କୋଟିଆ ମାମଲା : ଆନ୍ଧ୍ର ପ୍ରଦେଶକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ୧୯ରେ ଶୁଣାଣି

ନୂଆଦିଲ୍ଲୀ : କୋଟିଆ ମାମଲାରେ ସୁପ୍ରିମ କୋର୍ଟ ଆଜି ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ୧୯ ତାରିଖ ପୂର୍ବରୁ ଜବାବ ଦେବାପାଇଁ କୁହାଯାଇଛି। ତେବେ ପଞ୍ଚାୟତ ନିର୍ବାଚନରେ ପୁଣି ରୋକ ଲଗାଇବା ନେଇ କିଛି କହି ନାହାନ୍ତି। ଆସନ୍ତା ୧୯ରେ ମାମଲାର ପରବର୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ ଯେ ସୁପ୍ରିମ କୋର୍ଟଙ୍କ ରହିତାଦେଶ ସତ୍ତ୍ବେ କୋଟିଆର ୩ଟି ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ଲାଗି ଆନ୍ଧ୍ର ପ୍ରଦେଶ ଉଦ୍ୟମ ଚଳାଇଛି। ଏହାକୁ ନେଇ ଓଡ଼ିଶା ପକ୍ଷରୁ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର କରାଯାଇଛି। ମାମଲାର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହୋଇଛି। ବିଚାରପତି ଏ.ଏମ୍‌. ଖାନ୍‌ୱିଲକର ଓ ବିଚାରପତି ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆନ୍ଧ୍ର ପ୍ରଦେଶକୁ ନୋଟିସ ଜାରି କରି ଉତ୍ତର ଲୋଡ଼ିଛନ୍ତି। ଭିଡିଓ କନ୍‌ଫରେନସିଂ ଜରିଆରେ ହୋଇଥିବା ଶୁଣାଣିରେ ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ
ତଥା ପୂର୍ବତନ ଅତିରିକ୍ତ ସଲିସିଟର ଜେନରାଲ ବିକାଶ ସିଂହ ଓ ସୁପ୍ରିମକୋର୍ଟର ଆଡଭୋକେଟ ଅନ୍‌ରେକର୍ଡ ଶିବ ଶଙ୍କର ମିଶ୍ର ଯୁକ୍ତି ଉପସ୍ଥାପନ କରିଥିଲେ। କହିଥିଲେ ଯେ ସ୍ଥିତାବସ୍ଥା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଉଲଂଘନ କରି ଆନ୍ଧ୍ର ସରକାର କୋଟିଆରେ ବଳପୂର୍ବକ ନିର୍ବାଚନ କରିବାକୁ ଯାଉଛନ୍ତି। ଏହି ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି ଉପସ୍ଥାପନ କରିଥିଲେ। ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ଭୋଟ ବିଜ୍ଞପ୍ତି ଯୋଗୁଁ ଏକ ପ୍ରକାର ଅସ୍ଥିରତା ସୃଷ୍ଟି ‌େହାଇଛି। ଆନ୍ଧ୍ରର ଉଦ୍ୟମ ଉପରେ ରୋକ ଲଗାଯାଉ ବୋଲି ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ୧୯୬୮ ଡିସେମ୍ବର ଓ ୨୦୦୬ ମାର୍ଚ୍ଚ ମାସରେ କୋଟିଆ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଯେଉଁ ରାୟ ଦେଇଥିଲେ, ତାହାର ନକଲ ଗୁଡିକୁ ଉପସ୍ଥାପନ କରାଯାଇଥିଲା।

ଆନ୍ଧ୍ର ପ୍ରଦେଶ ପକ୍ଷରୁ ଏହି ମାମଲାର ଶୁଣାଣି ବେଳେ ଷ୍ଟାଣ୍ଡିଂ କାଉନ୍‌ସେଲ୍‌ ମହଫୁଜ୍‌ ନାଜ୍‌କି ତଥା ରାଜ୍ୟର ରାଜସ୍ବ ସଚିବ ଅନ୍‌ଲାଇନ୍‌ରେ ଯୋଡ଼ି ହୋଇଥିଲେ। ଆନ୍ଧ୍ରକୁ କୌଣସି ନୋଟିସ ଜାରି କରାଯାଇନଥିଲେ ମଧ୍ୟ ଆନ୍ଧ୍ରର ଓକିଲ ଶୁଣାଣିରେ ଉପସ୍ଥିତ ଥିଲେ। ସେ କହିଥିଲେ ଯେ କୋଟିଆରେ ଆଗରୁ ଆନ୍ଧ୍ର ସରକାର ନିର୍ବାଚନ କରିଆସୁଛନ୍ତି।

ଏହାପରେ ଖଣ୍ଡପୀଠ ଓଡିଶାର ଆବେଦନ ଉପରେ ଆନ୍ଧ୍ରକୁ ଜବାବ୍‌ ଦାଖଲ କରିବା ପାଇଁ ନୋଟିସ୍‌ ଜାରି କରିଥିଲେ। ପରବର୍ତୀ ଶୁଣାଣି ପାଇଁ ୧୯ ତାରିଖ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର