କୋଟିଆ ବିବାଦ: କେବେ ଦାଖଲ ହେବ ଅରିଜିନାଲ୍‌ ସୁଟ୍‌?

ନୂଆଦିଲ୍ଲୀ : କୋଟିଆ ବିବାଦକୁ ନେଇ ରାଜ୍ୟ ସରକାର କେବେ ସୁପ୍ରିମକୋର୍ଟରେ ଅରିଜିନାଲ୍‌ ସୁଟ ଦାଖଲ କରିବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇପାରିନାହିଁ। କାହିଁକି ଅରିଜିନାଲ ସୁଟ୍‌ ଦାଖଲ କରିବାରେ ବିଳମ୍ବ କରାଯାଉଛି, ତାହାର ମଧ୍ୟ କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ବାରା ଚଳିତ ବର୍ଷ ମାର୍ଚ ମାସରେ କୋଟିଆ ବିବାଦରେ ସୁପ୍ରିମକୋର୍ଟରେ ଅରିଜିନାଲ୍‌ ସୁଟ୍‌ ଦାଖଲ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତଦ୍ ଅନୁସାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସୁପ୍ରିମକୋର୍ଟରେ ନିୟୋଜିତ ଆଡଭୋକେଟ୍‌ ଅନ୍‌ ରେକର୍ଡଙ୍କୁ ଅରିଜିନାଲ ସୁଟ୍‌ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ନଥିପତ୍ର ଓ ଦସ୍ତାବିଜ୍‌ ପଠାଯାଇଥିଲା। ଅରିଜିନ‌ାଲ ସୁଟ୍‌ ପ୍ରସ୍ତୁତି ପାଇଁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହାୟତା ମଧ୍ୟ ନିଆଯାଇଥିଲା।

ମିଳିଥିବା ସୂଚନା ଅନୁସାରେ ଅରିଜିନାଲ୍‌ ସୁଟ୍‌ ପ୍ରସ୍ତୁତ କରିବା କାର୍ଯ୍ୟ କେବେ ଚୂଡ଼ାନ୍ତ ‌ ଦାଖଲ କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅରିଜିନାଲ୍‌ ସୁଟ୍‌ ଅନ୍ତର୍ଗତ କୋଟିଆ ପ୍ରସଙ୍ଗରେ ସମ୍ବିଧାନର ଧାରା ୧୩୧କୁ ଚ୍ୟାଲେଂଜ କରାଯିବ। ସମ୍ବିଧାନର ଧାରା ୧୩୧କୁ ଆଧାର କରି କୋଟିଆ ପ୍ରସଙ୍ଗରେ ଓଡ଼ିଶା ମାମଲା‌ରେ ସୁପ୍ରିମକୋର୍ଟ ୨୦୦୬ରେ ପୂର୍ଣ୍ଣଚ୍ଛେଦ ପକାଇବା ସହିତ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋଟିଆ ପ୍ରସଙ୍ଗରେ ଓଡ଼ିଶା ଦ୍ବାରା ୧୯୨୦ ରୁ ୧୯୨୭ ମଧ୍ୟରେ ହୋଇଥିବା ଚୁକ୍ତି ଓ ନଥିପତ୍ର ଦାଖଲ କରାଯାଇଥିଲା, ହେଲେ ସୁପ୍ରିମକୋର୍ଟ ଚୁକ୍ତି ଓ ନଥିପତ୍ର ସମ୍ବିଧାନ ପ୍ରଣୟନ ହେବା ପୂର୍ବର ବୋଲି କହିବା ସହିତ ଏହା ଉପରେ କୌଣସି ନିଷ୍ପତ୍ତି ନେବା ସୁପ୍ରିମକୋର୍ଟଙ୍କ କ୍ଷମତା ନାହିଁ ବୋଲି କହି ମାମଲାର ଅନ୍ତ ଘଟାଇଥିଲେ।

newindianexpress.com

ଓଡ଼ିଶା ଦ୍ବାରା ପ୍ରସ୍ତୁତ କରାଯାଇଥିବା ଅରିଜିନାଲ ସୁଟ୍‌ରେ ସମ୍ବିଧାନର ଧାରା ୧୩୧ରେ ମାମଲାର ତତ୍କାଳ ସମାଧାନ ହୋଇପାରୁନାହିଁ। ଅନ୍ୟପକ୍ଷରେ କୋଟିଆକୁ ନେଇ ଓଡ଼ିଶା ପାଖରେ ଏକାଧିକ ଦସ୍ତାବିଜ୍‌ ପ୍ରସ୍ତୁତ ଅରିଜିନାଲ୍‌ ସୁଟ୍‌ରେ ସାମିଲ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶା ଦ୍ବାରା ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ଅରିଜିନାଲ୍‌ ସୁଟ୍‌ ଦାଖଲ ପାଇଁ ଡ୍ରାଫ୍ଟ ଚୂଡ଼ାନ୍ତ ହୋଇସାରିଥିବାବେଳେ ଏହା ଦାଖଲ ହେବା ପରେ ପୁଣି ଏହା କୋଟିଆ ବିବାଦକୁ ନୂଆ ମୋଡ଼ ଦେଇପାରେ ବୋଲି ଅନୁମାନ କରାଯାଉଛି। ବିବାଦୀୟ କୋଟିଆ ଗ୍ରାମ ପୁଞ୍ଜରେ ଆନ୍ଧ୍ର ନିର୍ବାଚନ କମିସନ ପଂଚାୟତ ନିର୍ବାଚନ ଚଳିତ ବର୍ଷ ଫେବ୍ରୁଆରି ମାସରେ ଘୋଷଣା କରିବା ପରେ ବିବାଦୀୟ ପରିସ୍ଥିତି ଆରମ୍ଭ ହୋଇଯାଇଥିଲା। ନିର୍ବାଚନକୁ ଓଡ଼ିଶା ସରକାର ପ୍ରବଳ ବିରୋଧ କରିବା ସହିତ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟରେ ଫେବ୍ରୁଆରି ୧୧ରେ ଅଦାଲତ ଅବମାନନା ମକଦ୍ଦମା ରୁଜୁ କରିଥିଲେ। ଏହା ପରେ ଓଡ଼ିଶା ଦ୍ବାରା ଏପ୍ରିଲ ୭ ତାରିଖରେ ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଦ୍ବିତୀୟ ଅଦାଲତ ଅବମାନନ‌ା ପିଟିସନ ଦାଖଲ କରାଯାଇଥିଲା।

ସୁପ୍ରିମକୋର୍ଟରେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଦୁଇଟି ପିଟିସନ୍‌ ବିଚାରାଧୀନ ରହିଛି ଏବଂ ବର୍ତ୍ତମାନ ସୁ୍ଦ୍ଧା ଏହି ମାମଲ‌ାରେ ବିସ୍ତୃତ ଶୁଣାଣି ସୁପ୍ରିମକୋର୍ଟ କରିନାହାନ୍ତି। ଅଗଷ୍ଟ ୩୧ରେ କୋଟିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ବିଚାରପତି ଏ.ଏମ. ଖାନୱିଲକର, ବିଚାରପତି ସଂଜୀବ ଖାନ୍ନା ଏବଂ ବିଚାରପତି କେ.କେ. ମ‌ାହେଶ୍ବରୀ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମାମଲାକୁ ରାଜନୈତିକ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ଅନ୍ତର୍ଗତ ଦୁଇ ରାଜ୍ୟ ଦ୍ବାରା ସମାଧାନ ଦିଗରେ ‌କି କି ପଦକ୍ଷେପ ନିଆଯାଇଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଅପରପକ୍ଷେ, ରାଜ୍ୟରେ ଆଗାମୀ ପଂଚାୟତ ନିର୍ବାଚନ ଦୃଷ୍ଟିରୁ ବଦଳୁଥିବା ସ୍ଥିତିକୁ ଧ୍ୟାନରେ ରଖି କୋଟିଆ ପ୍ରସଙ୍ଗର ତ୍ବରିତ ସମାଧାନ ଦିଗରେ ନ୍ୟାୟିକ ଲଢ଼େଇ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ସକ୍ରିୟତା ଉପରେ ନଜର ରହିବା ସ୍ବାଭାବିକ ବୋଲି ଆଇନ ବିଶାରଦ ମତ ପ୍ରକାଶ କରିଛନ୍ତି। ଏମିତିରେ ରାଜ୍ୟ ସରକାରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ଶୀଘ୍ର ଦାଖଲ କରିବାର ସମ୍ଭାବନା ବୃଦ୍ଧିପାଇଛି।

ସମ୍ବନ୍ଧିତ ଖବର