ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଲା; କୁଳଭୂଷଣଙ୍କୁ ଭେଟିଲେ ମା’ ଓ ପତ୍ନୀ; ଖାଲି ଆଖି ମିଶିଲା ସିନା ଖୋଲି ପାରିଲାନି ପାଟି !

ଇସ୍‌ଲାମାବାଦ: ଶେଷରେ ଅନ୍ତ ଘଟିଛି ଦୀର୍ଘ ପ୍ରତୀକ୍ଷା ଓ ଅନେକ ବିବାଦର। ପାକିସ୍ତାନର ଏକ ସାମରିକ କୋର୍ଟ ଦ୍ୱାରା ଫାଶୀ ଦଣ୍ଡାଦେଶ ପାଇ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କୁ ଆଜି ଭେଟିଛନ୍ତି ତାଙ୍କ ମା’ ଓ ପତ୍ନୀ। ଇସ୍‌ଲାମାବାଦ ସ୍ଥିତ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ମଧ୍ୟରେ କୁଲଭୂଷଣଙ୍କୁ ଭେଟିଥିଲେ ତାଙ୍କ ମା’ ଓ ପତ୍ନୀ। ଯଦିଓ ଏମାନଙ୍କ ମଧ୍ୟରେ ଏହି ଦେଖା ସାକ୍ଷାତ୍‌ ଦୀର୍ଘ ଘଣ୍ଟାଏ କାଳ ଧରି ଚାଲିଥିଲା; ତଥାପି କେହି କାହାରିକୁ କିଛି ହେଲେ କହିପାରି ନଥିଲେ। ଏମିତିକି କେମିତି ଅଛନ୍ତି ବୋଲି ସୁଦ୍ଧା ମା’ ଓ ପତ୍ନୀଙ୍କୁ କହିବାକୁ ସାହସ ଜୁଟାଇ ପାରି ନଥିଲେ କୂଳଭୂଷଣ। କେବଳ ମାତ୍ର କୂଳଭୂଷଣଙ୍କ ନୀରିହ ଓ କରୁଣ ଆଖି ଯୋଡ଼ିକ ଯାହା ବୟାନ କରୁଥିଲା। ଯଦିଓ ଏହି ସାକ୍ଷାତ ଆଲୋଚନା କାଳରେ ସେଠାରେ ଉପସ୍ଥିତ ଥିଲେ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସର ଉପ ହାଇକମିଶନର ଜେପି ସିଂହ; ତଥାପି ସେ ଥିଲେ ସଂପୂର୍ଣ୍ଣ ନିରୁପାୟ ଓ ଅସହାୟ!

Rediff.com

ପାକିସ୍ତାନ ପୂର୍ବରୁ ଘୋଷଣା କରି କହିଥିଲା ଯେ ସଂପୂର୍ଣ୍ଣ ମାନବିକତା ଦୃଷ୍ଟିକୋଣରୁ ଓ ଇସ୍‌ଲାମୀୟ ପରମ୍ପରା ଆଧାରରେ କୁଳଭୂଷଣଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ସରକାର ଅନୁମତି ପ୍ରଦାନ କରୁଛନ୍ତି। ତେବେ, ଆଜିର ଭେଟ୍‌ଘାଟ୍‌ କାଳରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଯେଉଁପରି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା, ତା’କୁ ଦେଖିଲେ ଯେକେହି ସାଧାରଣ ଲୋକର ପିଳେହି ସୁଦ୍ଧା ପାଣି ହୋଇଯିବ। ଇସ୍‌ଲାମାବାଦ ସ୍ଥିତ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବହୁ ପୂର୍ବରୁ ସିଲ୍‌ କରି ଦିଆ ଯାଇଥିଲା। କେବଳ ମାତ୍ର ଅନୁମତି ପତ୍ର ପାଇଥିବା ଲୋକଙ୍କୁ ସେହି ରାସ୍ତାରେ ଛଡ଼ା ଯାଉଥିଲା। ଭେଟଘାଟ ପୂର୍ବରୁ ସମଗ୍ର ବୈଦେଶିକ ମନ୍ତ୍ରାଳୟକୁ ପାକିସ୍ତାନୀ କମାଣ୍ଡୋମାନଙ୍କ ହାତରେ ଛାଡ଼ି ଦିଆ ଯାଇଥିଲା। ଖାଲି ଏତିକି ନୁହେଁ, ଭାରତୀୟ ଉପ-ହାଇକମିଶନର ଜେପି ସିଂହଙ୍କ ଉପସ୍ଥିତିରେ କୁଳଭୂଷଣ ଯେତେବେଳେ ତାଙ୍କ ମା’ ଓ ପତ୍ନୀଙ୍କୁ ସାକ୍ଷାତ କରୁଥିଲେ, ସେତେବେଳେ ସେମାନଙ୍କ ଆଡ଼କୁ ବନ୍ଧୁକ ଉଞ୍ଚାଇ ଘେରି ରହିଥିଲେ ଶତାଧିକ ପାକିସ୍ତାନୀ ସାର୍ପସୁଟର। ଆଉ ଏପ୍ରକାରର ସ୍ଥିତିରେ କିଏ ବା କାହାକୁ କ’ଣ କହିଥାନ୍ତା? ଖାଲି ନିରବରେ ଘଣ୍ଟାଏ ପରସ୍ପର ପରସ୍ପରକୁ ଚାହିଁ ଦେଖିଥିଲେ ଯାହା। ଏ ପରିସ୍ଥିତିରେ କୁଳଭୂଷଣଙ୍କ ପାଖରେ ଘଣ୍ଟାଏ ଅତିବାହିତ କଲାପରେ କୁଳଭୂଷଣଙ୍କ ମା’ ଓ ପତ୍ନୀ ତାଙ୍କ ଠାରୁ ବିଦାୟ ନେଇ ଚାଲି ଆସିଥିଲେ। ଫେରିବା ବାଟରେ ରାସ୍ତାରେ ଡେରା ପକାଇଥିବା ପାକିସ୍ତାନୀ ଗଣମାଧ୍ୟମ ତାଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସେମାନେ ସଂପୂର୍ଣ୍ଣ ନିରବ ରହିଥିଲେ।

