ଡିସେମ୍ବର ୨୫ରେ କୁଳଭୂଷଣଙ୍କୁ ଭେଟିବେ ପତ୍ନୀ, ମା’

ପାକିସ୍ତାନ ଅନୁମତି ଦେଲା

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ତାଙ୍କ ପତ୍ନୀ ଓ ମା’ ଆସନ୍ତା ଡିସେମ୍ବର ୨୫ ତାରିଖରେ ସାକ୍ଷାତ କରିବେ। ଏନେଇ ପାକିସ୍ତାନ ସରକାର ଆଜି ଅନୁମତି ପ୍ରଦାନ କରିଛନ୍ତି ଏବଂ ଉଭୟ କୁଳଭୂଷଣଙ୍କ ମା’ ଅବନ୍ତିକା ଯାଦବ ଏବଂ ତାଙ୍କ ପତ୍ନୀଙ୍କୁ ଭିସା ପ୍ରଦାନ କରିବେ ବୋଲି କହିଛନ୍ତି। କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ସୁରକ୍ଷା ଓ ସ୍ୱାଧୀନତା ଯୋଗାଇ ଦିଆଯିବ ବୋଲି ପାକିସ୍ତାନ ପ୍ରତିଶ୍ରୁତି ଦେଇଛି। ଇତିମଧ୍ୟରେ ପାକିସ୍ତାନ ବିଦେଶ ମନ୍ତ୍ରାଳୟ ମୁଖବକ୍ତା ମହମ୍ମଦ ଫୈଜଲ ମଧ୍ୟ କୁଳଭୂଷଣଙ୍କ ପତ୍ନୀ ଓ ମା’ଙ୍କ ସହ ଜଣେ ଭାରତୀୟ ଦୁତାବାସ ଅଧିକାରୀ ସାକ୍ଷାତ ସମୟରେ ଉପସ୍ଥିତ ରହିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ଆଜି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଖୁସିବ୍ୟକ୍ତ କରିବା ସହ କୁଳଭୂଷଣଙ୍କ ମା’ଙ୍କୁ ଏ ସମ୍ପର୍କରେ ଜଣାଇଥିବା ଟ୍ଵିଟ୍‌ କରିଛନ୍ତି। ପୂର୍ବରୁ କୁଳଭୂଷଣଙ୍କୁ ଭାରତୀୟ ଦୂତାବାସ ସହ ଯୋଗାଯୋଗ ପାଇଁ କୌଣସି ସୁଯୋଗ ଦେଇନଥିବା ପାକିସ୍ତାନ ଏବେ ପତ୍ନୀ ଓ ମା’ଙ୍କୁ ମାନବିକତା ଆଧାରରେ ସାକ୍ଷାତ ସୁଯୋଗ ଦେବାକୁ ରାଜି ହୋଇଛି। କୁଳଭୂଷଣଙ୍କୁ ଆତଙ୍କବାଦୀ ଦର୍ଶାଇ ମିଥ୍ୟା ଅଭିଯୋଗରେ ପାକ୍‌ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାରୁ ଏବେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ଏହି ମାମଲା ବିଚାରାଧୀନ ରହିଛି। ଭାରତ ଏ ବାବଦରେ ନିଜର ଦଲିଲ ଆଇସିଜେରେ ଉପସ୍ଥାପନ କରିସାରିଛି ଏବଂ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହେବ। ପାକିସ୍ତାନ ପ୍ରଥମେ କେବଳ କୁଳଭୂଷଣଙ୍କ ପତ୍ମୀଙ୍କୁ ଭିସା ଦେବ ବୋଲି ରାଜି ଥିଲା କିନ୍ତୁ ପରେ ଭାରତର ଅନୁରୋଧକ୍ରମେ ମା’ଙ୍କୁ ସାକ୍ଷାତ ଲାଗି ଭିସା ଦେଇଛି।

ସମ୍ବନ୍ଧିତ ଖବର