ସୁପ୍ରିମ କୋର୍ଟରେ ଲମ୍ବା ଚାଲିପାରେ କୋଟିଆ ମାମଲା

ସାମୟିକ ଆଶ୍ବସ୍ତି ହାସଲ କରିପାରିନି ରାଜ୍ୟ, ତିନି ଜଳ ବିବାଦ ମାମଲା ବି ଗଡ଼ୁଛି

ନୂଆଦିଲ୍ଲୀ, (ନଇମ୍ ଅଖତର୍) : ଅନ୍ତଃରାଜ୍ୟ ବିବାଦରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ପୋଲାଭରମ, ବଂଶଧାରା ତଥା ମହାନଦୀ ମାମଲାରେ ତ୍ୱରିତ ନ୍ୟାୟ ମିଳିପାରିନାହିଁ। ଏଭଳି ସ୍ଥିତିରେ କୋଟିଆ ମାମଲାର ଭବିଷ୍ୟତକୁ ନେଇ ଏବେଠାରୁ ଚିନ୍ତା ପ୍ରକାଶ ପାଇଲାଣି। ତିନି ଜଳବିବାଦ ମାମଲା ଭଳି ଏହି ମାମଲା ମଧ୍ୟ ନ୍ୟାୟାଳୟରେ ଲମ୍ବା ଗଡ଼ିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବନାହିଁ ବୋଲି ବିଶେଷଜ୍ଞମାନେ ମତ ରଖିଥିଲେ।
ଓଡ଼ିଶା ସରକାର କୋଟିଆ ମାମଲାରେ ସୁପ୍ରିମ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ଅଦାଲତ ଅବମାନା ଅଭିଯୋଗ ପିଟିସନ ଦାଖଲ କରି ପ୍ରଥମ ଶୁଣାଣିରେ ଓଡ଼ିଶାକୁ କୌଣସି ଆଶ୍ୱସ୍ତି ମିଳିପାରି ନାହିଁ। ଅପରପକ୍ଷେ ଆନ୍ଧ୍ର ସରକାର ଜୋର୍‌ ଜବରଦସ୍ତ କୋଟିଆରେ ନିର୍ବାଚନ କରାଇଛନ୍ତି ବୋଲି ଓଡ଼ିଶାକୁ ରୋକ୍‌ଠୋକ୍ ଜବାବ ଦେଲେ। ଚାରି ସପ୍ତାହ ଭିତରେ ଓଡ଼ିଶା ଆନ୍ଧ୍ର ଜବାବର ପ୍ରତିବାବ ଦାଖଲ କରିବ ତଥା ଆନ୍ଧ୍ର ବିରୋଧରେ ଆଉ ଗୋଟିଏ ନୂଆ ପିଟିସନ ମଧ୍ୟ ଦାଖଲ କରିବ।

ଅତଏବ ଆଗକୁ ସୁପ୍ରିମକୋର୍ଟରେ ଏହି ମାମଲା ଆହୁରି ଗୋଳିଆ ହେବ। ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଏହି ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟରେ ପରିଚାଳନା ପାଇଁ ଦେଶର ପ୍ରତିଷ୍ଠିତ ଆଇନଜୀବୀଙ୍କୁ ଯୋଗାଯୋଗ କରାଯାଉଥିବା ଚର୍ଚ୍ଚା ସଂପ୍ରତି ମାମଲାର ଉଷ୍ଣତା ବଢ଼ାଇଲାଣି। ଏମିତିରେ ଆଗକୁ ଏହି ମାମଲା କେଉଁ ମୋଡ ନେବ, ତାହା ସବୁଠାରୁ ବଡ଼ ପ୍ରଶ୍ନ।

ଆନ୍ଧ୍ର ବିରୋଧରେ ପୋଲାଭରମ ଓ ବଂଶଧାରା ମାମଲାରେ ଓଡ଼ିଶାକୁ କୌଣସି ସଫଳତା ମିଳିପାରିନାହିଁ। ଏହି ଦୁଇଟି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଏବେ ବି ବିଚାରଧୀନ ରହିଛି। ସୁପ୍ରିମକୋର୍ଟର ରେକର୍ଡ ଅନୁସାରେ ଓଡ଼ିଶା ଦ୍ୱାରା ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ୨୦୦୭ ମସିହା ଅକ୍ଟୋବର ୯ ତାରିଖରେ ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ର ଶୁଣାଣିରେ ଆଖିଦୃଶିଆ ଅଗ୍ରଗତି ହୋଇପାରି ନାହିଁ କି ଓଡ଼ିଶାକୁ କୌଣସି ସାମୟିକ ଆଶ୍ୱସ୍ତି ମିଳିପାରି ନାହିଁ।

ଓଡ଼ିଶା ଦ୍ୱାରା କେବଳ ଅରିଜିନାଲ୍ ସୁଟ୍ ଦାଖଲ କରାଯାଇନାହିଁ, ସର୍ବୋଚ୍ଚ ନ୍ୟାୟାଳୟରେ ଏକାଧିକ ମଧ୍ୟବର୍ତ୍ତୀକାଳୀନ ଆବେଦନ ମଧ୍ୟ ଦାଖଲ କରାଯାଇଛି। ୨୦୦୮ରୁ ୨୦୨୦ ଭିତରେ ସୁପ୍ରିମକୋର୍ଟରେ ମୋଟ ୫୨ ଥର ପୋଲାଭରମ ମାମଲାର ଶୁଣାଣି ହୋଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୮, ଅଗଷ୍ଟ ୨ରେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୧୪ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ ମଧ୍ୟ ଏହାର ଶୁଣାଣି ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶର ପ୍ରତିଷ୍ଠିତ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟ ସରକାର ଶତାଧିକ ନଥିପତ୍ରକୋର୍ଟରେ ଦାଖଲ କରିଛନ୍ତି। କରୋନା କୋଳାହଳରେ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ପଡ଼ିରହିଛି।

ସୁପ୍ରିମକୋର୍ଟରେ ଶୁଣାଣି ସ୍ବାଭାବିକ ହେବା ପରେ ସମ୍ଭବତଃ ଏହି ମାମଲାର ତୂରିତ ଶୁଣାଣି ପାଇଁ ରାଜ୍ୟ ସରକାର କୋର୍ଟରେ ଆବେଦନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷେ ଓଡ଼ିଶାର ଚିନ୍ତା ଓ ଆଶଙ୍କାକୁ ବେଖାତିର କରି ଆନ୍ଧ୍ରପ୍ରଦେଶ ଏହି ପ୍ରକଳ୍ପର କାର୍ଯ୍ୟକୁ ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଶେଷ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛି।

ସେହିପରି ବଂଶଧାରା ଜଳ ବିବାଦ ମାମଲାରେ ଓଡ଼ିଶାକୁ ଆନ୍ଧ୍ର ବିରୋଧରେ ଟ୍ରିବ୍ୟୁନାଲ ଓ ସର୍ବୋଚ୍ଚ ନ୍ୟାୟାଳୟରୁ ନ୍ୟାୟିକ ଲଢେଇ କରୁଛି। ଓଡ଼ିଶା ସପକ୍ଷରେ କୌଣସି ରାୟ ଆସିନାହିଁ। ୨୦୧୦ରୁ ଗଠନ ହୋଇଥିବା ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ୨୦୧୩ର ମଧ୍ୟବର୍ତ୍ତୀକାଳୀନ ରାୟରେ କେନାଲ ନିର୍ମାଣ ପାଇଁ ଆନ୍ଧ୍ର ପ୍ରଦେଶକୁ ସର୍ତ୍ତମୂଳକ ଅନୁମତି ତଥା ୨୦୧୭ର ଚୂଡ଼ାନ୍ତ ରାୟରେ ବଂଶଧାରା ନଦୀରେ ଆନ୍ଧ୍ରପ୍ରଦେଶ ଦ୍ୱାରା ନିର୍ମାଣଧିନ କାଟ୍ରାଗଡ଼ା ଏବଂ ନେରେଡ଼ି ବ୍ୟାରେଜର କାର୍ଯ୍ୟ ଚାଲୁ ରଖିବାକୁ ରାୟ ଶୁଣାଇଥିଲେ। ଏହି ରାୟ ଆନ୍ଧ୍ରପ୍ରଦେଶ ସପକ୍ଷରେ ଯାଇଥିବାରୁ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଥିଲା।

ରାୟକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରମକୋର୍ଟରେ ଓଡ଼ିଶା ଏସ୍‌ଏଲପି ଦାଖଲ କରିଥିଲା ତଥା ଟ୍ରିବ୍ୟୁନାଲରେ ସ୍ପଷ୍ଟୀକରଣ ଲୋଡ଼ିଥିଲା। କରୋନା ଯୋଗୁଁ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲରେ ହୋଇ ପାରିନଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ୍‌ଙ୍କ ସୁପ୍ରିମ କୋର୍ଟରେ ଏହି ମାମଲାର ପରିଚାଳନା ପାଇଁ ନିୟୋଜିତ କରାଯାଇଛି। ଆସନ୍ତା ମାସ ୩ ଓ ୪ ତାରିଖରେ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ତାରିଖ ଧାର୍ଯ୍ୟ କରିଥିବାର ଜଣାପଡ଼ିଛି। ଅପରପକ୍ଷେ ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲ ଗଠନ ହେବାର ତିନି ବର୍ଷ ପାଖେଇ ଆସୁଥିବା ବେଳେ ଓଡ଼ିଶାର ଆବେଦନ ଉପରେ କୌଣସି ରାୟ ବର୍ତ୍ତମାନ ସୁଦ୍ଧା ପ୍ରକାଶ ପାଇନାହିଁ।

ଏଭଳି ପରିସ୍ଥିତିରେ କୋଟିଆ ମାମଲାକୁ ସର୍ବୋଚ୍ଚ ନ୍ୟାୟାୟରେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇବା ପାଇଁ ଓଡ଼ିଶା ଲିଗାଲ ଟିମ୍ ଆଶା ବାନ୍ଧିଛି। ନଥିପତ୍ର ଗୁଡ଼ିକୁ ପାଥେୟ କରି ଆନ୍ଧ୍ରର ଦାବିକୁ ଓଡ଼ିଶା ଚ୍ୟାଲେଞ୍ଜ କରିବା ନେଇ ଯେଉଁ ରଣନୀତି ପ୍ରସ୍ତୁତ କରୁଛି ସେଥିରେ ଓଡ଼ିଶାକୁ ସଫଳତା ମିଳିବ ନା ଅନ୍ୟ ମାମଲା ଭଳି ଏହି ମାମଲା ମଧ୍ୟ ଆଗକୁ ଲମ୍ବା ଗଡ଼ିବ ଏନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।

ସମ୍ବନ୍ଧିତ ଖବର