କଶ୍ମୀରରେ ୩ ସରକାରୀ କର୍ମଚାରୀ ବହିଷ୍କୃତ : ସରକାରଙ୍କଠାରୁ ଦରମା ନେଉଥିଲେ କିନ୍ତୁ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ

ଶ୍ରୀନଗର : ଆତଙ୍କବାଦୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ତିନିଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜମ୍ମୁ ଓ କଶ୍ମୀର ସରକାର । ସେମାନେ ହେଲେ ଅଲତାଫ୍ ହୁସେନ ପଣ୍ଡିତ୍, ମହମ୍ମଦ ମକବୁଲ ହଜାମ ଓ ଗୁଲାମ ରସୁଲ ।

ପଣ୍ଡିତ୍ କଶ୍ମୀର ବିଶ୍ବ ବିଦ୍ୟାଳୟରେ କେମିଷ୍ଟ୍ରି ପଢାଉଥିବାବେଳେ ହଜାମ ଜଣେ ସରକାରୀ ସ୍କୁଲ ଶିକ୍ଷକ ଓ ରସୁଲ ଜଣେ ପୁଲିସ କନେଷ୍ଟବଳ । ପଣ୍ଡିତ୍ ଜମାଏତ-ଇ-ଇସଲାମର ସଦସ୍ୟ ଥିଲା ଓ ସେ ପାକିସ୍ତାନ ଯାଇ ସେଠାରେ ଆତଙ୍କବାଦୀ ତାଲିମ ନେଇଥିଲା । ୧୯୯୩ରେ ସେ ସୁରକ୍ଷାବଳ ଦ୍ବାରା ଗିରଫ ହେବା ପୂର୍ବରୁ ଜେକେଏଲଏଫ (ଜମ୍ମୁ ଓ କଶ୍ମୀର ମୁକ୍ତି ସଂଗଠନ)ର ଜଣେ ସକ୍ରିୟ ଆତଙ୍କବାଦୀ ଥିଲା । ସରକାରୀ କର୍ମଚାରୀ ଥାଇ ବି ସେ ଆତଙ୍କବାଦୀ ସଂଗଠନ ପାଇଁ ସଦସ୍ୟ ସଂଗ୍ରହ କରୁଥିଲା ଓ ସ୍ଥାନୀୟ ଯୁବକମାନଙ୍କୁ ସୁରକ୍ଷା ବଳ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ପାଇଁ ଉସୁକାଉଥିଲା । ସେହିପରି ହଜାମ ମଧ୍ୟ ସୁରକ୍ଷାବଳ ବିରୋଧରେ ଆକ୍ରମଣ ପାଇଁ ସ୍ଥାନୀୟ ଲୋକମାନଙ୍କୁ ଉସୁକାଉଥିଲା । ଅନ୍ୟପକ୍ଷରେ ଗୁଲାମ ରସୁଲ ଆତଙ୍କବାଦୀମାନଙ୍କ ପାଇଁ ଇନଫର୍ମରଭାବେ କାମ କରୁଥିଲା ଓ ସୁରକ୍ଷାବଳଙ୍କ ଅପରେସନ ସମ୍ପର୍କରେ ଆତଙ୍କବାଦୀମାନଙ୍କୁ ସୂଚନା ଦେଉଥିଲା ।

ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଂଚଳ ହେବା ପରେ ଶାସନ କଳ ମଧ୍ୟରେ ରହି ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା କର୍ମଚାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

 

 

ସମ୍ବନ୍ଧିତ ଖବର