ନୂଆଦିଲ୍ଲୀ: ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ‘ସରବ୍‌ଜିତ’ ଚଳଚ୍ଚିତ୍ର ଦେଖିଛନ୍ତି! ଯଦି ଦେଖିଥିବେ ତେବେ ଜେଲ୍‌ ମଧ୍ୟରେ ସରବ୍‌ଜୀତଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ଭଉଣୀ ଏବଂ ପତ୍ନୀଙ୍କୁ ପାକିସ୍ତାନୀମାନେ ଯେଉଁଭଳି ଭାବେ ମାନସିକ ନିର୍ଯାତନା ଦେଇଥିଲେ ସେ ଦୃଶ୍ୟ ସମୟରେ ଆପଣଙ୍କ ଆଖିରୁ ଲୁହ ଟୋପାଏ ନିଶ୍ଚୟ ଖସି ପଡ଼ିଥିବ।

Advertisment

publive-image

ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚତି୍ର ‘ସରବଜିତ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଐଶ୍ୱର୍ଯ୍ୟ ରାୟ ବଚ୍ଚନ, ରଣଦୀପ ହୁଡ୍ଡା ଓ ରିଚ୍ଚା ଚଢ଼ା। ଐଶ୍ୱର୍ଯ୍ୟ ସରବଜିତଙ୍କ ଭଉଣୀ ଭୂମିକାରେ ଥିବା ବେଳେ ସରବଜୀତ ଭୂମିକାରେ ଅଭିନୟ କରିଥିଲେ ରଣଦୀପ ହୁଡ୍ଡା ଏବଂ ସରବଜୀତଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ରିଚା। ଭାରତୀୟ ଯୁବକ ଭୁଲ୍‌ କ୍ରମେ ପାକିସ୍ତାନ ସୀମା ଭିତରକୁ ଚାଲିଯାଇଥିଲେ, ତେବେ ତାଙ୍କୁ ଗୁପ୍ତଚର ବୋଲି ଅଭିଯୋଗ ଆଣି ପାକିସ୍ତାନୀ ସେନା ଦୀର୍ଘ ବର୍ଷ ଧରି ଜେଲ୍‌ରେ ବନ୍ଦୀ କରି ରଖିଥିଲେ। ଦୀର୍ଘ ଆଇନଗତ ସଂଘର୍ଷ ପରେ ସରବଜୀତଙ୍କ ଭଉଣୀ ଏବଂ ପତ୍ନୀ ତାଙ୍କୁ ଦେଖା କରିବାକୁ ପାକିସ୍ତାନ ଗଲେ । ଫିଲ୍ମରେ ପ୍ରଦର୍ଶିତ ଦୃଶ୍ୟ ଅନୁଯାୟୀ, ସରବଜୀତଙ୍କୁ ଭେଟିବା ପୂର୍ବରୁ ପାକିସ୍ତାନୀ ଜେଲରେ ହାଜର ହୋଇଛନ୍ତି ସରବଜିତଙ୍କ ପତ୍ନୀ ଓ ଭଉଣୀ। ପାକିସ୍ତାନୀ ପୁଲିସର ଦୁଇ ମହିଳା କର୍ମଚାରୀ ସେମାନଙ୍କୁ ଅତ୍ୟନ୍ତ ଅଭଦ୍ର ଭାବେ ପେଶ୍‌ ଆସୁଛନ୍ତି। ତୁ..ତା..ରେ ସମ୍ବୋଧନ କରୁଛନ୍ତି। ସେମାନଙ୍କ କେଶକୁ ଖୋଲିବାକୁ ନିର୍ଦ୍ଦେଶ ଦେଉଛନ୍ତି। ତା’ପରେ ମଥାରୁ ବିନ୍ଦି କାଢ଼ି ନେଉଛନ୍ତି। ସରବଜିତଙ୍କ ପତ୍ନୀଙ୍କ ଓଠରୁ ଜବରଦସ୍ତ ପୋଛି ନିଆଯାଉଛି ଲିପଷ୍ଟିକ୍‌। ସଂପୂର୍ଣ୍ଣ ବିଧବା ବେଶରେ ସ୍ୱାମୀ ସରବଜୀତଙ୍କୁ ଭେଟିଥିଲେ ପତ୍ନୀ ଏବଂ ଭଉଣୀ ଦଲ୍‌ବୀର।

publive-image

ଏହି ଫିଲ୍ମର କାହାଣୀ ଓ ପ୍ରତ୍ୟେକ ଦୃଶ୍ୟକୁ ନିର୍ଦ୍ଦେଶକ ଉମଙ୍ଗ କୁମାର ସରବଜିତଙ୍କ ପରିବାରଙ୍କ ସହ ବହୁବାର ଆଲୋଚନା କରିବା ପରେ ହିଁ ପ୍ରସ୍ତୁତ କରିଥିଲେ। ତେଣୁ ଏହା ପରୋକ୍ଷରେ ସ୍ପଷ୍ଟ ହେଉଛି କି ସରବଜିତଙ୍କ ଭଉଣୀ ଏବଂ ପତ୍ନୀଙ୍କୁ ମଧ୍ୟ ଅତ୍ୟନ୍ତ ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହା ସେତେବେଳେ ଗଣମାଧ୍ୟମରେ ବିଶେଷ ଆଲୋଚନା ହୋଇନଥିଲା।

ଦୁଇ ଦିନ ତଳେ ଠିକ୍‌ ସେହିପରି ଘଟିଛି ପାକିସ୍ତାନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ଭାରତୀୟ ପୂର୍ବତନ ସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମା’ ଓ ପତ୍ନୀଙ୍କ କ୍ଷେତ୍ରରେ। ଗତ ମଙ୍ଗଳବାର ପାକିସ୍ତାନରେ କୁଳଭୂଷଣଙ୍କୁ ଭେଟିବାକୁ ପହଞ୍ଚିଥିଲେ କୁଳଭୂଷଣଙ୍କ ମାଆ ଅବନ୍ତୀ ଯାଦବ ଏବଂ ପତ୍ନୀ ଚେତନକୁଲ୍‌ ଯାଦବ। ପାକିସ୍ତାନୀମାନେ ଉଭୟଙ୍କ ବେକରୁ ମଙ୍ଗଳସୂତ୍ର, ମଥାରୁ ସିନ୍ଦୂର ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଛି ଦେଇ ସଂପୂର୍ଣ୍ଣ ବିଧବା ବେଶରେ କୁଳଭୂଷଣଙ୍କ ସହ ସାକ୍ଷାତ କରାଇଥିଲେ, ଯାହା ଏବେ ବିବାଦର ସୂତ୍ରପାତ କରିଛି।