କୋଟିଆ ବିବାଦ: ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ଦାଖଲ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ମାମଲାରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଦ୍ବାରା ଆନ୍ଧ୍ର ବିରୋଧରେ ଅରିଜିନାଲ ସୁଟ ଦାଖଲ କରାଯାଇଛି। ଚଳିତ ମାସ ୪ ତାରିଖରେ ଦାଖଲ କରାଯାଇଥିବା ୫୦ ପୃଷ୍ଠାର ଅରିଜିନାଲ ସୁଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବିଧାନର ଧାରା ୧୩୧ କୁ ଚ୍ୟାଲେଞ୍ଜ କରାଯାଇଛି। କୋଟିଆ ମାମଲାର ସମାଧାନରେ ସମ୍ବିଧାନର ଧାରା ୧୩୧ ପ୍ରତିବନ୍ଧକ ସାଜିଥିବାରୁ ଏହାର ସାମ୍ବିଧାନିକ ସଂଶୋଧନ କରାଯାଇ କୋଟିଆ ଓଡିଶାର ତଥା ଏହା ଉପରେ ଓଡିଶାର ସଂପୂର୍ଣ୍ଣ ପ୍ରଶାସନିକ ଅଧିକାର ରହିଥିବା ଘୋଷଣା କରାଯାଉ ବୋଲି ଦାଖଲ କରାଯାଇଥିବା ଅରିଜିନାଲ ସୁଟରେ ଓଡିଶା ଦ୍ବାରା ପ୍ରାର୍ଥନା କରାଯାଉଛି।

ଦାଖଲ କରାଯାଇଥିବା ଅରିଜିନାଲ ସୁଟରେ କୁହାଯାଇଛି କୋଟିଆ ପରିସୀମା ମାମଲାରେ ଆନ୍ଧ୍ର ସହିତ ବିବାଦ ଦେଖାଦେବା ପରେ ପ୍ରଥମେ ସମ୍ବିଧାନର ଧାରା ୧୩୧ କୁ ଆଧାର କରି ଓଡିଶା ଦ୍ବାରା ଅରିଜିନାଲ ସୁଟ ୧୯୬୮ରେ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟ ଡିସେମ୍ବର ୨,୧୯୬୮ରେ ସୁଟର ଶୁଣାଣି କରି ଅନ୍ତରୀଣ ଆଦେଶ ଜାରି କରିଥିଲେ। ଅନ୍ତରୀଣ ଆଦେଶରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଦୁଇ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ।

ଅରିଜିନାଲ ସୁଟର ଚୁଢାନ୍ତ ଶୁଣାଣି ମାର୍ଚ୍ଚ ୩୦,୨୦୦୬ରେ ହୋଇଥିଲା।ସମ୍ବିଧାନର ଧାରା ୧୩୧ ଅନ୍ତର୍ଗତ ରାଜ୍ୟ ଓ ରାଜ୍ୟ ମଧ୍ୟରେ କିମ୍ବା କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କୌଣସି ପ୍ରକାର ବିବାଦ ଥିଲେ ନିଷ୍ପତ୍ତି ନେବାର ସୁପ୍ରିମକୋର୍ଟଙ୍କ କ୍ଷମତା ନାହିଁ।ଏହି ଧାରା ଅଧାରେରେ ସୁପ୍ରିମକୋର୍ଟ ଓଡିଶାର ଆବେଦନକୁ ଖାରଜ କରିଦେଇଥିଲେ। ମାମଲାର ପୂର୍ଣ୍ଣଛେଦ ପକାଇବା ସହିତ ସମାଧାନ ନ ହେବା ପର୍ୟ୍ୟନ୍ତ ଦୁଇ ରାଜ୍ୟଙ୍କୁ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ,ସ୍ଥିତାବସ୍ଥା ନିର୍ଦ୍ଦେଶ ସତ୍ବେ ବାରମ୍ବାର ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଂଜ ଉପରେ ନିଜର ହକ ଜାହିର କରିବାକୁ ଉଦ୍ୟମ କରି ଅଧିକ୍ରମଣ କରୁଛି ଏବଂ ସେଠାର ପଂଚାୟତ ନିର୍ବାଚନର ଆୟୋଜନ କରିବା ସହିତ ବିଭିନ୍ନ କାର୍ୟ୍ୟ ଚାଲୁ ରଖିଥିଲା। ଫେଡେରାଲ ଷ୍ଟ୍ରକଚରକୁ ଶକ୍ତିଶାଳୀ କରିବା ଧାରା ୧୩୧କୁ ଉଛେଦ କରିବା ପାଇଁ ଓଡିଶା ପକ୍ଷରୁ ଅରିଜିନାଲ ସୁଟରେ କୁହାଯ‌ାଇଛି।

ଓଡିଶା ଦ୍ବାରା ଗତ ବର୍ଷ ଆନ୍ଧ୍ର ବିରୋଧରେ କୋଟିଆ ଗ୍ରାମପୁଂଜରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨୦୦୬ ର ଅଦେଶକୁ ଉଲଂଘନ କରିବା ନେଇ ଅଦାଲତ ଅବମାନନା ମାମଲା ଦାଖଲ କରାଯାଇଥିବାର ଅରିଜିନାଲ ସୁଟରେ ଉଲ୍ଲେଖ କରାଯାଇଛି। ଅଦାଲତ ଅବମାନନା ପିଟିସନରେ ଆନ୍ଧ୍ର ପ୍ରଦେଶ କିଭଳି ଜାଣିଶୁଣି ସୁପ୍ରିମକୋର୍ଟଙ୍କ ୧୯୬୮ର ଆଦେଶ ଏବଂ ୨୦୦୬ ରାୟକୁ ଉଲଂଘନ କରି ଓଡିଶାର ପରିସୀମ‌ାରେ ଅନୂପ୍ରବେଶ କରିଛି ତାହା ମଧ୍ୟ ଦର୍ଶାଯାଇଛି।ବିବଦୀୟ କୋଟିଆ ଗ୍ରାମପୁଂଜରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମ କରିବାକୁ ଦୁରେଇ ରଖିବା ପାଇଁ ସୁଟରେ ସୁପ୍ରିମକୋର୍ଟଙ୍କର ଦୂଷ୍ଟି ଆକର୍ଷଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ଦ୍ବାରା ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଦୁଇଟି ଅଦାଲତ ଅବମାନନ‌ା ବିଚାରଧିନ ରହିଛି।ମାମଲାର ଶୁଣାଣି ପାଇଁ ଚଳିତ ମାସ ୨୪ ତାରିଖ ଧାର୍ୟ୍ୟ କରାଯାଇଛି। ଅପରପକ୍ଷେ, ଏହି ମାମଲାର ସମାଧାନ ପାଇଁ ଆସନ୍ତାକାଲି ଦୁଇ ରାଜ୍ୟ ମଧ୍ୟରେ ଅଧିକାରୀସ୍ତରୀୟ ବୈଠକ ହେବାର ଅଛି।ଏମିତିରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଅରିଜିନାଲ ସୁଟକୁ ଗ୍ରହଣ କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଦେବା ପାଇଁ ଓଡିଶା ସରକାରଙ୍କ ପ୍ରାର୍ଥନା ଉପରେ ସୁପ୍ରିମକୋର୍ଟଙ୍କ କଅଣ ଆଭିମୁଖ୍ୟ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିବ।

ସମ୍ବନ୍ଧିତ ଖବର