ନୂଆଦିଲ୍ଲୀ: ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି) ଏମ୍‌ଏଲ୍‌ସି କେ କବିତା ତାଙ୍କର ୨ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଟି ହରୀଶ ରାଓ ଏବଂ ପୂର୍ବତନ ସାଂସଦ ଜେ ସନ୍ତୋଷ ରାଓଙ୍କ ବିରୋଧରେ ବ‌ିସ୍ଫୋରକ ଦାବି କରିବାର ଦିନକ ପରେ ଆଜି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। କବିତାଙ୍କୁ ବିଆର୍‌ଏସ୍‌ରୁ ନିଲମ୍ବନ କରିବା ସଂକ୍ରାନ୍ତ ନିଷ୍ପତ୍ତି ନିଜେ ତାଙ୍କ ପିତା କେସିଆର୍‌ ନେଇଛନ୍ତି ବୋଲି ଦଳ ଏକ ବିବୃତି ଜାରି କରି କହିଛି। ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ କବିତା ନିକଟରେ ଦେଇଥିବା ଟିପ୍ପଣୀ ଏବଂ ତାଙ୍କ କାର୍ଯ୍ୟକଳାପ ଦଳର ନୀତି ବିରୋଧରେ ଯାଉଛି। ‌ସେଥିପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। 

Advertisment

ଉଲ୍ଲେଖଯୋଗ୍ୟ, କବିତା ଦଳରୁ ନିଲମ୍ବିତ ହେବାର ଦିନକ ପୂର୍ବରୁ ଦଳରେ ଏକ ଝଡ଼ ସୃଷ୍ଟି କରିଥିଲେ। ଦଳ ସୁପ୍ରିମୋ କେସିଆର୍‌ଙ୍କ ଭାବମୂର୍ତ୍ତି ନଷ୍ଟ କରିବାପାଇଁ ସେ ଖୋଲାଖୋଲି ଭାବେ ଦଳୀୟ ସହକର୍ମୀଙ୍କୁ ଦାୟୀ କରିଥିଲେ। କବିତା ଅଭିଯୋଗ କରିଛନ୍ତି ଯେ ବରିଷ୍ଠ ନେତା ଟି ହରୀଶ ରାଓ ଏବଂ ପୂର୍ବତନ ସାଂସଦ ମେଘା କ୍ରିଷ୍ଣା ରେଡ୍ଡି ତାଙ୍କ ବାପାଙ୍କ ନ‌ାଁରେ ଦୁର୍ନୀତି ଟ୍ୟାଗ୍‌ ଯୋଡ଼ିଛନ୍ତି। ତାଙ୍କୁ ଅଣଦେଖା କରିବାପାଇଁ ହରିଶ ରାଓ ଏବଂ ସନ୍ତୋଷ କୁମାର ଷଡ୍‌ଯନ୍ତ୍ର କରିଥିବା ସେ କହିଛନ୍ତି। ଅଗଷ୍ଟ ୨୨ ତାରିଖରେ କବିତା ବିଦେଶରେ ଥିବା‌ ସମୟରେ ତାଙ୍କୁ ହଠାତ ଟିବିଜିକେଏସ୍‌ (ତେଲେଙ୍ଗାନା ବୋଗ୍ଗୁ ଘନି କାର୍ମିକ ସଂଘମ) ସଭାପତି ପଦରୁ ହଟାଇ ଦିଆଯାଇଥିଲା। ଏହା ତାଙ୍କ ବିରୋଧରେ ଦଳୀୟ ନେତାମାନଙ୍କର ଏକ ଷଡ୍‌ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି।