କୁଳଭୂଷଣଙ୍କୁ କୂଟନୈତିକ ସହାୟତା ପ୍ରସଙ୍ଗ, ଅନୁମତି ଦେବାକୁ ମନାକଲା ପାକିସ୍ତାନ

ଇସଲାମାବାଦ: ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ କୂଟନୈତିକ ସହାୟତା ଦେବା ପାଇଁ ଭାରତ ପକ୍ଷରୁ କରାଯାଇଥିବା ଅନୁରୋଧକୁ ପୁଣି ଥରେ ପ୍ରତ୍ୟାଖାନ କରିଛି ପାକିସ୍ତାନ ା ମାମଲାର ବିଚାର ଅନ୍ତର୍ଜାତୀୟ କୋର୍ଟରେ ଚାଲିଥିବାରୁ ସହାୟତା ଦେବା ପାଇଁ ଏହା ଉପଯୁକ୍ତ ସମୟ ନୁହେଁ ବୋଲି ସ୍ପଷ୍ଟ କରିଛି ପାକିସ୍ତାନ ା

ସୂଚନାଯୋଗ୍ୟ, ଭାରତ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ପାକିସ୍ତାନ କୁଳଭୂଷଣ ବିରୋଧରେ ୨୦୧୬ରେ ଫାଶୀଦଣ୍ଡ ଶୁଣାଇଥିଲା ା ଏହାକୁ ବିରୋଧ କରି ଭାରତ ମେ ୨୦୧୭ରେ ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହୋଇଥିଲା ା ଭାରତ ପକ୍ଷରୁ ବିରୋଧ ପରେ ଫାଶୀଦଣ୍ଡାଦେଶକୁ ସ୍ଥଗିତ ରଖିଥିଲା ଅନ୍ତର୍ଜାତୀୟ କୋର୍ଟ ା ଉକ୍ତ ମାମଲାର ଶୁଣାଣି ଫେବୃଆରୀ ୨୧ରେ ସମାପ୍ତ ହୋଇଥିବା ବେଳେ ଅନ୍ତର୍ଜାତୀୟ କୋର୍ଟର ନିର୍ଣୟକୁ ଅପେକ୍ଷା କରାଯାଇଛି। କୁଳଭୂଷଣ ଯାଦବଙ୍କ ସମେତ ଅନ୍ୟ ଚାରି ଭାରତୀୟଙ୍କୁ ସହାୟତା ଦେବା ନିମନ୍ତେ ଏପ୍ରିଲ ୩ରେ ପୁଣି ଅନୁରୋଧ କରାଯାଇଥିଲା I ପାକିସ୍ତାନ ଭିଏନା କନଭେନ୍ସନ୍‌ର ଉଲ୍ଲଙ୍ଗନ କରୁଥିବା ଅଭିଯୋଗ କରି ଭାରତ ପକ୍ଷରୁ କୁହାଯାଇଥିଲା ଯେ ଅନ୍ୟ କୌଣସି ଦେଶରେ ବନ୍ଦୀ କିମ୍ବା ଅଟକ ରଖାଯାଇଥିବା ନାଗରିକଙ୍କୁ ସହାୟତା ଦେବା ପ୍ରତ୍ୟେକ ଦେଶର ଅଧିକାର ରହିଛି ା ଭାରତ ପକ୍ଷରୁ କୁହାଯାଉଛି ଯେ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ତାଙ୍କର ବ୍ୟକ୍ତିଗତ ବ୍ୟାପାରରେ ଇରାନ ଯାଇଥିବା ବେଳେ ତାଙ୍କୁ ଅପହରଣ କରି ପାକିସ୍ତାନ ନିଆଯାଇଛି I ଅନ୍ୟପକ୍ଷରେ ଦୁଇ ଦେଶ ମଧ୍ୟରେ ସଦଭାବନା ରକ୍ଷା ପାଇଁ ପାକିସ୍ତାନ ୩୫୫ ମତ୍ସ୍ୟଜୀବୀଙ୍କ ସମେତ ମୋଟ ୩୬୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବ ବୋଲି ସୂଚନା ଦେଇଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମହମଦ ଫୈସଲ ା ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରୁ ବୋଲି ଫୈସଲ କହିଛନ୍ତି ା

ସମ୍ବନ୍ଧିତ ଖବର