କୋଭିଡ୍‌ ମୃତ୍ୟୁ କ୍ଷତିପୂରଣ: କମ୍‌ ଦାବି ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍‌ କୋର୍ଟ

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଠାରୁ ରିପୋର୍ଟ ମାଗିଲେ

ନୂଆଦିଲ୍ଲୀ : କୋଭିଡ୍‌ ମୃତ୍ୟୁ କ୍ଷତିପୂରଣ ଯୋଜନାରେ ଖୁମ୍‌ କମ୍‌ ସଂଖ୍ୟାରେ ଦାବି ହୋଇଥିବାରୁ ସୁପ୍ରିମକୋର୍ଟ ଏଥିରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜଷ୍ଟିସ୍‌ ଏମ୍‌ଆର ଶାହ ଏବଂ ବି ଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ଉକ୍ତ ଯୋଜନା ସଂକ୍ରାନ୍ତରେ ଅଧିକ ପ୍ରଚାର ପ୍ରସାର ହୋଇନଥିବାରୁ ଏ ବାବଦରେ ଅଧିକ ଲୋକ ଜାଣିନାହାନ୍ତି କିମ୍ବା କିଭଳି ଭାବେ କ୍ଷତିପୂରଣ ପାଇଁ ଆବେଦନ କରିବାକୁ ହେବ ସେ ବାବଦରେ ଲୋକେ ବୁଝିପାରୁ ନାହାନ୍ତି ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ‌‌କୋଭିଡ୍‌ ମୃତକଙ୍କୁ କ୍ଷତିପୂରଣ ‌ଦେବାପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପ୍ରାୟ ୧ ମାସରୁ ଊର୍ଦ୍ଧ୍ବ ସମୟ ହେବ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏଯାବତ ଏନେଇ ଅଧିକ ଆବେଦନ ହୋଇନଥିବାରୁ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କ୍ଷତିପୂରଣ ପାଇଁ କେତେ ଲୋକ ଆବେଦନ କରିଛନ୍ତି ଏବଂ କେତେ ଟଙ୍କା ଦିଆଯାଇଛି ସେ ସଂକ୍ରାନ୍ତରେ ଅଧିକାଂଶ ରାଜ୍ୟ ଗୃହ ମନ୍ତ୍ରାଳୟକୁ ତଥ୍ୟ ଦେବାରେ ବିଫଳ ହୋଇଛନ୍ତି। କୋର୍ଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କଠାରୁ ଉକ୍ତ ବିଷୟ‌ରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି। କୋର୍ଟ ମଧ୍ୟ ବିଳମ୍ବ ଏବଂ ଲମ୍ବା ଧାଡ଼ିକୁ କମାଇବାପାଇଁ ଅନଲାଇନ୍‌ ଆବେଦନ ଏବଂ ଯାଞ୍ଚ ବ୍ୟବସ୍ଥା ହେବା ଉଚିତ୍‌ ବୋଲି କହିଛନ୍ତି।

ସେହିପରି କୋଭିଡ୍ ମୃତ୍ୟୁ କ୍ଷତିପୂରଣ ପାଇଁ କମ୍‌ ଦାବି ହୋଇଥିବାରୁ କୋର୍ଟ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କଠାରୁ ରିପୋର୍ଟ ମାଗିଛନ୍ତି। ବିସ୍ତୃତ ରିପୋର୍ଟ ଦାଖଲ କରିବାପାଇଁ କୋର୍ଟ ରାଜ୍ୟମାନଙ୍କୁ ୧ ସପ୍ତାହ ସମୟ ଦେଇଛନ୍ତି। ଡିସେମ୍ବର ୬ ତାରିଖରେ ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

କେରଳ ଏବଂ ମହାରାଷ୍ଟ୍ର କ୍ଷତିପୂରଣ ପ୍ରକ୍ରିୟାକୁ ବିଳମ୍ବ କରିଛନ୍ତି। ୧୬ଟି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ତୁଳନାରେ କରୋନା ମୃତ୍ୟୁ କ୍ଷତିପୂରଣ ପାଇଁ ଖୁବ୍‌ କମ୍‌ ଆବେଦନ ହୋଇଛି। ୩ ରାଜ୍ୟରେ କୋଭିଡ ମୃତ୍ୟୁ କ୍ଷତିପୂରଣ ଦେବାନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ସମ୍ବନ୍ଧିତ ଖବର