Rediff.com

ଖବରରୁ ପ୍ରକାଶ, ଫାଶୀ ଦଣ୍ଡାଦେଶ ପାଇ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା କୁଲଭୂଷଣଙ୍କୁ ଭେଟିବା ପାଇଁ ତାଙ୍କର ମା’ ଓ ପତ୍ନୀ ଭାରତ ସରକାରଙ୍କୁ ଅନୁରୋଧ କରିବା ପରେ ଏଥିପାଇଁ ଅନୁମତି ପ୍ରଦାନ କରିବାକୁ ଭାରତ ସରକାର ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ। ପ୍ରଥମେ ପ୍ରତ୍ୟାଖାନ କରିବା ପରେ ପାକିସ୍ତାନ ସରକାର ସଂପୂର୍ଣ୍ଣ ମାନବିକତା ଦୃଷ୍ଟିକୋଣରୁ ଓ ଇସ୍‌ଲାମୀୟ ପରମ୍ପରା ଆଧାରରେ କୁଳଭୂଷଣଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ଅନୁମତି ପ୍ରଦାନ କରୁଛନ୍ତି ବୋଲି ଗତ ୮ ତାରିଖରେ ଘୋଷଣା କରିଥିଲେ। ପରେ ୨୦ ତାରିଖରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏମାନଙ୍କୁ ଭିସା ପ୍ରଦାନ କରାଯାଇଥିଲା। ଶେଷରେ ଆଜି ସକାଳୁ ସେମାନେ ଏକ ଯାତ୍ରୀବାହୀ ବିମାନରେ ଯାଇ ଇସ୍‌ଲାମାବଦରେ ପହଞ୍ଚିଥିଲେ। ସେଠାରୁ ସିଧା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟକୁ ଯାଇ ସଙ୍ଗରେ ଉପ- ହାଇକମିଶନର ଜେପି ସିଂହଙ୍କୁ ସଙ୍ଗରେ ଧରି କୁଳଭୂଷଣଙ୍କୁ ଭେଟିବା ପାଇଁ ଆସିଥିଲେ। କୁଳଭୂଷଣଙ୍କୁ ଭେଟି ସାରିବା ପରେ ସେମାନେ ଇସ୍‌ଲାମାବଦରେ ସର୍ବମୋଟ ୭ଘଣ୍ଟାର ରହଣି କରିବା ପରେ ଏବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ଆସୁଛନ୍ତି।

ତେବେ, ଆଉ ଏକ ଘଟଣାକ୍ରମରେ ଗତକାଲି କୁଲଭୂଷଣ ତାଙ୍କ ମାମଲାରେ ଆଗତ ମାମଲାରେ ଲଢ଼ିବା ପାଇଁ ଓକିଲ ନିଯୁକ୍ତ କରିପାରିବେ ବୋଲି କହିଥିଲା ବେଳେ ଆଜି ଏଥିରୁ ଓହରି ଯାଇଛି। କୁଳଭୂଷଣ ଯେହେତୁ ଗୁପ୍ତଚର ବୃତ୍ତି କରୁଥିବା ବେଳେ ଧରା ପଡ଼ିଛନ୍ତି, ସେଥିପାଇଁ ସେ ବିଚାର ପ୍ରକ୍ରିୟାରେ ଓକିଲ ସହାୟତା ନେଇ ପାରିବେ ନାହିଁ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ କହିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତଥିବା ଅଭିଯୋଗରେ ପାକିସ୍ତାନ ସରକାର କୁଳଭୂଷଣଙ୍କୁ ୨୦୧୬ ମାର୍ଚ୍ଚ ୩ ତାରିଖରେ ଗିରଫ କରିିଥିଲେ। ପାକିସ୍ତାନରେ ଭାରତୀୟ ଗୁଇନ୍ଦା ବିଭାଗ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ କରି ସେଠାକାର ସରକାର କୁଳଭୂଷଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଚଳିତ ବର୍ଷ ଏପ୍ରିଲ ମାସରେ ପାକିସ୍ତାନ ସାମରିକ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଭାରତର ହସ୍ତକ୍ଷେପ ପରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ) ଗତ ମେ ୧୮ ତାରିଖରେ କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶରେ ରୋକ୍‌ ଲଗାଇଛନ୍ତି।

ସମ୍ବନ୍ଧିତ ଖବର