ଭୟଙ୍କର ଚାପରେ କୁଳଭୂଷଣ

ମିଥ୍ୟା ଅଭିଯୋଗ ମାନିନେବାକୁ ବାଧ୍ୟ କରାଯାଉଛି, ଜେଲରେ କୁଳଭୂଷଣଙ୍କୁ ଭେଟିଲେ ଭାରତୀୟ ଡେପୁଟି ହାଇକମିସନର

ନୂଆଦିଲ୍ଲୀ/ ଇସ୍‌ଲାମାବାଦ : ମିଥ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇ ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଆଜି ଭେଟିଛନ୍ତି ଭାରତର ଡେପୁଟି ହାଇ କମିସନର ଗୌରବ ଆଲୁୱାଲିଆ। ଆନ୍ତର୍ଜାତିକ ନ୍ୟାୟାଳୟ ବା ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ର ନିର୍ଦେଶ କ୍ରମେ ପାକିସ୍ତାନ ସରକାର ପ୍ରଥମ ଥର ଲାଗି ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଏହି ସୁଯୋଗ ଦେଇଛି। ପାକିସ୍ତାନର ଏକ ସବଜେଲରେ କୁଳଭୂଷଣଙ୍କ ସହିତ ଦୁଇ ଘଣ୍ଟା ଧରି ଆଲୋଚନା କରି ଆଲୁୱାଲିଆ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ଅତ୍ୟନ୍ତ ଉଦବେଗଜନକ। ସେ କହିଛନ୍ତି ଯେ ସାକ୍ଷାତ ବେଳେ କୁଳଭୂଷଣ ପ୍ରବଳ ଚାପରେ ଥିଲେ ଏବଂ ତାଙ୍କୁ ଅତିମାତ୍ରାରେ ଭୟଭୀତ କରି ରଖାଯାଇଥିବା ଜଣାପଡ଼ିଥିଲା। ତାଙ୍କୁ ମିଥ୍ୟା ଅଭିଯୋଗ ସ୍ବୀକାର କରିବା ପାଇଁ ବାଧ୍ୟ କରାଯାଉଛି ଏବଂ ଏଥିପାଇଁ ତାଙ୍କୁ ଭୟଙ୍କର ଚାପରେ ରଖାଯାଇଛି।

କେବଳ ଏତିକି ନୁହେଁ, କୁଳଭୂଷଣଙ୍କ ସହ ଭାରତୀୟ ଅଧିକାରୀଙ୍କ ସାକ୍ଷାତ ଆଲୋଚନା ଭୟମୁକ୍ତ ଏବଂ ଚାପମୁକ୍ତ ପରିବେଶରେ କରିବାକୁ ବିଦେଶ ମନ୍ତ୍ରାଳୟ ପାକିସ୍ତାନକୁ ଅନୁରୋଧ କରିଥିଲେ ମଧ୍ୟ ପାକିସ୍ତାନ ଏହାକୁ କାର୍ଯ୍ୟକାରୀ କରିନାହିଁ। ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପରେ ଅଧିକାରୀଙ୍କୁ ଭେଟିବା ପାଇଁ ସୁଯୋଗ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ସାକ୍ଷାତ କରିବାର ସ୍ଥାନ ମଧ୍ୟ ବଦଳାଇ ଦିଆଯାଇଥିଲା। ପ୍ରଥମେ ପାକ୍‌ ବିଦେଶ ମନ୍ତ୍ରାଳୟରେ ଏହି ସାକ୍ଷାତ ଆଲୋଚନା ପାଇଁ ସ୍ଥିର ହୋଇଥିବା ବେଳେ ଅଚାନକ ଏହାକୁ ବଦଳାଇ ଏକ ସବ୍‌ଜେଲ୍‌କୁ କୁଳଭୂଷଣଙ୍କୁ ନିଆଯାଇଥିଲା ଏବଂ ସେଠାରେ ସାକ୍ଷାତ ହୋଇଥିଲା।

ତେବେ ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ କୁଳଭୂଷଣଙ୍କ ସହିତ ଭାରତୀୟ ଅଧିକାରୀଙ୍କ ଆଲୋଚନା ବିନା କୌଣସି କଟକଣାରେ ହୋଇଛି। ସମଗ୍ର କଥାବାର୍ତାର ରେକର୍ଡ କରାଯାଇଛି।

ଆଜିର ଏହି କଥାବାର୍ତା ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କୁଳଭୂଷଣଙ୍କ ପରିବାରକୁ ଫୋନ୍ କରି ଅବଗତ କରାଇଥିବା ଜଣାପଡ଼ିଛି।

ସୂଚନାଯେ‌ାଗ୍ୟ ଯେ ଭାରତ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ପାକିସ୍ତାନର ସାମରିକ ଅଦାଲତ ୨୦୧୭ରେ ୪୯ ବର୍ଷୀୟ କୁଳଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଶୁଣାଇଥିଲା। ତେବେ ଭାରତ ଏହାକୁ ଖଣ୍ଡନ କରି କହିଥିଲା ଯେ କୁଳଭୂଷଣ ନିଜ କାମରେ ଇରାନ ଯାଇଥିବା ବେଳେ ପାକିସ୍ତ‌‌‌ାନ ତାଙ୍କୁ ସେଠାରୁ ଅପହରଣ କରି ନେଇ ମିଛ ମାମଲାରେ ଫସାଇଛି। ଏହି ମାମଲାରେ ଭାରତ ଆନ୍ତର୍ଜତିକ ନ୍ୟାୟାଳୟର ଦ୍ବ‌ାରସ୍ଥ ହେବାପରେ ଅଦାଲତ ଏହା ଉପରେ ରୋକ୍ ଲଗାଇଛନ୍ତି। ଏହାସହିତ କୁଳଭୂଷଣଙ୍କୁ ଭେଟିବା ନିମନ୍ତେ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଅନୁମତି ଦେବାଲାଗି କୋର୍ଟ ପାକିସ୍ତାନକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର