ନୂଆଦିଲ୍ଲୀ: କୋଟିଆ ଗ୍ରାମପୁଞ୍ଜ ବିବାଦକୁ ନେଇ ଆନ୍ଧ୍ର ସରକାରଙ୍କ ବିରୋଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦାଖଲ ତିନିଟି ମାମଲା ବର୍ତ୍ତମାନ ସୁ୍ପ୍ରିମକୋର୍ଟରେ ଝୁଲି ରହିଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ବାରା କୋଟିଆ ମାମଲାରେ ୨୦୨୩ରେ ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍ରେ କିଛି ସଂଶୋଧନ ପାଇଁ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି। ଗତକାଲି ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଅରିଜିନାଲ ସୁଟର ବିଚାରପତି ଜଷ୍ଟିସ୍ ଉଜ୍ଜଳ ଭୂୟାଁଙ୍କ ପ୍ରକୋଷ୍ଠ (ଚାମ୍ବର)ରେ ପ୍ରୋସିଡିଂ ପାଇଁ ତାଲିକାଭୁକ୍ତ କରାଯାଇଥିଲା। ହେଲେ ମାମଲାର ଶୁଣାଣି ହୋଇପାରିନଥିଲା।
ସୂଚନାଯୋଗ୍ୟ ଯେ ୨୦୨୧ରେ କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ପଂଚାୟତ ନିର୍ବାଚନ କରିବା ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ନିର୍ବାଚନକୁ ଓଡ଼ିଶା ସରକାର ପ୍ରବଳ ବିରୋଧ କରିବା ସହିତ ବେଆଇନ ବୋଲି ସୁପ୍ରିମକୋର୍ଟରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମକଦ୍ଦମା ରୁଜୁ କରିଥିଲେ। ହେଲେ ଓଡ଼ିଶାକୁ ଏହି ମାମଲାରେ ସୁପ୍ରିମକୋର୍ଟରୁ କୌଣସି ଆଶ୍ବସ୍ତି ମିଳିନଥିଲା। ଅନ୍ୟପକ୍ଷରେ ମାମଲାକୁ ରାଜନୈତିକ ସ୍ତରରେ ବିଚାରବିମର୍ଶ କରି ସମାଧାନର ବାଟ ବାହାର କରିବା ପାଇଁ ଦୁଇ ରାଜ୍ୟକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଥିଲେ। ଦୁଇ ରାଜ୍ୟର ଅଧିକାରୀମାନେ ଆଲୋଚନ ଆରମ୍ଭ କଲେ ସତ, ହେଲେ ସମାଧାନକୁ ନେଇ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଂଚିପାରିନଥିଲେ। ଏହାପରେ ଓଡ଼ିଶା ନିଜ ପକ୍ଷକୁ ଦୃଢ଼ତାର ସହ ରଖିବାକୁ ଯୋଜନା କରି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଶୀର୍ଷ ନ୍ୟାୟାଳୟରେ ଅରିଜିନାଲ ସୁଟ ଦାଖଲ କରିଥିଲା। ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ବିବାଦୀୟ ଅଂଚଳ କୋଟିଆକୁ ଓଡ଼ିଶାର କରିବା ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅରିଜାନାଲ ସୁଟ ଦାଖଲ କରିବା ସତ୍ତ୍ବେ ଏହି ମାମଲାର ଶୁଣାଣି ଆଜି ପର୍ଯ୍ୟନ୍ତ ବିଶେଷ ଅଗ୍ରଗତି ହୋଇନାହିଁ।
ସୁପ୍ରିମକୋର୍ଟଙ୍କ ତଥ୍ୟ ଅନୁସାରେ ସମୁଦାୟ ୬ ଥର ମାମଲାର ପ୍ରୋସିଡିଂ ଚାମ୍ବର କୋର୍ଟରେ ହୋଇଛି। ଚାମ୍ବରରେ ପ୍ରୋସିଡିଂ ଶେଷ ହେବା ପରେ ମାମଲା ନିୟମିତ ଶୁଣାଣି ପାଇଁ ଖଣ୍ଡପୀଠରେ ତାଲିକାଭୁକ୍ତ କରାଯିବ। ଓଡ଼ିଶା ସରକାରଙ୍କ ଦ୍ବାରା ୨୦୨୩ରେ ଦାଖଲ କରାଯାଇଥିବା ଅରିଜିନାଲ ସୁଟରେ ଧାରା ୧୩୧ ଉଚ୍ଛେଦ କରାଯାଇ କୋଟିଆକୁ ଓଡ଼ିଶାର ଘୋଷଣା କରାଯାଉ ବୋଲି ପ୍ରାର୍ଥନା କରାଯାଇଛି। ତେବେ ଧାରା ୧୩୧ ଅନୁଯାୟୀ, ରାଜ୍ୟ ଓ ରାଜ୍ୟ ମଧ୍ୟରେ କିମ୍ବା କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କୌଣସି ପ୍ରକାର ବିବାଦ ଥିଲେ ସେଥିରେ ସୁପ୍ରିମକୋର୍ଟ ଦସ୍ତକ୍ଷେପ କରିପାରିବେ ନାହିଁ। ସ୍ବାଧୀନତା ପୂର୍ବରୁ, ସ୍ବାଧୀନତା ପରେ ଏବଂ ସାମ୍ପ୍ରତିକ ସ୍ଥିତିରେ କୋଟିଆ ଓଡ଼ିଶାର ବୋଲି ଯଥେଷ୍ଟ ପ୍ରମାଣ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବାବେଳେ ଏହାର ଶୁଣାଣି ଯଥେଷ୍ଟ ଗୁରୁତ୍ବ ବହନ କରୁଛି।