କୁଳଭୂଷଣ ମାମଲା:ପାକିସ୍ତାନର ସବୁ ଚାଲ୍‌ ପଣ୍ଡ

ଅନ୍ତର୍ଜାତୀୟ ଆଇନ ଏବଂ ଚୁକ୍ତିକୁ ସମ୍ମାନ ଦେଇନଥିଲା

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂ‌‌‌‌ଷଣ ଯାଦବଙ୍କ ମାମଲାରେ ଆଜି ଅନ୍ତର୍ଜାତୀୟ ନ୍ୟାୟ ଅଦାଲତର ରାୟ ଭାରତ ସପକ୍ଷରେ ଯାଇଛି। ପାକିସ୍ତାନର ସାମରିକ ଅଦାଲତ (ଆଇସିଜେ) ଭାରତର ପୂର୍ବ ନୌସେନା ଅଫିସର୍‌ ଯାଦବଙ୍କୁ ବଳପୂର୍ବକ ଅପରାଧ ସ୍ବୀକାର କରିବା ପାଇଁ ବାଧ୍ୟ କରି ଫାଶୀ ଦଣ୍ଡ ଶୁଣାଇଥିଲା। ଏ ଦିଗରେ ଭାରତର କୌଣସି ଯୁକ୍ତି, ପ୍ରସ୍ତାବ ଏବଂ ଦୂତାବାସ ସଂପର୍କ ସଂକ୍ରାନ୍ତ ଆବେଦନକୁ ପାକିସ୍ତାନ ଗ୍ରହଣ କରିନଥିଲା। ଅନ୍ତର୍ଜାତୀୟ ଆଇନ ଏବଂ ଚୁକ୍ତିର ଖୋଲା ଉଲ୍ଲଂଘନ କରିଥିବା ପାକିସ୍ତାନ ପାଇଁ ଆଜି ଆଇସିଜେର ରାୟ ବଡ଼ ଝଟ୍‌କା ହୋଇଛି। ଆଇସିଜେରେ ଭାରତ ପାକିସ୍ତାନର ପ୍ରତ୍ୟେକଟି ମିଥ୍ୟା ଓ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପରେ ଯାଦବଙ୍କ ମାମଲାରେ ଆଜି ଭାରତକୁ ବଡ଼ ବିଜୟ ମିଳିଛି। ଭିଏନା ସମ୍ମିଳନୀ ଚୁକ୍ତିକୁ ଉଲ୍ଲଂଘନ ମାମଲାରେ ଆଇସିଜେ ପାକିସ୍ତାନକୁ ଭର୍ତ୍ସନା କରିଛି।

ମାର୍ଚ ୩, ୨୦୧୬ରେ ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଗିରଫ କରିଥିଲା ଏବଂ ସେ ଜଣେ ଭାରତୀୟ ଗୁପ୍ତଚର ,ବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ବୋଲି ଦର୍ଶାଇଥିଲା। ଯାଦବଙ୍କୁ ବାଲୋଚିସ୍ତାନରୁ ପାକିସ୍ତାନ ଗିରଫ କରିଥିବା କହିଥିଲା। ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଇରାନ୍‌କୁ ଅପହରଣ କରାଯାଇଥିବା ଜଣାପଡ଼ିଥିଲା।
ମାର୍ଚ ୨୫ରେ କୁଳଭୂଷଣଙ୍କ ଗିରଫଦାରୀ ନେଇ ଭାରତକୁ ଆନୁଷ୍ଠାନିକ ଭାବେ ପାକିସ୍ତାନ ଅବଗତ କରାଇଥିଲେ ମଧ୍ୟ ଦୂତାବାସ ସହାୟତା ଏବଂ କୌଣସି ଯୋଗାଯୋଗ ସୁଯୋଗ ଦେଇନଥିଲା। ଭାରତ ସରକାର ଏ ବାବଦରେ ୧୬ ଥର ଅନୁରୋଧ କରିଥିଲେ ମଧ୍ୟ ପାକିସ୍ତାନ ଏଥିପ୍ରତି କର୍ଣ୍ଣାପାତ କରିନଥିଲା।
ଏପ୍ରିଲ ୧୦, ୨୦୧୭ରେ ପାକିସ୍ତାନର ସାମରିକ ଅଦାଲତ କୁଳଭୂଷଣଙ୍କୁ ଜଣେ ଭାରତୀୟ ଗୁପ୍ତଚର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଏଜେଣ୍ଟ ବୋଲି ଦର୍ଶାଇ ଫାଶୀ ଦଣ୍ଡାଦେଶ ଶୁଣାଇଥି‌ଲା।
ମେ ୮, ୨୦୧୭ରେ ଭାରତ ଏହି ମାମଲାରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ର ଦ୍ବାରସ୍ଥ ହୋଇଥିଲା। ପାକିସ୍ତାନ ଭିଏନା କନ୍‌ଭେନ୍‌ସନ ଚୁକ୍ତିକୁ ଉଲ୍ଲଂଘନ କରି ଯାଦବଙ୍କ ପ୍ରତି କରିଥିବା ବର୍ବରତାର ଦୃଢ଼ ବିରୋଧ କରି ଭାରତ ଅନେକ ତଥ୍ୟ ରଖିଥିଲା। ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେ ଭାରତର ପକ୍ଷ ରଖିଥିଲେ। ମେ ୧୮ ତାରିଖରେ ଆଇସିଜେ ଏହି ମାମଲାର ଶୁଣାଣି କରି ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ କୁଳଭୂଷଣଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ।
ଡିସେମ୍ବର ୨୫, ୨୦୧୭ରେ ଭାରତର ବ୍ୟାପକ ପ୍ରୟାସ ପରେ ପାକିସ୍ତାନ କୁଳଭୂଷଣଙ୍କ ମା’ ଏବଂ ପତ୍ନୀଙ୍କୁ ତାଙ୍କୁ ଭେଟିବାକୁ ସୁଯୋଗ ଦେଇଥିଲା। ତେବେ ଉଭୟଙ୍କୁ ପାକିସ୍ତାନ ଅଧିକାରୀମାନେ ମାନସିକ ନିର୍ଯାତନା ଦେଇଥିବାରୁ ଭାରତ ଏହାର ଜୋରଦାର୍‌ ପ୍ରତିବାଦ କରିଥିଲା। ଜୁଲାଇ ୨୦୧୮ରେ ଭାରତ ଏବଂ ପାକିସ୍ତାନ ଚୂଡ଼ାନ୍ତ ଲିଖିତ ରିପୋର୍ଟ ଆଇସିଜେରେ ଦାଖଲ କରିଥିଲେ।
ଫେବ୍ରୁଆରି ୨୦୧୯ରେ ଏହି ମାମଲାରେ ଆଇସିଜେ ୪ ଦିନ ଧରି ଶୁଣାଣି କରିଥିଲେ ଏବଂ ୧୭ ଜୁଲାଇରେ ଏହି ମାମଲାରେ ଚୂଡ଼ାନ୍ତ ରାୟ ଦେଇ କୁଳଭୂଷଣଙ୍କ ଫାଶୀ ଉପରେ ରହିତାଦେଶ ଲଗାଛନ୍ତି ଏବଂ ପୁନର୍ବିଚାର ପାଇଁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର