ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡ଼େ ଜଣେ ଜାମିନ ଆବେଦନକାରୀଙ୍କ ଓକିଲଙ୍କୁ କୌତୁକରେ ପଚାରିଥିଲେ, ଆପଣ ଜାମିନ ନା, ଜେଲ୍ ଚାହୁଁଛନ୍ତି? ଆଜି ଭଗବାନ କୃଷ୍ଣ ଜେଲ୍ରେ ଜନ୍ମ ହୋଇଥିଲେ। ଆପଣ କ’ଣ ଜେଲ୍ରୁ ବାହାରି ଯିବାକୁ ଚାହୁଁଛନ୍ତି?
ଓକିଲଜଣକ ସକାରାତ୍ମକ ଉତ୍ତର ଦେବାରୁ ଜାମିନ ମଞ୍ଜୁର କରି ପ୍ରଧାନ ବିଚାରପତି ମନ୍ତବ୍ୟ ଦେଲେ, ଉତ୍ତମ। ତେବେ ଧର୍ମସହ ଆପଣ ଓତପ୍ରୋତ ସଂଶ୍ଳୀଷ୍ଟ ନୁହନ୍ତି।
ନରହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଧର୍ମେନ୍ଦ୍ର ବାଲୱି ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏଭଳି ମଉଜିଆ କଥା କହିଥିଲେ।
Image Courtesy of Shortpedia Newsappଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଗତକାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଥିଲା। ପୁରାଣ ଅନୁସାରେ, ମାମୁ କଂସଙ୍କ ଦ୍ବାରା ପିତାମାତା ବାସୁଦେବ ଓ ଦେବକୀ ମଥୁରାରେ କାରାରୁଦ୍ଧ ଥିବା ସମୟରେ ଭଗବାନ କୃଷ୍ଣ ସେମାନଙ୍କ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ।
କଂଗ୍ରେସ (ଇ) ସଦସ୍ୟ ଧମେନ୍ଦ୍ର ବାଲୱି ଓ ଦଳର ଅନ୍ୟ ୫ ଜଣ ସଦସ୍ୟ ୧୯୯୪ରେ ପିଜେପିର ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ହତ୍ୟା କରିଥିବା ଘଟଣାରେ ଅଭିଯୁକ୍ତ ହୋଇଥିଲେ। ଟ୍ରାଏଲ୍ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ୨୦୧୭ ସେପ୍ଟେମ୍ବର ମାସରେ ବମ୍ବେ ହାଇକୋର୍ଟ ମଧ୍ୟ ଟ୍ରାଏଲ୍ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ କରାଯାଇଥିବା ଆବେଦନ ସୁପ୍ରିମ୍ କୋର୍ଟରେ ପଡ଼ିରହିଥିଲା।
୨୫ ହଜାର ଟଙ୍କାର ଗୋଟିଏ ଜାମିନ ବଣ୍ଡ୍ ଏବଂ ୨୫ ହଜାର ଟଙ୍କା ଲେଖାଁଏ ଦୁଇଟି ବ୍ୟକ୍ତିଗତ ମୁଚାଲିକା ବିନିମୟରେ ଶୀର୍ଷ ଅଦାଲତ ଧର୍ମେନ୍ଦ୍ର ବାଲୱିଙ୍କୁ ଜାମିନ ମଞ୍ଜୁର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/cji-1.jpg)