ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ହରିୟାଣା କଂଗ୍ରେସର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇ ଯୋଗ ଦେଇଛନ୍ତି। ଗତ କିଛି ଦିନ ଧରି ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସେ ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ବୁଧବାର ସେ ଚଣ୍ଡିଗଡ଼ରୁ ଆଦମପୁର ବିଧାୟକ ପଦରୁ ଇସ୍ତଫା ଦେବା ପରେ ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି। ଜୁନରେ ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ’ କରିଥିବା ଅଭିଯୋଗରେ ଦଳର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇଙ୍କୁ ଦଳର ସମସ୍ତ ପଦରୁ ହଟାଇଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

Advertisment

ଆଜି ବିଜେପି ମୁଖ୍ୟାଳୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ବିଷ୍ଣୋଇଙ୍କ ଆଗମନ ସଂଗଠନକୁ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସେ ସମର୍ଥନ କରୁଛନ୍ତି ଏବଂ ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ​​ସେ କଂଗ୍ରେସରେ ଥିବାବେଳେ ମଧ୍ୟ ବିଜେପିକୁ ସମର୍ଥନ କରିଛନ୍ତି। ତେବେ କୁଲଦୀପଙ୍କ ଇସ୍ତଫା ପରେ ତାଙ୍କ ପୁଅ ଭବ୍ୟ ବିଷ୍ଣୋଇ ବିଜେପି ଟିକେଟରେ ଆଦମପୁର ଆସନ ପାଇଁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କୁହାଯାଉଛି।

‌ବିଜେପିରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି କୁଲଦୀପ କହିଛନ୍ତି ଯେ, ତାଙ୍କୁ ଦେଶର ତଥା ଗରିବଙ୍କ କଲ୍ୟାଣ ବିଷୟରେ ସର୍ବଦା ଚିନ୍ତା କରୁଥିବା ଭାରତର ସର୍ବୋତ୍ତମ ପ୍ରଧାନମନ୍ତ୍ରୀ କହିବା ଭୁଲ୍ ହେବ ନାହିଁ।