କୋଟା: ରାଜସ୍ଥାନର କୋଟାରେ ପ୍ରତିବର୍ଷ କୋଟାକୁ ପାଖାପାଖି ୨ ଲକ୍ଷ ପିଲା ନିଟ୍ କିମ୍ବା ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆଶା ନେଇ ଆସିଥାନ୍ତି। ହେଲେ ଏଠାକୁ ଆସିବା ପରେ ଅନେକ ପିଲା ନିଜର ଜୀବନ ହାରୁଥିବାର ଖବର ସାମ୍ନାକୁ ଆସେ। କୋଟାରେ ଚଳିତ ବର୍ଷ ପ୍ରାୟ ୨୭ଜଣ ଛାତ୍ରଛାତ୍ରୀ ଜୀବନ ହାରିଥିବା ବେଳେ ଏବେ ଏହା ପଛର କାରଣ ସାମ୍ନାକୁ ଆସିଛି। ଅଭିନେତ୍ରୀ କ୍ରିତିକା କାମ୍ରା କୋଟାକୁ ଯାଇଥିବା ସମୟର ନିଜର ଅଭିଜ୍ଞତା ସେୟାର କରି କହିଛନ୍ତି ଯେ, କୋଟାକୁ ଗଲେ ପିଲା ଚାପଗ୍ରସ୍ତ ହୋଇଯାଆନ୍ତି।
ତାଙ୍କ କହିବା ମୁତାବକ, "ଭଲ ଛାତ୍ରୀ ହୋଇଥିବାରୁ ମୁଁ ନିଟ୍ ପାଇଁ ପ୍ରସ୍ତୁତି କରିବାକୁ ଚାହୁଥିଲି। ଏଥିପାଇଁ ପରିବାର ଲୋକେ ମୋତେ କୋଟା ପଠାଇଥିଲେ। ସେଠାରେ ମୁଁ ୨ମାସ ପାଇଁ ଥିଲି। ଏହି ୨ମାସରେ ମୁଁ ନିଜକୁ ବହୁତ ଏକାକୀ ମନେ କରିଥିଲି। ସେଠାରେ ପିଲାଙ୍କ ଉପରେ ବହୁତ ଚାପ ପକାଯାଉଥିବା ମୁଁ ଦେଖିବାକୁ ପାଇଥିଲି। ଦିନ ରାତି କେବଳ ପିଲାଙ୍କୁ ପଢ଼ିବାକୁ କୁହାଯାଉଥିଲା। ୨ମାସ ଭିତରେ ମୁଁ ମୋ ନିଷ୍ପତ୍ତି ବଦଳାଇ ସେଠାରୁ ଚାଲି ଆସିଥିଲି। ଏହା ମୋର ବ୍ୟକ୍ତିଗତ ମତ। ଯେଉଁ ପିଲାମାନେ ଜୀବନ ହାରିଛନ୍ତି, ସେମାନଙ୍କର ଏଭଳି କରିବା ପଛରେ ଅନ୍ୟ କିଛି କାରଣ ଥାଇପାରେ।"
ତେବେ ସେପ୍ଟେମ୍ବର ୧୪ରେ କୋଟାରେ ପୁଣିଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଥିଲେ। ଏହା ଚଳିତ ବର୍ଷର ୨୭ତମ ମାମଲା ଥିଲା। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବୟସ ୧୬ ଏବଂ ସେ ଝାଡ଼ଖଣ୍ଡର ରାଞ୍ଚିରୁ ଆସି ଏଠାରେ କୋଚିଂ ନେଉଥିଲେ। ଅତ୍ୟଧିକ ପାଠ ଚାପରେ ସେ ଆତ୍ମହତ୍ୟା କରିଦେଇଛନ୍ତି ବୋଲି କୁହାଯାଇଥିଲା।