧ୍ର ପକ୍ଷରୁ ଯେଉଁ ସବୁ ତଥ୍ୟ ଗୁଡିକୁ ଉପସ୍ଥାପନ କରାଯାଇଛି ତାହାର ଜବାବ ପାଇଁ ଓଡିଶାର ଲିଗାଲ ଟିମ ରଣନୀତି ପ୍ରସ୍ତୁତ କରିଛନ୍ତି। ସ୍ଥିର ହୋଇଛି ଯେ ଓଡ଼ିଶା ପକ୍ଷରୁ ତଥ୍ୟ ଆଧାରରେ ଆନ୍ଧ୍ର ପ୍ରଦେଶକୁ କଡ଼ା ଜବାବ ଦିଆଯିବ।

ମିଳିଥିବା ସୂଚନା ଅନୁସାରେ, ୨୦୧୧ର କେନ୍ଦ୍ର ସରକାରଙ୍କ ଜନଗଣନା, ୨୦୧୪ ଓ ୨୦୧୯ର ନିର୍ବାଚନର ତଥ୍ୟ, ସ୍ଥାନୀୟ ଲୋକଙ୍କ ପାଇଁ ବିକାଶ ମୂଳକ କାର୍ଯ୍ୟ ଅର୍ଥାତ୍ ମନରେଗା, ବିଜୁ ପକ୍କାଘର ଯୋଜନା, ସ୍କୁଲ ଭଳି ଏକାଧିକ ଦସ୍ତାବିଜ ଗୁଡିକୁ ଆଧାର କରି ସର୍ବୋଚ୍ଚ ନ୍ୟାୟାଳୟରେ ଆନ୍ଧ୍ରକୁ ଘେରିବ ଓଡ଼ିଶା। ଏଥିପାଇଁ ରଣନୀତି ଚୂଡାନ୍ତ କରାଯାଇଛି। ଏତଦ୍‌ ବ୍ୟତୀତ ଆଇନଗତ ଲଢେଇକୁ ପ୍ରଭାବୀ କରିବା ପାଇଁ ଦୁଇ ଦିନ ଧରି ଦିଲ୍ଲୀର ଲିଗାଲ୍‌ ଟିମ୍‌ ରାଜ୍ୟର ରାଜସ୍ବ ଓ ଆଇନ ବିଭାଗର ବରିଷ୍ଠ ଅଧିକାରୀ ତଥା କୋରାପୁଟ ଜିଲ୍ଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲାରେ ଜଡିତ ଥିବା ସମସ୍ତ ପତ୍ର ରେକର୍ଡ, ନଥିପତ୍ର ଓ ଦସ୍ତାବିଜ ଉପରେ ଆଲୋଚନା କରିଛନ୍ତି।

ସେପଟେ ଆନ୍ଧ୍ରର ଜବାବ୍ ଉପରେ ପ୍ରତି ଜବାବ ଦାଖଲ ପାଇଁ ସୁପ୍ରିମ କୋର୍ଟଙ୍କ ଏଓଆର୍‌ଙ୍କ ପାଖରେ ଶତ ପ୍ରତିଶତ ନଥିପତ୍ର ଉପଲବ୍ଧ ହୋଇ ସାରିଛି। ଏ ଗୁଡିକର ତର୍ଜମା କରି ପ୍ରତି ଜବାବ ଦାଖଲ କରାଯିବା ପାଇଁ ଆସନ୍ତାକାଲିର ଶୁଣାଣିରେ ଓଡିଶା ସର୍ବୋଚ୍ଚ ନ୍ୟାୟାଳୟର ଖଣ୍ଡପୀଠଙ୍କ ନିକଟରୁ ସମୟ ଲୋଡ଼ିବାର ବି ସମ୍ଭାବନା ରହିଛି। ତେବେ ମାମଲାରେ ଆସନ୍ତା କାଲି ସର୍ବୋଚ୍ଚ ନ୍ୟାୟ୍ୟାଳୟ କି ଆଭିମୁଖ୍ୟ ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର