କାଠମାଣ୍ଡୁ: ସୋମବାର ଆରମ୍ଭ ହୋଇଥିବା ଜେନ୍-ଜି ବିପ୍ଲବ ଦ୍ବିତୀୟ ଦିନ ମଧ୍ୟ ଜାରି ରହିଛି। ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇସାରିଥିଲେ ବି କାଠମାଣ୍ଡୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ମଙ୍ଗଳବାର ସକାଳଠାରୁ ପ୍ରଦର୍ଶନକାରୀମାନେ ସଂସଦ ଭବନ ବାହାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ରାଷ୍ଟ୍ରପତି ଭବନ, ଉପରାଷ୍ଟ୍ରପତିଙ୍କ ବାସଭବନ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ସିଂହ ଦରବାର ଏବଂ ସଂସଦ ଭବନ ଚାରିପାଖରେ କଟକଣା ଜାରି ରହିଛି।

Advertisment

ନେପାଳରେ, କେପି ଓଲି ସରକାରଙ୍କ ସହଯୋଗୀ ନେପାଳୀ କଂଗ୍ରେସର ସଭାପତି ଶେର ବାହାଦୁର ଦେଉବାଙ୍କ ଘର ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଛନ୍ତି। ପ୍ରତିବାଦକାରୀମାନେ ଦେଉବାଙ୍କ ବାସଭବନକୁ କବଜା କରି ନିଆଁ ଲଗାଇ ଦେଇଛନ୍ତି। ଏହା ସହ ଏକାଧିକ ଗାଡ଼ି ପୋଡ଼ି ଦିଆଯାଇଛି। ପୁଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ରାଜଧାନୀରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ପ୍ରଶାସନ ସଜାଗ ରହିଥିବା କହିଛି।

ପ୍ରତିବନ୍ଧକ ହଟିବା ସତ୍ତ୍ବେ ନେପାଳରେ ଜେନ-ଜି ପ୍ରତିବାଦର ପରିସର ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। କୀର୍ତ୍ତିପୁରର ନୟା ବଜାରରେ ଅବସ୍ଥିତ ପୌରପାଳିକା କୋଠାରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ଏହି ଅଗ୍ନିକାଣ୍ଡ ସମଗ୍ର ଅଞ୍ଚଳରେ ଅରାଜକତାପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି। ବିକ୍ଷୋଭକାରୀମାନେ ଗୃହମନ୍ତ୍ରୀ ରମେଶ ଲେଖକଙ୍କ ଘରେ ମଧ୍ୟ ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଛନ୍ତି। ବିରୋଧ ପ୍ରଦର୍ଶନ ମଧ୍ୟରେ ଗୃହମନ୍ତ୍ରୀ, କୃଷିମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି।

ଏମଧ୍ୟରେ ଖବର ମିଳୁଛି ଯେ, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦୁବାଇ ଯିବାକୁ ଯୋଜନା କରୁଛନ୍ତି। ସୂତ୍ର ଅନୁଯାୟୀ, ସେ ଚିକିତ୍ସା ପାଇଁ ଦୁବାଇ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ନେପାଳର ଘରୋଇ ବିମାନ କମ୍ପାନି ହିମାଳୟ ଏୟାରଲାଇନ୍ସକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସରକାରରେ ଅନେକ ମନ୍ତ୍ରୀଙ୍କ ଇସ୍ତଫା ପରେ, ପ୍ରଧାନମନ୍ତ୍ରୀ ଓଲି ତାଙ୍କର ନିକଟତମ ସହଯୋଗୀଙ୍କ ସହ ପରିସ୍ଥିତିର ଆକଳନ କରିଛନ୍ତି। ଏହା ସହ ସେ ଉପପ୍ରଧାନମନ୍ତ୍ରୀଙ୍କୁ କାର୍ଯ୍ୟକାରୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। 

kp-sharma-oli | Nepal