ଚଣ୍ଡିଗଡ଼: ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧର ନାୟକ ଥିଲେ ସେ। ତାଙ୍କର ବଳିଷ୍ଠ ନେତୃତ୍ବରେ ପାକ୍ ସେନାର ଜୋରଦାର ମୁକାବିଲା କରାଯାଇଥିଲା। ଆକ୍ରମଣ ଏତେ ପ୍ରଚଣ୍ଡ ଥିଲା ଯେ ଶେଷରେ ପାକ୍ ସେନା ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଏଥିରେ ସେମାନଙ୍କର ଅନେକ ଟ୍ୟାଙ୍କ୍ ପୋଡ଼ି ପାଉଁଶ ହୋଇଯାଇଥିଲା ଏବଂ ଅନେକ ସୈନିକ ନିପାତ ହୋଇଥିଲେ। ଲୋଙ୍ଗେୱାଲା ଯୁଦ୍ଧର ଏହି ନାୟକ ବ୍ରିଗେଡିୟର୍ କୁଲଦୀପ ସିଂହ ଚାନ୍ଦପୁରୀଙ୍କର ଆଜି ପରଲୋକ ଘଟିଛି। କ୍ୟାନ୍ସରରେ ପୀଡ଼ିତ ହୋଇ ୭୮ ବର୍ଷୀୟ ଚାନ୍ଦପୁରୀ ଶନିବାର ମୋହାଲିସ୍ଥିତ ଏକ ଡାକ୍ତରଖାନାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ଯୁଦ୍ଧ ଶେଷ ହେବାକୁ ଥିବା ବେଳେ ୧୯୭୧ ଡିସେମ୍ବର ୪ ତାରିଖରେ ପାକିସ୍ତାନର ୨,୦୦୦ରୁ ଅଧିକ ସୈନିକ ଲୋଙ୍ଗେୱାଲା ଅଭିମୁଖେ ଅଗ୍ରସର ହୋଇଥିଲେ। ଚାନ୍ଦପୁରୀଙ୍କ ନେତୃତ୍ବରେ ପାକିସ୍ତାନର ୩୪ଟି ଟ୍ୟାଙ୍କ୍ ଧୂଳିସାତ୍ ହୋଇଯାଇଥିଲା। ଏହାର ପରଦିନ ଅର୍ଥାତ୍ ଡିସେମ୍ବର ୫ରେ ଭାରତୀୟ ବାୟୁସେନା ପହଞ୍ଚି ଭୀଷଣ ବୋମା ମାଡ଼ କରିଥିଲା। ଏଥିରେ ୨୦୦ରୁ ଅଧିକ ପାକ୍ ସେନା ନିପାତ ହୋଇଥିଲେ। ଚାନ୍ଦପୁରୀଙ୍କ ସାହସିକତା ଏବଂ ଭାରତୀୟ ସେନାର ବୀରତ୍ବ ଯୋଗୁ ଲୋଙ୍ଗେୱାଲା ଯୁଦ୍ଧରେ ପାକିସ୍ତାନ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିଲା।