ବେଙ୍ଗାଲୁର: କର୍ଣ୍ଣାଟକ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଡକ୍ଟର କେ ସୁଧାକର ଓ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀରାମୁଲ୍ ଶନିବାର ଭିକ୍ଟୋରିଆ ହସ୍ପିଟାଲ୍ରେ ପ୍ଲାଜ୍ମା ଥେରାପିର କ୍ଲିନିକାଲ୍ ପରୀକ୍ଷଣର ଶୁଭାରମ୍ଭ କରିଛନ୍ତି। ହସ୍ପିଟାଲ୍ର ଡିନ୍ ଡକ୍ଟର ସି ଆର୍ ଜୟନ୍ତୀ ଏବଂ ବାଙ୍ଗାଲୋର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଅଙ୍କଲୋଜିର ଡକ୍ଟର ବିଶାଲ ରାଓଙ୍କ ଉଦ୍ୟମରେ ହସ୍ପିଟାଲ୍ରେ ଏହି ପରୀକ୍ଷଣ କରାଯାଇଛି।
ଏ ସଂପର୍କରେ ଡକ୍ଟର ସୁଧାକରଙ୍କ କହିବା କଥା ହେଲା, ‘ଏହା ରାଜ୍ୟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ମୁଁ ଏ ନେଇ ନିଶ୍ଚିତ ଯେ ହସ୍ପିଟାଲ୍ରେ କରାଯାଇଥିବା ଏହି ପ୍ଲାଜ୍ମା ଥେରାପିର ପରୀକ୍ଷଣ ଭବିଷ୍ୟତରେ ଅନେକ କୋଭିଡ-୧୯ ଆକ୍ରାନ୍ତଙ୍କୁ ସୁସ୍ଥ ହେବାରେ ସହାୟ ହେବ। ମୁଁ ଆରମ୍ଭରୁ କହିଛି ଯେ ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ ପାଇଁ ପ୍ଲାଜ୍ମା ଚିକିତ୍ସା ମହୋଷଧୀ ଭଳି କାମ କରିବ। ଅନୁମତି ମିଳିବାର ୩-୪ ଦିନ ଭିତରେ ହିଁ ଆମେ ଏହାକୁ ନେଇ କାମ କରିବା ଆରମ୍ଭ କରି ଦେଇଥିଲୁ।’
ଉଲ୍ଲେଖଯୋଗ୍ୟ, ଯେଉଁ କରୋନା ଆକ୍ରାନ୍ତମାନେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଉଛନ୍ତି ସେମାନଙ୍କ ଶରୀରରୁ ପ୍ଲାଜ୍ମା ସଂଗ୍ରହ କରାଯାଇ ଗୁରୁତର ଥିବା ଆକ୍ରାନ୍ତଙ୍କ ଶରୀରରେ ଦେବା ପ୍ରକ୍ରିୟାକୁ ପ୍ଲାଜ୍ମା ଥେରାପି କୁହାଯାଉଛି। ଏହି ପ୍ଲାଜ୍ମା ଥେରାପି ସଫଳ ହେଲେ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଯିବେ ବୋଲି ପୂର୍ବରୁ ଗବେଷକମାନେ ମତ ରଖିଛନ୍ତି।