ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟକୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଦର୍ଶନର ସେମିଫାଇନାଲ୍ ଭାବେ ଗ୍ରହଣ ନ କରିବାକୁ ରାଜନୈତିକ ରଣନୀତିଜ୍ଞରୁ କାର୍ଯ୍ୟକର୍ତ୍ତା ପାଲଟିଥିବା ପ୍ରଶାନ୍ତ କିଶୋର ବୁଧବାର କଂଗ୍ରେସକୁ ଚେତାବନୀ ଦେଇଛନ୍ତି।

Advertisment

ନିଜ ରାଜ୍ୟ ବିହାରରେ ଆଇ-ପାକ୍‌ (ଆଇପିଏସି) ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରାଜନୈତିକ ଅଭିଯାନ ‘ଜନ ସୁରାଜ’ ଦ୍ୱାରା ଜାରି କରା ଯାଇଥିବା ତାଙ୍କ ବୟାନରେ ଦର୍ଶାଯାଇଛି ଯେ ୨୦୧୩ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଜିତିବା ସତ୍ତ୍ୱେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପିଠାରୁ ହାରିଥିଲା ଏବଂ ଏକ ବର୍ଷ ପୂର୍ବେ ତିନିଟି ପ୍ରମୁଖ ରାଜ୍ୟରେ ବିଜୟୀ ହେବା ପରେ ୨୦୧୯ ଲୋକସଭା ନିର୍ବାଚନରେ ଦଳ ପରାଜିତ ହୋଇଥିଲା।

‘କର୍ଣ୍ଣାଟକରେ କଂଗ୍ରେସର ସଫଳତା ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। କିନ୍ତୁ ଲୋକସଭା ନିର୍ବାଚନରେ କ’ଣ ହେବ ତାହାର ସଙ୍କେତ ପାଇଁ ବିଧାନସଭା ନିର୍ବାଚନ ଫଳାଫଳକୁ ଗ୍ରହଣ କରିବା ଭଳି ଭୁଲ୍‌ ନ କରିବାକୁ ମୁଁ ଦଳର ନେତା ଓ କର୍ମୀମାନଙ୍କୁ ସତର୍କ କରାଇବାକୁ ଚାହୁଁଛି,’ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର।

ପ୍ରଶାନ୍ତ କିଶୋର ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ସମ୍ଭାବନା ଉପରେ ନିଜର ମତ ରଖିବା ଅବସରରେ କିଛି ପରିସଂଖ୍ୟାନର ମଧ୍ୟ ଉପସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିଥିଲା। ଏହାର ଦୁଇ ବର୍ଷ ପରେ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ଉତ୍ତରପ୍ରଦେଶର ୮୦ଟି ଆସନରୁ ୭୩ ଟିରେ ବିଜୟୀ ହୋଇଥିଲା।

ସେ ୨୦୧୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ମଧ୍ୟ ମନେ ପକାଇ କହିଛନ୍ତି, ଯେତେବେଳେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା କିନ୍ତୁ ଲୋକସଭା ନିର୍ବାଚନରେ ବିଜେପିଠାରୁ ଶୋଚନୀୟ ଭାବେ ହାରିଯାଇଥିଲା।

୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସର ସଫଳତାକୁ ମନେ ପକାଇଲେ ଭଲ ହେବ, ଯାହାର କିଛି ମାସ ପରେ ୨୦୧୯ ଲୋକସଭା ନିର୍ବାଚନରେ ଏହି ରାଜ୍ୟଗୁଡ଼ିକରେ ଦଳର ପ୍ରଦର୍ଶନ ଖରାପ ହୋଇଥିଲା ବୋଲି କିଶୋର କହିଛନ୍ତି।

୪୫ ବର୍ଷୀୟ ଏହି ରାଜନୈତିକ ବିଶ୍ଳେଷକ ବିଭିନ୍ନ ସମୟରେ ନୀତୀଶ କୁମାର, ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ଏମକେ ଷ୍ଟାଲିନ ଓ ଜଗନମୋହନ ରେଡ୍ଡୀଙ୍କ ଭଳି ବିଭିନ୍ନ ନେତାଙ୍କ ନିର୍ବାଚନ ପ୍ରଚାର ପରିଚାଳନା କରିଛନ୍ତି ଏବଂ ସେମାନଙ୍କୁ ବିପୁଳ ସଫଳତା ଆଣି ଦେଇଛନ୍ତି।