ବାନ୍ଦା: ଗୁରୁବାର ମାଫିଆ ଡନ୍ ମୁଖତାର ଅନସାରୀର  ମୃତ୍ୟୁ ହୋଇଥିଲା । ହୃଦଘାତ କାରଣରୁ ତାହାର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ପରେ ସମଗ୍ର ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି ହେବା ସହ ସୁରକ୍ଷାକୁ ବଢାଇଦିଆଯାଇଛି । ଏବେ ଅନସାରୀର ମୃତ୍ୟୁ ପ‌ରେ ଖୁସି ଜାହିର କରିଛନ୍ତି ଦିବଂଗତ ବିଧାୟକ କୃଷ୍ଣନନ୍ଦ ରାୟଙ୍କ ପତ୍ନୀ ଅଳକା ରାୟ। ମୁଖତାର ଅନସାରୀ, କୃଷ୍ଣନନ୍ଦ ରାୟଙ୍କୁ ହତ୍ୟା କରିଥିବା ପ୍ରମାଣ ହେବା ପରେ ୧୦ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ।

Advertisment

ଗୁରୁବାର ତା’ର ମୃତ୍ୟୁ ହେବା ପରେ ଅଳକା ନିଜ ପୁଅ ପିୟୁଷ ରାୟଙ୍କ ସହ ଶୁକ୍ରବାର କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ ତାଙ୍କ ପ୍ରତିକ୍ରିୟା ମଗାଯିବାରୁ ସେ କହିଥିଲେ, "ଏହା ବାବାଙ୍କ କୃପା। ମହାରାଜା ଯୋଗୀଜୀଙ୍କର ଆଶୀର୍ବାଦ। ଏହା ହେଉଛି ଈଶ୍ବରଙ୍କ ନ୍ୟାୟ। ବିରୋଧୀ କିଛି ବି କହିପାରନ୍ତି। ହେଲେ ଏହା ଆମ ଉପ‌ରେ ପ୍ରଭାବ ପକାଇ ପାରିବ ନାହିଁ। ସେ ପଞ୍ଜାବର ଜେଲରେ ରହିବା ସମୟରେ ଅପରାଧ କରୁଥିଲେ। କିନ୍ତୁ ୟୁପି ଆସିବା ପରେ ଆମେ ନ୍ୟାୟ ପାଇଲୁ।"

ଉଲ୍ଲେଖଯୋଗ୍ୟ, ୨୦୦୨ବିଧାନସଭା ନିର୍ବାଚନରେ ​​କୃଷ୍ଣାନନ୍ଦ ରାୟ ମହମ୍ମଦାବାଦରୁ ମୁଖତାର୍ ଅନସାରୀର ଭାଇ ଅଫଜଲକୁ ପରାସ୍ତ କରି ବିଜେପି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ କୃଷ୍ଣାନନ୍ଦ ରାୟ ଏବଂ ମୁଖତାର୍ ଅନସାରୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା। ୨୯ ନଭେମ୍ବର ୨୦୦୫ରେ, କୃଷ୍ଣାନନ୍ଦ ରାୟ କରିମୁଦ୍ଦିନପୁର ଅଞ୍ଚଳର ସେନାଡି ଗ୍ରାମରେ ଏକ କ୍ରିକେଟ୍ ମ୍ୟାଚ୍ ଉଦଘାଟନ କରିବାକୁ ଯାଇଥିଲେ। ହାଲୁକା ବର୍ଷା ହେଉଥିବାରୁ ସେ ବୁଲେଟପ୍ରୁଫ୍ କାର ଛାଡି ଏକ ସାଧାରଣ କାରରେ ଯାଇଥିଲେ। ସନ୍ଧ୍ୟାରେ ସେ ଗାଁରୁ ଫେରୁଥିବା ବେଳେ ତାଙ୍କୁ ଘେରିଯାଇ କିଛି ଦୁର୍ବୃତ୍ତ ଏକେ-୪୭ରେ ଗୁଳି ଚଳାଇଥିଲେ।  ପ୍ରାୟ ୪୦୦ଗୁଳି ତାଙ୍କ ଉପରକୁ ଚଳାଯାଇଥିଲା। ଏହି ଆକ୍ରମଣରେ  କୃଷ୍ଣାନନ୍ଦଙ୍କ ସମେତ ୭ଜଣଙ୍କର ମୃତ୍ୟୁ ଘଟିଥିଲା। କୃଷ୍ଣାନନ୍ଦ ରାୟଙ୍କ ଶରୀରରୁ ୬୭ଟି ଗୁଳି ବାହାର କରାଯାଇଥିବା କହିଥିଲା ପୁଲିସ।