ମୃତ୍ୟୁଦଣ୍ଡାଦେଶ ବିରୋଧରେ ଅପିଲ କରିପାରିବେ କୁଳଭୂଷଣ ଯାଦବ, ପାକିସ୍ତାନ ସଂସଦରେ ବିଲ୍ ଗୃହୀତ

ଇସଲାମାବାଦ : ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତର ଅବସରପ୍ରାପ୍ତ ନୌସେନା ଅଧକାରୀ କୁଳଭୂଷଣ ଯାଦବଙ୍କୁ ଅପିଲ କରିବାର ଅଧିକାର ଦେବାକୁ ପାକିସ୍ତାନ ସଂସଦରେ ଏକ ବିଲ୍ ଗୃହୀତ ହୋଇଛି । ପାକିସ୍ତାନ ସଂସଦ ବା ନ୍ୟାସନାଲ ଆସେମ୍ବଲିର ମିଳିତ ଅଧିବେଶନରେ ଏହି ବିଲ ଗୃହୀତ ହୋଇଛି । ଏହା ଫଳରେ ଯାଦବ ନିଜର ମୃତ୍ୟୁଦଣ୍ଡାଦେଶ ବିରୋଧରେ ଅପିଲ କରିପାରିବେ ।

ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ରାୟ ଅନୁସାରେ କୁଳଭୂଷଣଙ୍କୁ ଅପିଲ କରିବାର ଅଧିକାର ଦେବାକୁ ଗତ ଜୁନ ମାସରେ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଏହି ବିଲ ଆଗତ ହୋଇଥିଲା । ୨୦୧୯ରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଦେଇଥିବା ରାୟ ଦେଇଥିଲେ ଯେ ପାକିସ୍ତାନ ନିଜର ରାୟର ପୁନର୍ବିଚାର କରୁ ଓ ଯାଦବଙ୍କୁ କନସୁଲାର ଆକସେସ ( ଭାରତୀୟ କନସୁଲେଟ ଅଧିକାରୀଙ୍କୁ ଭେଟିବାକୁ ଅନୁମତି) ପ୍ରଦାନ କରୁ । ଏହି ରାୟକୁ ଭିତ୍ତି କରି ଇମ୍ରାନ ଖାଁ ସରକାର ୨୦୨୦ରେ  ପାକିସ୍ତାନ ନ୍ୟାସନାଲ ଆସେମ୍ବଲି (ସଂସଦ)ରେ ଏକ ଅର୍ଡିନାନ୍ସ ଆଗତ କରିଥିଲେ । ତେବେ ଏହାକୁ ପାକିସ୍ତାନର ବିରୋଧୀ ଦଳମାନେ ପ୍ରବଳ ବିରୋଧ କରିଥିଲେ ।

Image Courtesy of FirstPost

ପାକିସ୍ତାନର ଏକ ସେନା ଅଦାଲତ ୨୦୧୭ ଏପ୍ରିଲରେ କୁଳଭୂଷଣଙ୍କୁ ଗୁପ୍ତଚରବୃଦ୍ଧି ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଥିଲେ । ଏହି ରାୟ ଓ କନସୁଲାର ଆକସେସ ନ ଦେବା ବିରୋଧରେ ଭାରତ ସରକାର ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଗଠାରେ ଥିବା  ଅନ୍ତର୍ଜାତୀୟ ନ୍ୟାୟାଳୟ ୨୦୧୯ ଜୁଲାଇରେ ରାୟର ପୁନର୍ବିଚାର ଓ କନସୁଲାର ଆକସେସ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର